ଆଗକୁ ଆସୁଛି ଦଶହରା: ଏଠି ଉଭୟ ହିନ୍ଦୁ ମୁସଲମାନ ମହିଳାମାନେ ଲାଗିପଡିଛନ୍ତି ଦେବାଦେବୀଙ୍କର ବସ୍ତ୍ର ଅଭୂଷଣ ତିଆରିରେ

ସାଲେପୁର(କେନ୍ୟୁଜ୍): ଆଗକୁ ଆସୁଛି ଦଶହରା। ଦେବୀ ଦୁର୍ଗାଙ୍କ ପୂଜା କରିବାର ଏକ ପବିତ୍ର ପର୍ବ। ସେଥିପାଇଁ ଏବେ ସଜେଇ ହେଲାଣି ପୂଜା ମଣ୍ଡପ। ଆଉ ତିଆରି ହେଲାଣି ଦେବୀ ଦୁର୍ଗାଙ୍କର ମୃଣ୍ମୟୀ ମୂର୍ତ୍ତି। ମାଆଙ୍କର ବସ୍ତ୍ର ଆଉ ଆଭୂଷଣ ସହ ପାର୍ଶ୍ବ ଦେବାଦେବୀଙ୍କର ମଧ୍ୟ ବସ୍ତ୍ର ଆଭୂଷଣ ତିଆରି ହେଲାଣି। ଆଉ ଦେବାଦେବୀଙ୍କର ଏହି ବସ୍ତ୍ର ଆଭୂଷଣ ତିଆରିରେ ସାମିଲ ହୋଇଛନ୍ତି ଉଭୟ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟର ମହିଳାମାନେ ।

ସିଲେଇ ମେସିନରେ ଚାଲିଛି ସିଲେଇ। କେଉଁଠି ଘାଗରା ତିଆରି ହେଉଛି ତ କେଉଁଠି ଅଣ୍ଟା ଫିତା, ଚାନ୍ଦୁଆ, ପାଥିଲି, ବଟ ଆଉ ପତାକା ତିଆରି ହେଉଛି ତ ପୁଣି କେଉଁଠି ଦେବବସ୍ତ୍ରରେ ଲେସ ଲଗାଯାଉଛି। ଆଉ କିଏ ପୁଣି କପଡା କାଟି ସେଥିରେ ବିଭିନ୍ନ ଡିଜାଇନ ପାଇଁ ଦାଗ ଦେଉଛନ୍ତି। ଏଠି ବର୍ଷ ସାରା ଏମିତି ଚାଲେ। ହେଲେ ପାର୍ବଣ ସମୟରେ ଏଠି କଥା କହିବାକୁ ବି କାହା ପାଖରେ ସମୟ ନଥାଏ। ଏମାନେ ସମସ୍ତେ  ମା ନିମଦେଇ ମହିଳା ସ୍‌ୱୟଂ ସହାୟକ ଗୋଷ୍ଠୀର ସଦସ୍ଯାମାନେ। ଉଭୟ ହିନ୍ଦୁ ମୁସଲମାନ ମହିଳା ମାନଙ୍କର ଗୋଷ୍ଠୀ ଇଏ। ଏଠି ସମସ୍ତେ ହିନ୍ଦୁ ଦେବାଦେବୀଙ୍କର ବସ୍ତ୍ର ଅଭୂଷଣ ତିଆରିରେ ମାହିର।

ଏମାନଙ୍କର ସାମଗ୍ରୀର ଚାହିଦା ଏବେ ପୂଜା ବଜାରରେ ସର୍ବାଗ୍ରେ। ସେଇଥିପାଇଁ ତ ଦିନରାତି ଏବେ ଚାଲିଛି କାମ। ପାଖପାଖି ୩୦ ବର୍ଷ ହେଲାଣି ଉଭୟ ସମ୍ପ୍ରଦାୟର ମହିଳାମାନେ ଏଠି ହିନ୍ଦୁଦେବାଦେବୀ ମାନଙ୍କ ପାଇଁ କାମ କରିଆସୁଛନ୍ତି। ସେମାନଙ୍କର ନିଷ୍ଠାପର ଉଦ୍ୟମ ଓ କଠୋର ପରିଶ୍ରମ ସେମାନଙ୍କୁ କେବଳ ପ୍ରଶଂସା ଦେଇନି ସେମାନଙ୍କୁ ଆର୍ଥିକ ଭାବରେ ବହୁ ସହାୟକ ହେବା ସହ ସ୍‌ୱାବଲମ୍ବୀ ମଧ୍ୟ କରିଛି।

 

Leave A Reply

Your email address will not be published.