ହଠାତ ଦବିଗଲା ପୋଲ…ଫାଟିଗଲା ରାସ୍ତା, ଗଛଡ଼ାଳ ପୋତି ବିପଦ ସଂକେତ ଦେଲେ ସ୍ଥାନୀୟ ଲୋକେ

ହଠାତ ଦବିଗଲା ପୋଲ । କଂକ୍ରିଟ ଖଣ୍ଡ ଭାଙ୍ଗି ତଳକୁ ଖସି ପଡିବା ସହ ଫାଟିଗଲା ରାସ୍ତା । ରାସ୍ତାରେ ଯାଉଥିବା ଲୋକ ଜୀବନ ବିକଳେ ଧାଇଁଲେ । ଏବେ ସେହି ରାସ୍ତାଦେଇ ଯିବାକୁ ଡରୁଛନ୍ତି ଲୋକେ । ଫଳରେ ଗମନାଗମନ ବାଧାପ୍ରାପ୍ତ ହୋଇଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପାଟପୁର ପଞ୍ଚାୟତରେ । ପଞ୍ଚାୟତର ଖରିପଡିଆ ଗାଁ ନିକଟରେ ଥିବା ପୋଲର ଏକ ବଡ଼ ଅଂଶ ଭାଙ୍ଗି ଯାଇଛି। ଫଳରେ ଆଖପାଖ ପଞ୍ଚାୟତର ଲୋକଙ୍କ ଯାତାୟତରେ ସମସ୍ୟା ସୃଷ୍ଟି ହୋଇଛି ।
ସ୍ଥାନୀୟ ଲୋକେ ଏହି ରାସ୍ତାରେ ଗଛ ଡାଳ ପୋତି ବିପଦ ସଂକେତ ଦେଇଛନ୍ତି । ଏହା ଜଣାପଡିବା ପରେ ଏହି ବିପଦସଂକୁଳ ପୋଲ ଉପରେ ଟ୍ରକ, ଟ୍ରାକ୍ଟର ଆଦି ଗାଡି ମୋଟର ଚଳାଚଳ ବନ୍ଦ ରଖାଯାଇଛି। ସୂଚନା ମୁତାବକ, ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୦ବର୍ଷ ପୂର୍ବେ ଅଚ୍ୟୁତପୁର-ବଡ଼ବାରିସାହି ରାସ୍ତାର ଖରିପଡିଆ ଗାଁ ନିକଟରେ ଏହି ପୋଲ ନିର୍ମାଣ କରାଯାଇଥିଲା। ଏହି ରାସ୍ତାରେ ଓଭରଲୋଡ଼ ହୋଇ ହାଇୱା, ଟ୍ରକ, ଟିପ୍ପର ଆଦି ଗାଡ଼ିରେ କଳାପଥର, ବାଲି, ମାଟି, ଇଟା ଆଦି ବୋଝେଇ ହୋଇ ପରିବହନ ହୋଇଥାଏ। ଏହାକୁ ସ୍ଥାନୀୟ ଅଞ୍ଚଳବାସୀ ବିରୋଧ କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିଲେ।
ପ୍ରତ୍ୟେକ ଦିନ ଶତାଧିକ ଭାରୀଯାନ ଏହି ପୋଲ ଉପରେ ଯାତାୟତ କରିବାରୁ ପୋଲଟି ଭାଙ୍ଗି ଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହି ରାସ୍ତା ଉପରେ ପାଟପୁର, ମିର୍ଜାପୁର, ପଟୁଣିଆ ଆଦି ପଞ୍ଚାୟତର ହଜାର ହଜାର ଲୋକେ ନିର୍ଭରଶୀଳ। ତେବେ କୌଣସି ଅଘଟଣ ଘଟିବା ପୂର୍ବରୁ ତୁରନ୍ତ ପୋଲର ମରାମତି ହେଉ ଅବା ନୂତନ ପୋଲ ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
Also read:ବିବାହର କେଇ ଘଣ୍ଟାରେ ସୀମାକୁ ଫେରିଲେ ବୀର ସୈନିକ, ଘରେ ଅପେକ୍ଷାରେ ନବବଧୂ