ସଫେଇ କର୍ମଚାରୀଙ୍କୁ ଚା’ ଫୋପାଡ଼ିଲେ ଜଳଖିଆ ଦୋକାନୀ, ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଯୁବକ

ବାଲିଗୁଡ଼ା: ସଫେଇ କର୍ମଚାରୀଙ୍କୁ ଆକ୍ରମଣ । ଗରମ ଚା’ ଓ ତେଲ ପକାଇ ଆକ୍ରମଣ କଲେ ଜଳଖିଆ ଦୋକାନୀ । ରାଗରେ ଉତ୍ତେଜିତ ହୋଇ ସଫେଇ କର୍ମଚାରୀଙ୍କୁ ଅସଭ୍ୟ କଥା କହିବା ସହ ଗରମ ଚା’ ଢାଳି ଦେଇଥିବା ଅଭିଯୋଗ ହୋଇଛି । ଯୁବକଙ୍କ ଉପରେ ଚା’ ଛାଟିବାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଅଳିଆକୁ ଡଷ୍ଟବିନରେ ପକାଇବାକୁ କହିବାରୁ ରାଗରେ ଉତକ୍ଷିପ୍ତ ହୋଇଥିଲେ ଜଳଖିଆ ଦୋକାନୀ । ଆଉ ଚାହୁଁ ଚାହୁଁ ସିଧା ସଫେଇ କର୍ମଚାରୀଙ୍କ ମୁହଁ ଉପରକୁ ଗରମ ଚା’ ଫୋପାଡ଼ିଥିଲେ । ଏଭଳି ଘଟଣା ପରେ ବାଲିଗୁଡା ଏନଏସିର କାର୍ଯ୍ୟରତ ସଫେଇ କର୍ମଚାରୀ ଥାନାର ଦ୍ୱାରସ୍ଥ ହୋଇଥିଲେ ।
ସୂଚନା ଅନୁସାରେ ସଫେଇ କର୍ମଚାରୀଙ୍କ ନାଁ ହେଉଛି ଆକାଶ ନାୟକ l ଆକାଶ ବାଲିଗୁଡା ମେଡିକାଲ ସାମ୍ନାରେ ଅଳିଆ ସଫା କରୁଥିବା ସମୟରେ ଜଳଖିଆ ଦୋକାନୀ ପ୍ରସନ୍ନ ସାବତ ଆବର୍ଜନା ତଳେ ପକାଉଥିଲେ l ତେବେ ଅଳିଆ ତଳେ ନପକେଇ ଡଷ୍ଟବିନରେ ପକେଇବାକୁ ସଫେଇ କର୍ମଚାରୀ ଜଣକ ଜଳଖିଆ ଦୋକାନୀକୁ କହିଥିଲେ l ଏଥିରେ ଉତ୍ୟକ୍ତ ହୋଇ ଜଳଖିଆ ଦୋକାନୀ ଆକାଶଙ୍କ ଉପରେ ଗରମ ଚା’ ଓ ତେଲ ଫିଙ୍ଗି ଦେଇଥିଲେ l ମୁହଁରେ ଚା’ ପଡ଼ିବାରୁ ଆହତ ହୋଇଥିଲେ ଆକାଶ । ସଙ୍ଗେ ସଙ୍ଗେ ସାଥି କର୍ମଚାରୀ ବାଲିଗୁଡା ମେଡିକାଲରେ ଆକାଶଙ୍କ ପ୍ରାଥମିକ ଚିକିତ୍ସା କରେଇଥିଲେ । କିନ୍ତୁ ଆକାଶଙ୍କ ସହ ହୋଇଥିବା ଦୁବ୍ୟର୍ବହାର ପାଇଁ ସାଥି କର୍ମଚାରୀମାନେ ସମୂହ ସଫେଇ କାର୍ଯ୍ୟକୁ ବନ୍ଦ ରଖିଥିଲେ l ଜଳଖିଆ ଦୋକାନୀ ଏମିତି ଗରମ ତେଲ ଓ ଚା’ ଫିଙ୍ଗିଥିବା ନେଇ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଆକାଶ l
ଆକାଶ ନିଜ କାମ କରୁଥିବାବେଳେ ଜଳଖିଆ ଦୋକାନୀଙ୍କ ଏପରି ବ୍ୟବହାର ନିହାତି ଭାବେ ଲଜ୍ଜାଜନକ । ଆକାଶଙ୍କ ପ୍ରତି ହୋଇଥିବା ଅନ୍ୟାୟର ଉଚିତ୍ ତଦନ୍ତ କରାଯାଇ ତାଙ୍କୁ ନ୍ୟାୟ ମିଳୁ ବୋଲି ସାଥି କର୍ମଚାରୀ ଦାବି କରିଛନ୍ତି । ଦର୍ଶକ ବନ୍ଧୁ ଏମାନେ ହେଉଛନ୍ତି ଗରିବ ଲୋକ । ଖଟିଲେ ପେଟକୁ ଦି ମୁଠା ଦାନା ଯୋଗାଡ଼ କରନ୍ତି । ଏମାନଙ୍କ ପାଇଁ ଆମ ପରିବେଶ ସଫା ସୁତୁରା ରହୁଛି କିନ୍ତୁ କିଛି ଲୋକଙ୍କ ଅତ୍ୟାଚାରର ଶିକାର ହେଉଛନ୍ତି ଏମାନେ । ତେଣୁ ଆକାଶଙ୍କ ନ୍ୟାୟ ମିଳୁ ତାହା ହିଁ ସମସ୍ତଙ୍କ ଦାବି ।
Baligudaରୁ Gopinath