ଅଧା ରାସ୍ତାରେ ସରିଗଲା ଜୀବନ ଯାତ୍ରା, ଏକାଠି ଆରପାରିକୁ ଚାଲିଗଲେ ମାଆ ପୁଅ

ଯାଜପୁର: ଶ୍ମସାନରେ ଜଳିଲା ଜୁଇ । ଗୋଟିଏ ନୁହେଁ ବରଂ ଦୁଇ ଦୁଇଟି ଜୁଇ । ତାହା ପୁଣି ମାଆ ପୁଅଙ୍କର । ମାଆ ପୁଅର ଅକାଳ ବିୟୋଗରେ ସଭିଏଁ ସ୍ତବ୍ଧ । ଆପଣଙ୍କ ଛାତି ଥରିଯିବ, ମନ ବି ଭାରି ବ୍ୟଥିତ ଲାଗିବ ଏହି ଘଟଣା ସମ୍ପର୍କରେ ଜାଣିଲେ । ପୁଅକୁ କେତେ ଭଲ ପାଉଥିଲା ମାଆ,ମାଆକୁ ବି କେତେ ଭଲପାଉଥିଲା ପୁଅ, ହେଲେ ଆଜି କେହି କାହା ପାଇଁ ଆଉ ନାହାନ୍ତି । ଦୁର୍ଘଟଣାରେ ଛାରଖାର ହୋଇଗଲା ପରିବାର ।

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆଖିବୁଜିଲେ ଉଭୟ ମାଆ ପୁଅ । ଏକାବେଳକେ ସାଙ୍ଗ ହୋଇ ଚାଲିଗଲେ ଆରପାରିକୁ । ଜାତୀୟ ରାଜପଥ ୧୬ ବଡ଼ଚଣା ଥାନା ଅଧୀନ ବନ୍ଦାଳ ନିକଟରେ ଘଟିଛି ଏହି ଦୁର୍ଘଟଣା । ବାଇକକୁ ଅଜଣା ଗାଡି ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ବାଇକରେ ଆସୁଥିବା ମାଆ ପୁଅଙ୍କ ମୃତ୍ୟୁ ହୋଇଛି ।

ମୃତକ ହେଲେ ଭଡଙ୍ଗା ଅଂଚଳର ସନ୍ଧ୍ୟାରାଣୀ ନାୟକ ଓ ଦିବ୍ୟକେଶରୀ ନାୟକ । ସୂଚନା ଅନୁଯାୟୀ ଭଡ଼ଙ୍ଗା ଅଂଚଳର ସନ୍ଧ୍ୟାରାଣୀ ଓ ତାଙ୍କ ପୁଅ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବାଇକରେ ଛତିଆ ଅଭିମୁଖେ ଯାଉଥିଲେ । ହେଲେ ଅଧାରେ ରହିଗଲା ଯାତ୍ରା । ପହଁଚି ପାରିଲେନି ବାହାଘର ଉତ୍ସବରେ । ଏକାଠି ମିଶିି ଆଉ ଖାଇପାରିଲେନି ଭୋଜି ।

ବାଇକରେ ଆସୁଥିବା ବେଳେ ବଡ଼ଚଣା ଥାନା ଅଧୀନ ବନ୍ଦାଳ ଛକ ନିକଟରେ ଜଗିବସିଥିଲା ଜମ । ଏକ ଅଜଣା ଗାଡି ଧକ୍କା ଦେଇଥିଲା ମାଆ ପୁଅ ଆସୁଥିବା ବାଇକଟିକୁ । ଯାହାଫଳରେ ଊଭୟ ତଳେ ଛିଟିକି ପଡିଥିଲେ । ଯାହାପରେ ଘଟଣାସ୍ଥଳରେ ହିଁ ମାଆ ପୁଅଙ୍କ ପ୍ରାଣବାୟୁ ଉଡିଯାଇଥିଲା ।

ଏନେଇ ଖବର ପାଇବାପରେ ଘଟଣାସ୍ଥଳରେ ବଡ଼ଚଣା ପୋଲିସ୍ ପହଂଚି ମୃତଦେହକୁ ଜବତ କରି ଶବ ବ୍ୟବଛେଦ ପାଇଁ ବଡ଼ଚଣା ମେଡିକାଲକୁ ପଠାଇ ଥିବାବେଳେ, ଘଟଣାର ଅଧିକ ତଦନ୍ତ ଚଳାଇଛି ପୋଲିସ୍ । ଏହି ଦୁଖଃଦ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

ତେବେ ଦର୍ଶକବନ୍ଧୁ ଏହିଭଳି ଘଟଣା ପ୍ରତିଦିନ ଆମ ଆଖପାଖରେ ଘଟୁଛି । ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢି ବଢି ଚାଲିଛି । ଏମିତି ଅନେକ ପରିବାର ଛାରଖାର ହୋଇଯାଉଛି ସାମାନ୍ୟ ଅସାବଧନତା ପାଇଁ । ତେଣୁ ଯଦି ଆପଣମାନେ କେଉଁଠିକି ଯାତ୍ରା କରୁଛନ୍ତି ତେବେ ସତର୍କ ହୋଇ ଗାଡି ଚଳାନ୍ତୁ । ନିଜେ ସୁରକ୍ଷୀତ ରୁହନ୍ତୁ ଅନ୍ୟର ଜୀବନକୁ ସୁରକ୍ଷା ଦିଅନ୍ତୁ । କାହିଁକିନା ଦ୍ରୁତ ଗତି ମହା ବିପତ୍ତି ।