ଦମକଳ କର୍ମଚାରୀଙ୍କ ସାହସିକତା, ଲୋକଙ୍କୁ ଉଦ୍ଧାର କରିବାକୁ ଯାଇ ନିଜେ ହେଲେ ଦୁର୍ଘଟଣାର ଶିକାର
ଦମକଳ ବାହିନୀ । ନାଁ ଯେମିତି କାମ ବି ସେମିତି । ଲୋକଙ୍କୁ ବିପଦରେ ଦେଖିଲେ ନିଜ ଜୀବନ କଥା କେବେ ଭାବନ୍ତିନି ଏମାନେ । ଦୁର୍ଘଟଣା ହେଉ କି କିଏ ପୋଖରୀ ବୁଡ଼ି ଯାଉଥିବାର ଖବର ହେଉ ସଙ୍ଗେ ସଙ୍ଗେ ନିଜ ଜୀବନକୁ ବାଜିରେ ଲଗାଇ ଏମାନେ ଘଟଣାସ୍ଥଳରେ ପହଞ୍ଚି ଯାଆନ୍ତି । ଆଉ ଆଜି ବି ଏହି ଦମକଳ ବାହିନୀ ଏମିତି କାମ କରିଛନ୍ତି ଯାହା ବିଷୟରେ ଜାଣିଲେ ଆପଣ ବି ଏମାନଙ୍କ ପ୍ରଶଂସା ନକରି ରହି ପାରିବେନି । ଦମକଳ ବାହିନୀର ଜଣେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରିବାକୁ ଯାଇଥିବାବେଳେ ନିଜେ ହୋଇଥିଲେ ଦୁର୍ଘଟଣାର ଶିକାର ।
ସେଦିନ ଥିଲା ମଙ୍ଗଳବାର । ରାତିରେ ଗଞ୍ଜାମ ଜିଲ୍ଲା ତପ୍ତପାଣି ରାସ୍ତାର ପାଳୁଖୋଳା ନିକଟରେ ଏକ କଣ୍ଟେନର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଖବର ପାଇ ସାନ ଖେମୁଣ୍ଡି ଦମକଳ ବାହିନୀ କର୍ମଚାରୀ ଏବଂ ପୋଡାମାରି ପୋଲିସ ଫାଣ୍ଡି ଷ୍ଟାଫ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପହଞ୍ଚିବା ପରେ ରାସ୍ତା ତଳକୁ ଖସି ଥିବା କଣ୍ଟେନର ନିକଟରେ ହେଲ୍ପର ଜଣକ ଛଟପଟ ହେଉଥିବା ଦେଖିବାକୁ ପାଇଥିଲେ ସମସ୍ତ କର୍ମଚାରୀ । ତାଙ୍କୁ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଥିଲା । ହରିୟାଣା ରୁ ବ୍ରହ୍ମପୁର ଅଭିମୁଖେ କପଡା ଧରି କଣ୍ଟେନର ଟି ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।
ପରେ ଜାଣିବାକୁ ପାଇଲେ କଣ୍ଟେନର ତଳେ ଡ୍ରାଇଭର ଚାପି ରହି ଯାଇଛନ୍ତି । ଦମକଳ ବାହିନୀର ଯାହା ସରଞ୍ଜାମ ରହିଛି ତାକୁ ବିନିଯୋଗ କରି ଡ୍ରାଇଭର ଉଦ୍ଧାର କରିବା କାର୍ଯ୍ୟ ଆରମ୍ଭ ହେଲା । ରାତି ବଢୁଥାଏ ଶୀତ ବି ବଢୁଥାଏ ଉଦ୍ଧାର କାର୍ଯ୍ୟ ବି ଚାଲିଥାଏ । ହଠାତ ଫାୟାର ଅଫିସର ଧୀରଜ ବିଧାରଙ୍କ ଚିତ୍କାର ଶୁଭିଲା । ଦେଖିଲା ବେଳକୁ ତାଙ୍କ ଆଙ୍ଗୁଠି କଟର ମଝିରେ ରହିଯାଇଛି । ଆଙ୍ଗୁଳିରୁ ଧାର ଧାର ହୋଇ ରକ୍ତ ସ୍ରାବ ହେଉଛି । କୌଶଳ କ୍ରମେ ଆଙ୍ଗୁଠିକୁ ବାହାର କରାଗଲା । କିନ୍ତୁ କାମ ଅଧା ଛାଡ଼ି ଡାକ୍ତରଖାନା ଗଲେନି ଅଧିକାରୀ । ପ୍ରଥମେ ଚାପି ହୋଇ ରହିଥିବା ଡ୍ରାଇଭରକୁ ଉଦ୍ଧାର କରିବା ପାଇଁ ଅନ୍ୟ କର୍ମଚାରୀଙ୍କୁ ସାହସ ଦେଲେ । ଦୀର୍ଘ ୬ ଘଣ୍ଟା ପରେ ଡ୍ରାଇଭରଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଗଲା । ପରେ ନିଜେ ଚିକିତ୍ସା ପାଇଁ ହସ୍ପିଟାଲ ଯାଇଥିଲେ ଫାୟାର ଅଫିସର ।