ଲୋକଙ୍କ ଗମନାଗମନ ନିମନ୍ତେ ଖୋଲା ଯାଉନାହିଁ ବ୍ରିଜ୍, ସମସ୍ୟା ଭୋଗୁଛନ୍ତି ଲୋକେ

ଯାଜପୁର: ଏ ହେଉଛି ଯାଜପୁର ଜିଲ୍ଲା ଦେଇ ଯାଇଥିବା ୨୦ ନଂ ଜାତୀୟ ରାଜପଥର ଦୃଶ୍ୟ । ଦେଖନ୍ତୁ କିଭଳି ଖାଲ ଖମା ଓ ଧୂଳିରେ ପରିପୂର୍ଣ୍ଣ ଏହି ରାସ୍ତା ଉପରେ ବିପଦପୂର୍ଣ୍ଣ ଅବସ୍ଥାରେ ଯାତାୟାତ କରୁଛି ଯାତ୍ରୀ । ୨୦ ନଂ ଜାତୀୟ ରାଜପଥର ବେଣାପୁର ନିକଟରେ ଏପରି ପରିସ୍ଥିତି ଉପୁଜିଛି । ତତ୍କାଳୀନ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀଙ୍କ ଉଦ୍ୟମକ୍ରମେ ଗତ ୨୦୨୩ ମସିହା ଫେବୃଆରୀ ମାସରେ ଏଠାରେ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ତେବେ ଚୁକ୍ତି ମୁତାବକ ଦୀର୍ଘଦିନ ହେବ ଏହି ବ୍ରିଜର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ହୋଇପାରି ନାହିଁ । ତେଣୁ ବ୍ରିଜର ସଂଯୋଗୀକରଣ ରାସ୍ତାରେ ଯାନବାହାନ ଚଳାଚଳ କରୁଛି । ଏଠାରେ ଗୋଟିଏ ବର୍ଷ ମଧ୍ୟରେ ୧୦ ରୁ ଉର୍ଦ୍ଧ ଲୋକଙ୍କ ଜୀବନ ମଧ୍ୟ ଗଲାଣି । ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହେବାସହ ପ୍ରବଳ ମାତ୍ରାରେ ଧୁଳି ଉଡୁଛି । ଏହି ରାସ୍ତା ଦେଇ ଦୈନିକ କଳିଙ୍ଗନଗର ଶିଳ୍ପାଞ୍ଚଳ ସମେତ ଦେଶର ବିଭିନ୍ନ ସ୍ଥାନକୁ ଯାଉଥିବା ଭାରୀ ଯାନ ଏବଂ ସ୍ଥାନୀୟ ଜନସାଧାରଣ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି । ଏହା ସହିତ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ ସ୍ଥାନୀୟ ଲୋକେ ଓ ଯାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ବ୍ରିଜ୍ ର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ କଣ ପାଇଁ ଏହା ସାଧାରଣ ଲୋକଙ୍କ ଗମନାଗମନ ନିମନ୍ତେ ଖୋଲା ଯାଉନାହିଁ, ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜାତୀୟ ରାଜପଥରେ ଏପରି ଦୂରାବସ୍ଥା କୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏହି ରାସ୍ତା ଦେଇ ପ୍ରତିଦିନ ସରକାରୀ ଅଧିକାରୀମାନେ ଯାତାୟାତ କରୁଥିଲେ ମଧ୍ୟ କେହି ଏନେଇ ପାଟି ଖୋଲୁ ନାହାନ୍ତି । ବିଶେଷକରି ଯାଜପୁର ଜିଲ୍ଲା ପ୍ରଶାସନ ଏନେଇ କୈାଣସି କଡ଼ା ଆଭିମୁଖ୍ୟ ନ ନେବାକୁ ନେଇ ସାଧାରଣରେ ଜିଲ୍ଲା ପ୍ରଶାସନ ଉପରେ ଆଙ୍ଗୁଳି ଉଠୁଛି ।

ତେବେ ଏହି ରାସ୍ତା ସମସ୍ୟା ନେଇ ଟୁଇଟ୍ ମାଧ୍ୟମରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବିଜେଡ଼ି ନେତା ଭବପ୍ରସାଦ ଦାସ । ଖୁବଶୀଘ୍ର ଏହି ଓଭରବ୍ରିଜ୍ କୁ ସର୍ବସାଧାରଣଙ୍କ ପାଇଁ ଖୋଲାଯିବାକୁ ସାଧାରଣରେ ଦାବି ହୋଇଛି । ସେପଟେ ଏନେଇ ଜିଲ୍ଲା ପ୍ରଶାସନ କିମ୍ବା ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।