ଲାଞ୍ଚ ନଦେଲେ ମିଳୁନି ନିଯୁକ୍ତି, ଏଏନ୍‌ଏମଙ୍କ ଜରିଆରେ ହେଉଛି ଟଙ୍କା କାରବାର

ମୟୂରଭଞ୍ଜ : ଲାଞ୍ଚ ଦେଲେ ମିଳୁଛି ନିଯୁକ୍ତି । ଏଏନ୍‌ଏମଙ୍କ ଜରିଆରେ ହେଉଛି ଟଙ୍କା କାରବାର । ଏଭଳି ଅଭିଯୋଗ ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଳା ବଡସାହିର ନୟାବ୍ରଜନନ୍ଦପୁର ଗାଁରେ । ଏହି ଅଭିଯୋଗରେ ଏଏନ୍‌ଏମ୍‌ ଓ ଆଶା ଦିଦିଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ । ନିଜ ଗାଁର ମହିଳାଙ୍କୁ ନିଯୁକ୍ତି ନଦେଇ ବାହାର ଗାଁରୁ ମହିଳାଙ୍କୁ ଲାଞ୍ଚ ନେଇ ନିଯୁକ୍ତି ଦିଆଯାଉଥିବା ଅଭିଯୋଗ କରିଛନ୍ତି ଲୋକେ । ଏଠାରେ ପୂର୍ବରୁ ଥିବା ଜଣେ ଆଶା ଦିଦି କାର୍ଯ୍ୟରୁ ଅବସର ନେଇନଥିଲେ ମଧ୍ୟ ଅନ୍ୟ ଜଣେ ଆଶା ଦିଦିିଙ୍କୁ ନିଯୁକ୍ତି ଦିଆଯାଇଛି । ଯାହାକୁ ବିରୋଧ କରିଛନ୍ତି ଲୋକେ ।

ଅଙ୍ଗନଓ୍ଵାଡ଼ି ସେଣ୍ଟରରେ କେନ୍ଦୁଆ ପଞ୍ଚାୟତ ରଙ୍ଗିଭୋଳ ଗାଁର କାଜଲ ମାରାଣ୍ଡିଙ୍କୁ ଆଶା ଦିଦି ଭାବେ ନିଯୁକ୍ତି ଦିଆଯାଇଛି । ହେଲେ ଏନେଇ ଗାଁରୁ ଆଶାୟୀ ମାନେ ଫର୍ମ ପକାଇଥିଲେ । ହେଲେ ସେମାନଙ୍କୁ ନିଯୁକ୍ତି ଦିଆନଯାଇ କାଜଲଙ୍କୁ କାହିଁକି ଦିଆଗଲା ସେନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି । ସେପଟେ ନିଯୁକ୍ତି ବ୍ଲକ ସ୍ତରରେ କରା ଯାଇଥିବାବେଳେ ଲାଞ୍ଚ ମଗା ଘଟଣାକୁ ଖଣ୍ଡନ କରିଛନ୍ତି ସଂପୃକ୍ତ ଏଏନ୍‌ଏମ ଦିଦି । ଘଟଣାର ଉଚିତ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଗ୍ରାମବାସୀ ।