ମେଧାବୀ ଛାତ୍ର ହୋଇ ବି ମିଳୁନି ଚାକିରି, ସାର୍ଟିଫିକେଟ୍ ବିକ୍ରି ପାଇଁ ସୋସିଆଲ ମିଡିଆର ସାହାରା ନେଲେ ବିଶ୍ବନାଥ

ନବରଙ୍ଗପୁର(କେନ୍ୟୁଜ୍): ଚାକିରି ନପାଇ ଅତିଷ୍ଠ ହୋଇ ନିଜ ସାର୍ଟିଫିକେଟ୍ ବିକ୍ରି ପାଇଁ ସୋସିଆଲ ମିଡିଆର ସାହାରା ନେଲେ ମେଧାବୀ ଛାତ୍ର ବିଶ୍ବନାଥ । ଶିକ୍ଷକତା କରିବା ପାଇଁ ସମସ୍ତ ପ୍ରକାର ଯୋଗ୍ୟତା ହାସଲ ପରେ ମଧ୍ୟ ଚାକିରି ନ ପାଇ ଚିନ୍ତାରେ ଦିନ କାଟୁଛନ୍ତି ବିଶ୍ବନାଥ । ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ବିଶ୍ବନାଥଙ୍କ ସାଟିଫିକେଟ୍ ବିକ୍ରି ବିଜ୍ଞାପନ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ ।

ପିଲାଟି ଦିନରୁ ଶିକ୍ଷକତା କରିବା ଆଶା ଓ ସ୍ବପ୍ନ ନେଇ ନବରଙ୍ଗପୁର ସହର ଈଚ୍ଛାବତୀଗୁଡ଼ା ର ବିଜୟକେତନ ବଡ଼ନାୟକଙ୍କ ପୁଅ ବିଶ୍ବନାଥ ବଡନାୟକ +୨ ପରେ ଉମରକୋଟ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ରରୁ ୨୦୧୭ ରେ ପ୍ରଶିକ୍ଷଣ ନେବା ସହ ୨୦୧୬ ରେ ଓଟିଈଟି ପରିକ୍ଷାରେ ମଧ୍ୟ ପାସ୍ ହୋଇଥିଲେ ଏବଂ ପରେ +୩ ମଧ୍ୟ ଉତ୍ତିର୍ଣ୍ଣ ହୋଇଥିଲେ ।

ଭାବିଥିଲେ ଶିକ୍ଷକତା କରି ନିଜ ଭବିଷ୍ଯତ ଗଡ଼ିବେ । କିନ୍ତୁ ଆଶା ଖାଲି ଆଶାରେ ହିଁ ରହିଗଲା । କାରଣ ଦୀର୍ଘ ୫ ବର୍ଷ ଧରି ସରକାର କୌଣସି ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ବିଜ୍ଞାପନ ବାହାର ନ କରିବାରୁ ବହୁ ପ୍ରଶିକ୍ଷଣ ପ୍ରାପ୍ତ ଛାତ୍ରଛାତ୍ରୀ ବେକାର ହୋଇ ବୁଲୁଛନ୍ତି ଏବଂ ନିଯୁକ୍ତି ପାଇଁ ବାରମ୍ବାର ଆନ୍ଦୋଳନ ସହ ରାଜରାସ୍ତାକୁ ଓହ୍ଲାଉଛନ୍ତି । କିନ୍ତୁ ସରକାର କୌଣସି ଚାକିରି ବ୍ୟବସ୍ଥା ନ କରିବାରୁ ନିଜର କୌଣସି ରୋଜଗାର ନଥିବାରୁ ବାଧ୍ୟ ହୋଇ ଶିକ୍ଷକ ପ୍ରଶିକ୍ଷଣ ସାର୍ଟିଫିକେଟ୍ ଏବଂ ଓଟିଈଟି ପାସ୍ ସାର୍ଟିଫିକେଟ୍ ଏକ ଲକ୍ଷ ଟଙ୍କା ଲେଖାଏଁ ଦରରେ ବିକ୍ରି କରିବାକୁ ସାମାଜିକ ଗଣ ମାଧ୍ୟମରେ ନିବେଦନ କରିଥିବା କହିଛନ୍ତି ବିଶ୍ବନାଥ । ଏବେ ବିଶ୍ବନାଥଙ୍କ ସାର୍ଟିଫିକେଟ୍ ବିକ୍ରି ବିଜ୍ଞାପନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.