ଜଳୁଛି ଓଡ଼ିଶା: ୪୪.୫ ଡିଗ୍ରୀ ସହ ପାଲଟିଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ବୌଦ୍ଧ

ଭୁବନେଶ୍ୱର (କେନ୍ୟୁଜ୍‌) : ବଢୁଛି ପାରଦ । ଜଳୁଛି ଓଡ଼ିଶା । ୪୪.୫ ଡିଗ୍ରୀ ସେଲସିୟସ ସହ ଆଜିର ସବୁଠୁ ଉତ୍ତପ୍ତ ସହର ରହିଛି ବୌଦ୍ଧ । ଝାରସୁଗୁଡା ୪୩.୯ ଓ ବଲାଙ୍ଗିରରେ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ ହୋଇଛି । ଆଜି ରାଜଧାନୀ ଭୁବନେଶ୍ୱରେ ୩୯.୬ ଏବଂ କଟକରେ ତାପମାତ୍ରା ୩୮.୮ ରହିଛି । ୨୨ଟି ସହରରେ ୪୦ ଡିଗ୍ରୀ ଉପରେ ରହିଛି ପାରଦ । ୧୪ ସ୍ଥାନରେ ୪୨ ଓ ୯ ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଛି । ୩୦ ଯାଏ ବିଭିନ୍ନ ଜିଲ୍ଲାକୁ ହିଟ୍‌ୱେଭ ୱାର୍ଣ୍ଣିଂ ଜାରି ହୋଇଛି । ଏପଟେ ତାତିକୁ ଦେଖି ରାଜ୍ୟର ବିଭିନ୍ନ ହସପିଟାଲରେ ବ୍ୟାପକ ବ୍ୟବସ୍ଥା ହୋଇଛି ।

ଆଗାମୀ ୪ ଦିନରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ୍‌ ଯାଏ ବଢ଼ିପାରେ । ଉପକୂଳ ଓଡ଼ିଶାରେ ବି ସାମାନ୍ୟ ଠାରୁ ୨ରୁ ୩ ଡିଗ୍ରୀ ବଢିବ ପାରଦ । ଆସନ୍ତାକାଲି ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ସୋନପୁର, ଅନୁଗୋଳ, ଦେବଗଡ ଓ ବଲାଙ୍ଗିର ଜିଲ୍ଲାକୁ ଗ୍ରୀଷ୍ମପ୍ରବାହ ନେଇ ସତର୍କ ସୂଚନା ଜାରି ହୋଇଛି । ୨୮ ଓ ୨୯ରେ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ସୋନପୁର, ଅନୁଗୋଳ, ଦେବଗଡ, ବୌଦ୍ଧ ଓ ବଲାଙ୍ଗିରକୁ ଏବଂ ୩୦ରେ ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର ଓ ଝାରସୁଗୁଡାକୁ ଜାରି ହୋଇଛି ହିଟେଓ୍ଵଭ୍‌ ଓ୍ଵାର୍ଣ୍ଣିଂ ।

ତାପମାତ୍ରା ବଢୁଥିବାରୁ ଲୋକଙ୍କୁ ସଚେତନ କରାଯାଉଛି । ଖରାବେଳେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ଖରା ସମୟରେ କାମ ବନ୍ଦ ରଖିବା । ପିଇବା ପାଣି, ଛତା ଓ ମୁଣ୍ଡରେ ଓଦା କପଡା ରଖିବା ଉପରେ ଗୁୁରୁତ୍ୱ ଦିଆଯାଇଛି । ରାଜ୍ୟର ସବୁ ମେଡିକାଲରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସମସ୍ତ ଔଷଧ ମହଜୁଦ ସହ ବେଡ୍‌ ରଖାଯାଇଛି । ହସ୍ପିଟାଲରେ ଏୟାର କୁଲର, ଫ୍ୟାନ ପ୍ରସ୍ତୁତ ଥିବା ଜନସ୍ୱାସ୍ଥ୍ୟ ନିର୍ଦେଶକ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.