ଉଦଳା: କେଡେ ସୁନ୍ଦର ଦେଖାଯାଉଥିଲେ ସଧବା ବେଶରେ । ଦିନେ ବଧୂ ସାଜି ସ୍ୱାମୀଙ୍କ ହାତରୁ ମଥାରେ ସିନ୍ଦୁର ନାଇ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିଥିଲେ । ସ୍ୱାମୀଙ୍କ ହାତରେ ହାତ ରଖି ଆସିଥିଲେ ଶାଶୁ ଘର । ଭଗବାନଙ୍କ କୃପାରୁ ପୁତ୍ର ସନ୍ତାନଟିଏ ବି ହେଲା । କିନ୍ତୁ ଭାଗ୍ୟର ବିଡମ୍ବନା ବାହାଘରର କେଇଟା ବର୍ଷ ଭିତରେ ଏବେ କୋକେଇ ଉଠିଛି ତାଙ୍କର ।
ସାହି ଭାଇ ସଭିଏଁ ରୁଣ୍ଡ ହୋଇଛନ୍ତି । ପ୍ରକୃତ ଘଟଣା କଣ ଜାଣିବାକୁ ସମସ୍ତଙ୍କ ଇଚ୍ଛା । ଏପଟେ ନିଜ ମା’କୁ ହରାଇ ସ୍ତବ୍ଧ କୁନି ପୁଅଟି । ପୋଲିସ୍ ବାବୁଙ୍କ ପାଖରେ ଠିଆ ହୋଇଛି । ଭାବୁଛି କଣ ହେଇଗଲା ଏମିତି? କଣ ସତରେ ମୋ ମା’ ମତେ ଆଉ ପୁଅ ବୋଲି ଢାକିବନି । ଏବେ ମୁଁ ଏତେ ବଡ ଦୁନିଆରେ କେମିତି ବଞ୍ଚିବି? କାହାକୁ ଆଉ ମା’ ବୋଲି ଡାକିବ । ମୋ ପେଟର ଭୋକ ଜାଣି କିଏ ମତେ ଭଲ ମନ୍ଦ ଖୁଆଇବ । ଏଭଳି ଅନେକ କିଛି ଚିନ୍ତା କରୁଥିବ ଛୁଆଟି । ଏପଟେ ମା’କୁ ମାରିଥିବା ଅଭିଯୋଗରେ ତା ବାପା ଆସି ଥାନାରେ ।
ତେବେ ଘଟଣା କଣ ଆସନ୍ତୁ ଜାଣିବା? ଶାଶୁ ଘରୁ ଉଦ୍ଧାର ହୋଇଛି ମହିଳାଙ୍କ ମରଶରୀର । ବଧୂହତ୍ୟା ଅଭିଯୋଗ ଆଣିଛନ୍ତି ମହିଳାଙ୍କ ପରିବାର ଲୋକେ । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ମାଠିଆଭଙ୍ଗା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ହେଲେ ଆରତୀ ସେଠୀ । ତାଙ୍କୁ ଶାଶୁଘର ଲୋକ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି ।
ଖବର ମୁତାବକ, ପୂର୍ବରୁ ପରିବାରିରେ କଳହ ଯୋଗୁ କିଛି ଦିନ ତଳେ ଆରତୀ ବାପଘର ଆସି ରହୁଥିଲେ । ହେଲେ ଗତକାଲି ଶାଶୁଘରେ ଆରତୀଙ୍କ ମୃତଦେହ ଦେଖିବାକୁ ମିଳିଛି । ଶାଶୁଘର ଲୋକ ଝିଅକୁ ବାରମ୍ବାର ନିର୍ଯାତନା ଦେବା ସହ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ମୃତ ଆରତୀଙ୍କ ପରିବାର ଲୋକେ । ଏପଟେ ଅଭିଯୋଗ ପରେ ଘଟଣାସ୍ଥଳରେ ପହଁଚି ତଦନ୍ତ କରୁଛି ପୋଲିସ୍ । ମୃତକଙ୍କ ସ୍ଵାମୀ, ଶାଶୁ ଓ ନଣନ୍ଦଙ୍କୁ ଅଟକ ରଖି ପଚରାଉଚରା ଚାଲିଛି । ଅପରପଟେ ସ୍ଵାମୀ ସବୁ ଅଭିଯୋଗକୁ ଖଣ୍ଡନ କରିବା ସହିତ ଆରତୀ ନିଜର ଜୀବନ ନିଜେ ନେଇଥିବା କଥା କହିଛନ୍ତି ।
ତେବେ ପ୍ରତିଦିନ ବଧୂ ହତ୍ୟାକୁ ନେଇ ଅନେକ ଅଭିଯୋଗ ସାମ୍ନାକୁ ଆସୁଛି । ଏମିତି ଅନେକ ନିରୀହ ଜୀବନ ଅକାଳରେ ଚାଲିଯାଉଛି । କାହାକୁ ହତ୍ୟା କରିବା ହେଉ କି, କେହି ଘରୋଇ କଳହକୁ ସହିନପାରି ନିଜର ଜୀବନ ନିଜେ ହାରିବା ହେଉ, କଣ କେବଳ ମାରିଦବଟା କି ନିଜେ ମରିବାଟା ସମାଧାନ? ତେବେ ଏହି ଘଟଣାକୁ ଗୁରୁତ୍ଵର ସହ ନେଇ ଉଚିତ୍ ତଦନ୍ତ କରାଯିବା ସହ ଆରତୀଙ୍କ ମୃତ୍ୟୁର ପ୍ରକୃତ କାରଣ କଣ ଖୋଜି ବାହାର କରିବା ସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।