ପୁଅରୁ ହେଇଗଲେ ଝିଅ, ଅଜୟରୁ ବନିଗଲେ ରିଙ୍କି; କିନ୍ତୁ କାହିଁକି ଜାଣନ୍ତୁ

ଜଳେଶ୍ୱର : ଅଜୟରୁ ସେ ହେଇଗଲେ ରିଙ୍କି । ହଁ ଆଜ୍ଞା ଥିଲେ ପୁଅ,ହେଲେ ଝିଅ । ଦିଲ୍ଲୀର ଏକ ଘରୋଇ ହସପିଟାଲରେ ବିରଳ ଅସ୍ତ୍ରୋପଚାର ପରେ ଜଣେ ଯୁବକ ପାଇଛନ୍ତି ନୂଆ ପରିଚୟ ଏବଂ ନୂଆ ଅନୁଭବ । ଏହାକୁ ସାକାର କରିବା ଲାଗି କେତେକ ଆଇନଗତ ପ୍ରକ୍ରିୟା ଶେଷ କରିବା ପରେ ଚ୍ଯାଲେଞ୍ଜକୁ ହାତକୁ ନେଇଥିଲେ ଡାକ୍ତର । ସମାଜର ନାରୀ ମାନଙ୍କ ଉପରେ ହେଉଥିବା ଅତ୍ଯାଚାର ଏବଂ କନ୍ଯା ଭ୍ରୂଣ ହତ୍ଯାକୁ ରୋକିବା ସହ ଅବହେଳିତ ମହିଳାଙ୍କୁ ନ୍ଯାୟ ଦେବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ଯୁବକ ଜଣକ । ଆପଣ ଭାବୁଛନ୍ତି କି ଏହା ଅନ୍ୟ କେଉଁଠି ବୋଲି ନା ଆଜ୍ଞା ଏ ଖବର ଅନ୍ୟ କେଉଁଠି ନୁହେଁ ବରଂ ଆମରି ରାଜ୍ୟର ।

ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ଅନ୍ତର୍ଗତ ନମକାନା ଗ୍ରାମର ରବିନ୍ଦ୍ର ବାରିକଙ୍କ ତିନି ପୁଅଙ୍କ ମଧ୍ୟରୁ ମଝିଆଁ ପୂଅ ହେଉଛନ୍ତି ଅଜୟ ବାରିକ । ପାଠ ପଢା ଶେଷ ହେବା ପରେ କଲିକତାରେ ରହି ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ତେବେ ସମାଜରେ ମହିଳା ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ କନ୍ୟା ଭ୍ରୂଣ ହତ୍ୟାର ବୃଦ୍ଧି ତାଙ୍କ ମନକୁ ଭାରି ଆନ୍ଦୋଳିତ କରିଥିଲା । ସେ ନିଜେ ଜଣେ ପୁରୁଷ ହୋଇ ଥିଲେ ମଧ୍ୟ ନାରୀ ମାନଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାରକୁ ରୋକିବା ପାଇଁ ନିଜେ ଜଣେ ନାରୀ ହେବା ପାଇଁ ନିଷ୍ପତ୍ତି ନେଇଗଲେ ।

ଦେଶ ସ୍ବାଧୀନ ହେବାର ୭୮ ବର୍ଷ ପରେ ଆଜି ବି ନାରୀ ଅସୁରକ୍ଷିତ। ତେଣୁ ଆଜିର ସମାଜରେ ପୁଅ ଅପେକ୍ଷା ଝିଅ ଜନ୍ମ ହେଲେ ଲୋକଙ୍କ ମନରେ ଘୃଣା ଭାବ ଜାଗ୍ରତ ହେଉଛି । ମହିଳା ମାନଙ୍କ ଦୁଃଖ କଷ୍ଟ ଏବଂ ଯନ୍ତ୍ରଣାକୁ ଜଣେ ମହିଳା ହିଁ କେବଳ ବୁଝି ପାରିବ । ତେଣୁ ପୁଅରୁ ଝିଅ ହୋଇ ସମାଜ ପାଇଁ କିଛି ନୂଆ ବାର୍ତ୍ତା ଦେବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି ।

ନିଜ ପରିବାର ଲୋକଙ୍କ ସହମତି କ୍ରମେ ୨୦୨୨ ମସିହା ଡିସେମ୍ବର ମାସରେ ଦିଲ୍ଲୀ ସ୍ଥିତ ଓଲମେକ୍ ହସପିଟାଲର ଡାକ୍ତର ନରେନ୍ଦ୍ର କୌଶିକଙ୍କ ତତ୍ବାବଧାନରେ ଅସ୍ତ୍ରୋପଚାର କରାଇ ଥିଲେ ଅଜୟ । ସମସ୍ତ ପରୀକ୍ଷା ନିରିକ୍ଷା ପରେ ବିଶେଷଜ୍ଞ ଡାକ୍ତରୀ ଟିମଙ୍କ ଦ୍ବାରା ଅନେକ ପ୍ରକାର ସର୍ଜରୀ କରାଯିବା ସହ ପ୍ରାୟ ୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବା ପରେ ସେ ଅଜୟ ବାରିକରୁ ରିଙ୍କି ବାରିକର ପରିଚୟ ପାଇଥିଲେ । ସେବେଠାରୁ ସେ ବିଭିନ୍ନ ସଙ୍ଗଠନ ସହ ଜଡିତ ହୋଇ ନାରୀ ସଶକ୍ତିକରଣ ଏବଂ ସମାଜରେ ଅବହେଳିତ , ନିଷ୍ପେସିତ ନାରୀ ମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ କାର୍ଯ୍ୟ କରୁଛନ୍ତି । ଯେଉଁଥିରେ ସେ ନିଜକୁ ଗର୍ବିତ ଅନୁଭବ କରିବା ସହ ଆତ୍ମସନ୍ତୋଷ ପାଉଥିବା କହିଛନ୍ତି ।

ଏହାସହ ପରିବାର ଲୋକେ ମଧ୍ୟ ରିଙ୍କିଙ୍କ ଏଭଳି କାର୍ଯ୍ଯକୁ ବେଶ ପ୍ରଶଂସା କରିଛନ୍ତି । ସମାଜସେବା ସହ ସେ ଅବସର ସମୟରେ ସଙ୍ଗୀତ ଏବଂ ନୃତ୍ଯ ଶିକ୍ଷା ବି କରନ୍ତି । ଜଣେ ଝିଅ ପୁଅ ଠାରୁ କୌଣସି ଗୁଣରେ ବି କମ୍ ନୁହେଁ ତାହା ସେ ପୁଅରୁ ଝିଅ ହୋଇ ପ୍ରମାଣିତ କରି ଦେଖାଇଛନ୍ତି । ଏଭଳି ପଦକ୍ଷେପ ନେଇ ସେ କେବେ ବି ଲଜ୍ଯାବୋଧ କରିନଥିବା ବେଳେ ନିଜ ପାଇଁ ଗର୍ବିତ ଥିବା କହିଛନ୍ତି ।

ନାରୀ ମାନଙ୍କ ପାଇଁ ସାରା ବିଶ୍ବରେ ପାଳନ ହୋଇ ଥାଏ ଆନ୍ତର୍ଜାତୀୟ ମହିଳା ଦିବସ । ନାରୀ ସଶକ୍ତିକରଣ ପାଇଁ ସରକାର ଅନେକ ପଦକ୍ଷେପ ମଧ୍ୟ ଗ୍ରହଣ କରୁଛନ୍ତି । କିନ୍ତୁ ଆଜି ବି ନାରୀ ଅସୁରକ୍ଷିତ ଏବଂ ଅତ୍ୟାଚାରିତ । ତେଣୁ ନାରୀ ମାନଙ୍କ ପାଇଁ ଆଗେଇ ଆସିଥିବା ରିଙ୍କି ବାରିକଙ୍କ ପଦକ୍ଷେପ ସତରେ ବେଶ ପ୍ରଶଂସନୀୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like