ସାମାନ୍ୟ କିଛି ଟଙ୍କା ଲୋଭରେ ହୋଇଥିଲା ଅପହରଣ, ୬ଜଣଙ୍କୁ ବାନ୍ଧିଲା ବୋରିଗୁମ୍ମା ପୋଲିସ୍

ଜୟପୁର: ସ୍ୱାର୍ଥପର ଦୁନିଆରେ କିଏ ବା କାହାର । ଏଠି ନିଜର କାମ ହାସଲ ପାଇଁ ଲୋକେ କେତେ ତଳକୁ ଖସିଯାଉଛନ୍ତି ତାହାର ତ ଅନେକ ଉଦାହରଣ ପ୍ରତିଦନ ଦେଖିବାକୁ ମିଳୁଛି । ତେବେ ପୁଣି ସେହିପରି ଏକ ଘଟଣା ସାମ୍ନାକୁ ଆସିଛି । ସାମାନ୍ୟ କିଛି ଟଙ୍କା ଲୋଭରେ କରାଯାଇଥିଲା ଅପହରଣ । ପୁରା ଘଟଣାର ପର୍ଦ୍ଦାଫାଶ କରିଛି ବୋରିଗୁମ୍ମା ପୋଲିସ୍ । ସୂଚନା ଅନୁସାରେ ଗତ ୧୭ ତାରିଖ ସନ୍ଧ୍ୟାରେ ଡମୁ ଭୂମିଆ ନାମକ ଯୁବକ ଏବଂ ତାଙ୍କର ଦୁଇ ସାଥି ଏକ ମଟର ସାଇକେଲରେ ନିଜ ଘର କେନ୍ଦୁଗୁଡା ଫେରୁଥିବା ସମୟରେ କିଛି ମୁଖା ପିନ୍ଧା ଦୁର୍ବୁତ୍ତ ଏକ ଲାଲ ରଙ୍ଗର ବୋଲେର ଗାଡ଼ିରେ ଆସି ଡମୁ ଭୂମିଆଙ୍କ ଦୁଇ ସାଙ୍ଗଙ୍କୁ ଆକ୍ରମଣ କରି ଡମୁ ଭୂମିଆଙ୍କୁ ଅପହରଣ କରି ନେଇଥିଲେ ।
ଅପହରଣର ପଛର କାରଣ ଥିଲା ଏକ ପ୍ରୋଜେକ୍ଟରେ ଜମି ଅଧିଗ୍ରହଣ ବାବଦରେ ମିଳିଥିବା ୭ ଲକ୍ଷ ଟଙ୍କା । ଯାହାକୁ ନେଇ ଡମୁଙ୍କୁ ଅପହରଣ କରି ତାଙ୍କ ପରିବାର ଲୋକଙ୍କୁ ଧମକ ଦେଇ ଟଙ୍କା ମାଗିଥିଲେ ଅପହରଣକାରୀ । ସେହି ଅପହରଣ ଓ ଧମକ ପରେ ଡମୁଙ୍କ ଭାଇ ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ବୋରିଗୁମ୍ମା ଏସଡିପିଓ ତପସ୍ୱିନୀ କଅଁର ଏକ ଟିମ୍ ଗଠନ କରି ଅନୁସନ୍ଧାନ ଆରମ୍ଭ କରିବା ଓ ଛାନଭିନ ପରେ ୪୮ ଘଣ୍ଟା ମଧ୍ୟରେ ଡମୁ ଭୂମିଆଙ୍କୁ ଉଦ୍ଧାର କରିଥିଲେ ପୋଲିସ୍ ।
ଯାହା ସୂଚନା ମିଳିଛି କି, ଅପହରଣ ପରଦିନ ଅନ୍ୟ ଏକ ଗାଡ଼ିରେ ଜୟପୁରର ଏକ ଏଟିଏମରେ ଡମୁଙ୍କ ଆକାଉଣ୍ଟରୁ ୩୫ ହଜାର ଟଙ୍କା ଉଠାଇ ଥିଲେ ଦୁର୍ବୁତ୍ତ । କଡା ନଜର ରଖିଥିବା ପୋଲିସ୍ ଟିମ୍ ସିସିଟିଭି ଯାଞ୍ଚ କରି ଦୁର୍ବୁତ୍ତଙ୍କ ନିକଟରେ ପହଁଚି ଗିରଫ କରିବାରେ ସଫଳ ହୋଇଥିଲା । ପୁରା ଘଟଣାରେ ୧୦ରୁ ଅଧିକ ବ୍ୟକ୍ତି ସାମିଲ ଥିବା ବେଳେ ୬ଜଣକୁ ଗିରଫ କରିଛି ବୋରିଗୁମ୍ମା ପୋଲିସ୍ । ଖୁବଶୀଘ୍ର ଅନ୍ୟ ମାନଙ୍କୁ ଧରାଯିବ ବୋଲି କହିଛି ପୋଲିସ୍ । ୬ଜଣଙ୍କ ସହ ଅପହରଣରେ ବ୍ୟବହାର ହୋଇଥିବା ଗୋଟିଏ ଲାଲ ରଙ୍ଗର ବୋଲେରୋ , ଗୋଟିଏ କାର୍, ମୋଟର ସାଇକେଲ, ଗୋଟିଏ ସ୍କୁଟି ସମେତ ୬ଟି ମୋବାଇଲ ଜବତ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ ପି ସୂଚନା ଦେଇଛନ୍ତି ।
ତେବେ ଯୁବକଙ୍କୁ ଆକ୍ରମଣ ପରେ ଅପହରଣ । ଘଟଣାରେ ସିସିଟିଭି ଯାଞ୍ଚ କରି ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହେଲା ପୋଲିସ୍ । ଏହି ଘଟଣାରେ ଗିରଫ ସମସ୍ତଙ୍କ ବିରୋଧରେ କଠୋରରୁ କଠୋର ଦଣ୍ଡ ବିଧାନ କରିବା ସହିତ ପୋଲିସ୍ ର କାର୍ଯ୍ୟଶୈଳୀକୁ ସଭିଏଁ ପ୍ରଶଂସା କରିଛନ୍ତି ।