ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କର ଅକାଳ ବିୟୋଗ

ଝାରସୁଗୁଡ଼ା (କେନ୍ୟୁଜ୍‌) : ଅଚାନକ ଚାଲିଗଲେ ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି । ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା । ସେ ଝାରସୁଗୁଡ଼ାରୁ ତିନି ଥର ବିଧାୟକ ଥିଲେ । ଆଜି ସନ୍ଧ୍ୟାରେ ତାଙ୍କୁ ହୃଦଘାତ ହୋଇଥିଲା ଏବଂ ସେଇଥିରେ ତାଙ୍କର ପରଲୋକ ହୋଇ ଯାଇଛି । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।

ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ଆକସ୍ମିକ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଦୁଃଖଦ ଖବରରେ ସେ ଗଭୀର ଭାବରେ ମର୍ମାହତ ହୋଇଛନ୍ତି । ସେ ଜଣେ ଜନପ୍ରିୟ ନେତା ଭାବରେ ଦଳମତ ନିର୍ବିଶେଷରେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ। ବାଚସ୍ପତି ଭାବେ ଉଚ୍ଚ ସଂସଦୀୟ ପରମ୍ପରା ବଜାୟ ରଖିବା ସହିତ ସବୁ ଦଳର ବିଧାୟକ ମାନଙ୍କ ସମ୍ମାନର ଅଧିକାରୀ ହୋଇପାରିଥିଲେ ।

ମନ୍ତ୍ରୀ ତଥା ବିଧାୟକ ଭାବରେ ଓଡିଶାର ବିକାଶ ପାଇଁ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି । ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବରେ ମଧ୍ୟ ସେ ଅନେକ ବିକାଶମୂଳକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ପଶ୍ଚିମ ଓଡିଶାରେ ବିଜୁ ଜନତା ଦଳର ସାଂଗଠନିକ କାର୍ଯ୍ୟକ୍ରମକୁ ଦୃଢ ନେତୃତ୍ବ ଦେଇଥିଲେ । ସେବା ଓ ପ୍ରତିବଦ୍ଧତା ତାଙ୍କ ବ୍ୟକ୍ତିତ୍ବର ଅନନ୍ୟ ଦିଗ ଥିଲା । ପରଲୋକଗତ ଆତ୍ମାର ସଦ୍ଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

୨୦୧୯ ବିଧାନସଭା ନିର୍ବାଚନରେ ବ୍ରଜରାଜନଗର ଆସନରୁ ଜିତି ବିଧାନସଭାକୁ ଆସିଥିଲେ । ୧୯୯୦ରେ ପ୍ରଥମ ଥର ଜନତା ଦଳ ଟିକେଟରେ ଝାରସୁଗୁଡ଼ାରୁ ବିଧାୟକ ହୋଇଥିଲେ । ପରେ ୨୦୦୦ରୁ ୨୦୦୯ ଯାଏ କ୍ରମାଗତ ଦୁଇଥର ଝାରସୁଗୁଡ଼ାରୁ ବିଜେଡି ଟିକେଟରେ ନିର୍ବାଚନ ଜିତି ଆସିଥିଲେ ବିଧାନସଭା । ୨୦୦୪ରୁ ୨୦୦୮ ଯାଏ ସରକାରୀ ଦଳ ମୁଖ୍ୟ ସଚେତକ ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ କିଶୋର ମହାନ୍ତି । ୨୦୦୮ ଅଗଷ୍ଟରୁ ୨୦୦୯ ମେ’ ଯାଏ ବିଧାନସଭାର ବାଚସ୍ପତି ଥିଲେ । ୨୦୦୯ରୁ ୨୦୧୨ ଯାଏ କିଶୋର ମହାନ୍ତି ଯାଇଥିଲେ ରାଜ୍ୟସଭା । ଏଥିସହ ସେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଥିଲେ ।

ପଶ୍ଚିମ ଓଡ଼ିଶାର ଜଣେ ଦକ୍ଷ ଓ ଟାଣୁଆ ନେତା ଥିଲେ କିଶୋର ମହାନ୍ତି । ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳି ଯାଇଛି । ବହୁ ରାଜନେତା ଶୋକ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.