ନିହାରିକାକୁ ହତ୍ୟା କରିଛି ପ୍ରେମିକ ରାଜା, ପୋଲିସ ଆଗରେ ମାନିଲା ସତ
ଜଗତସିଂହପୁର(କେନ୍ୟୁଜ୍): ଖୁନୀ ବୟଫ୍ରେଣ୍ଡ। ପ୍ରେମିକରୁ ସାଜିଲା ହତ୍ୟାକାରୀ। ଜଗତସିଂହପୁରରେ ନର୍ସ ନିହାରିକା ପାତ୍ରଙ୍କ ହତ୍ୟାକାରୀ। ନାଁ- କିଶୋର ଆଞ୍ଚଳ ଓରଫ୍ ରାଜା। ଗିରଫ ହେବା ପରେ ପୋଲିସ ଆଗରେ ଦୋଷ ମାନିଛି। ଯାହାକୁ ପ୍ରେମ କରୁଥିଲା, ତାକୁ ମାରି ଦେଲା। କାହିଁକି ଓ କିଭଳି ହତ୍ୟା କଲା ଗୋଟି ଗୋଟି କରି ପୋଲିସକୁ କହିଛି ରାଜା। କଟକରେ ହତ୍ୟା। ଜଗତସିଂହପୁର ଜିଲ୍ଲା ବିଲୁଆଖାଇ ନଦୀରେ ଫିଙ୍ଗିଥିଲା ମୃତଦେହ। ନିହାରିକାଙ୍କୁ ରାସ୍ତାରୁ ହଟାଇବା ପାଇଁ ରାଜା କରିଥିଲା ମର୍ଡର ପ୍ଲାନ୍। ସେପ୍ଟେମ୍ବର ୮ ତାରିଖ। ସମୟ ପାଖାପାଖି ୪ଟା ୫୫। ନର୍ସିଂ ହୋମ୍ରୁ ନିହାରିକାଙ୍କୁ ନିଜ ବାଇକରେ ବସାଇ ଚାଉଳିଆଗଞ୍ଜ ନେଇଥିଲା ରାଜା। ଅପର୍ଣ୍ଣାନଗରରେ ଥିବା ସାଙ୍ଗର ଭଡ଼ା ଘରେ ହତ୍ୟା କରିଥିଲା। ପରେ ବସ୍ତାରେ ମୃତଦେହକୁ ବାନ୍ଧି ନଦୀରେ ଫିଙ୍ଗି ଦେଇଥିଲା।
ରାଜା ମାନିଛି, ଏକାକୀ ସେ ନିହାରିକାଙ୍କୁ ହତ୍ୟା କରିଛି। ବିବାହକୁ ନେଇ ଦୁହିଁଙ୍କ ଭିତରେ ମନାନ୍ତର ଓ ମତାନ୍ତର ଲାଗି ରହିଥିଲା। ଏଥିପାଇଁ ସେ ସବୁଦିନ ପାଇଁ ନିହାରିକାଙ୍କୁ ରାସ୍ତାରୁ ହଟାଇବାକୁ ତିଆରି କରିଥିଲା ମର୍ଡର ପ୍ଲଟ୍। ପୋଲିସ ଜବତ କରିଛି ସିସିଟିଭି ଫୁଟେଜ୍, ଫୋରେନସିକ୍ ପ୍ରମାଣ। ନିହାରିକାଙ୍କୁ ଗଳା ଚିପି ହତ୍ୟା କରାଯାଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି। ଭିସେରା ରିପୋର୍ଟକୁ ଅପେକ୍ଷା ରହିଛି। ସେହିପରି କ୍ରାଇମ୍ ସିନ୍ ରିକନଷ୍ଟ୍ରକ୍ଟର ଡେମୋ ବି ଦେଖାଇଛି ରାଜା। ହତ୍ୟାକାଣ୍ଡରେ ବ୍ୟବହୃତ ମୋଟର ସାଇକେଲ୍, ହେଲମେଟ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଅଧିକ ଖୋଳତାଡ ପାଇଁ ରାଜାକୁ ରିମାଣ୍ଡରେ ଆଣିବ ପୋଲିସ।