ଡ୍ରେନ୍ରେ ଭାସିଯାଇ ନାବାଳକର ମୃତ୍ୟୁ ଘଟଣା: ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ସ୍ମାର୍ଟ ସିଟି ଭୁବନେଶ୍ବରରେ ମୁକୁଳା ଡ୍ରେନ ନେଉଛି ଜୀବନ । ସ୍ଥିତି ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ । ମୃତକଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି । ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସ୍ଥିତି ସମୀକ୍ଷା କରି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ BMC କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବ୍ୟାରିକେଡ କାହିଁକି ହୋଇନି ସେନେଇ ଜବାବ ତଲବ କରାଯାଇଛି। ରିପୋର୍ଟ ମିଳିବା ପରେ ୭ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ । ତିନି ଦିନ ମଧ୍ୟରେ ସମସ୍ତ ମୁକୁଳା ଡ୍ରେନ ଉପରେ ସ୍ଲାବ ପକାଯିବା ସହ ବ୍ୟାରିକେଡ କରାଯିବ । କେହି କାହାକୁ ଦୋଷ ଦେଇ ଖସିଯାଇପାରିବେନି। ଲୋକଙ୍କ ଜୀବନର ସୁରକ୍ଷା ନେବା ସରକାରଙ୍କ ଦାୟିତ୍ବ ବୋଲି କହିଛନ୍ତି ମନ୍ତ୍ରୀ ।
ସୂଚନା ଅନୁସାରେ ଲକ୍ଷ୍ମୀସାଗର ୟୁନିଟ-୩ ମସଜିଦ୍ କଲୋନୀର ଏସ୍କେ ରାଜେଶ୍ ଓ ତାଙ୍କ ସାଥୀମାନେ ଗତକାଲି ଅପରାହ୍ନରେ ମୁକୁଳା ଡ୍ରେନ୍ ପାଖରେ ଖେଳୁଥିଲେ । ପ୍ରାୟ ସାଢ଼େ ୨ଟାରେ ହଠାତ ପ୍ରବଳ ବର୍ଷା ହୋଇଥିଲା । ସେତିକି ବେଳେ କିଛି ବେଲୁନ୍ ମୁକୁଳା ଡ୍ରେନରେ ଭାସି ଭାସି ଯାଉଥିଲା । ସେହି ବେଲ୍ନକୁ ଆଣିବା ପାଇଁ ଏସ୍କେ ରାଜେଶ୍ ଓ ତାଙ୍କର କିଛି ସାଥୀମାନେ ଡ୍ରେନ୍କୁ ଯାଇଥିଲା । ବେଲୁନ୍ ଆଣୁଥିବା ବେଳେ ପ୍ରବଳ ବେଗରେ ଆସୁଥିବା ବର୍ଷା ପାଣିରେ ଭାସି ଯାଇଥିଲେ ଏସ୍କେ ରାଜେଶ୍ । ଖବର ପାଇଁ ଅଗ୍ନିଶମ କର୍ମଚାରୀମାନେ ମୁକୁଳା ଡ୍ରେନ୍ ପାଖରେ ପହଞ୍ଚି ଥିଲେ । ପିଲାକୁ ଉଦ୍ଧାର କରିବା ପାଇଁ ଯାଇଥିଲେ । ପ୍ରାୟ ଘଣ୍ଟାଏ ପରେ ଓଷ୍କାର ସିଟି ପାଖରେ ଥିବା ଡ୍ରେନ୍ ପାର୍ଶ୍ୱରୁ ଏସ୍କେ ରାଜେଶ୍ ଉଦ୍ଧାର କରାଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।