ବ୍ରିଟେନ କିଙ୍ଗ ଚାର୍ଲସଙ୍କ ଅଛି ଓଡ଼ିଶା ସହ ସମ୍ପର୍କ, ୧୯୮୦ ମସିହାରେ ଆସିଥିଲେ ପୁରୀ

କେନ୍ୟୁଜ୍(ବ୍ୟୁରୋ):ବ୍ରିଟେନରେ ନୂଆ ଯୁଗ। ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଦେହାନ୍ତ ପରେ, ମହାରାଜ ହୋଇଛନ୍ତି କିଙ୍ଗ ଚାର୍ଲସ-ତୃତୀୟ। ଏହାପରେ ପ୍ରିନ୍‌ସ ଚାର୍ଲସରୁ ତାଙ୍କର ହିଜ୍‌ ମାଜେଷ୍ଟି ଦ’ କିଙ୍ଗର ଯାତ୍ରାକୁ ନେଇ ଏବେ ସବୁଠି ଚର୍ଚ୍ଚା। ୭୩ ବର୍ଷ ବୟସରେ ମହାରାଜ ହୋଇଛନ୍ତି ଚାର୍ଲସ । ମହାରାଣୀ ଏଲିଜାବେଥ୍‌ ତିନି ଥର ଭାରତ ଆସିଥିଲେ। କିଙ୍ଗ ଚାର୍ଲସ ମଧ୍ୟ ବହୁ ଥର ଭାରତ ଆସିଛନ୍ତି। ତାଙ୍କର ଭାରତ ଗସ୍ତ ସମୟରେ ସେ ଥରେ ଓଡ଼ିଶା ମଧ୍ୟ ଆସିଛନ୍ତି।  ଓଡ଼ିଶା ଗସ୍ତରେ କେବେ ଆସିଥିଲେ ପ୍ରିନ୍ସ ଚାର୍ଲସ। ଯଦି ଆସିଥିଲେ କେଉଁଠିକୁ ବୁଲିବାକୁ ଯାଇଥିଲେ। ଏହାର ଉତ୍ତର ଖୋଜିବାକୁ ଆମେ ପହଞ୍ଚିଥିଲୁ ପିପିଲି ନିକଟ ହରିପୁର ଗାଁରେ।

୧୯୮୦ ମସିହା। ଓଡ଼ିଶା ଆସିଥିଲେ ପ୍ରିନ୍‌ସ ଚାର୍ଲସ। ସେତେବେଳେ ତାଙ୍କ ବୟସ ଥିଲା ୩୨ ବର୍ଷ। ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ। ରାଜ୍ୟପାଳ ଥିଲେ ସି ଏମ୍‌ ପୁନାଚା। ସେହି ଗସ୍ତବେଳେ ରାଜଭବନରେ ରହିଥିଲେ ଚାର୍ଲସ। ଏହାସହ ପୁରୀ ଜିଲ୍ଲା ହରିପୁର ଗାଁକୁ ବୁଲିବାକୁ ଯାଇଥିଲେ। ସେତେବେଳର ଜିଲ୍ଲାପାଳ ଓ ପୋଲିସ ଅଧିକାରୀଙ୍କ ସହ ଗାଁକୁ ଯାଇଥିଲେ। ଆଜି ଭଳିଆ ପକ୍କା ରାସ୍ତା କି ପକ୍କା ଘର ଗାଁରେ ନଥିଲା। ପୋଲିସ ଛାଉଣୀରେ ଗାଁ ବୁଲିଥିଲେ ପ୍ରିନ୍ସ ଚାର୍ଲସ। ଗାଁରେ ପଇଡ ପିଇଥିଲେ। କେବଳ ସେତିକି ନୁହଁ ନଡିଆ କେମିତି ତୋଳା ଯାଏ ତାହା ମଧ୍ୟ ଦେଖିଥିଲେ। ଟୋକେଇ ବୁଣିବା, ବେଙ୍ଗଳା ପଡିବା ଆଦି ବୁଲି ଦେଖିଥିଲେ ଚାର୍ଲସ। ସେ ସମୟର କଥା ଆଜି ବି ଗାଁ ଲୋକଙ୍କ ମନରେ ରହିଛି। ଚାର୍ଲସଙ୍କ ଓଡ଼ିଶା ଗସ୍ତର ୪୨ ପରେ ବ୍ରିଟେନର ରାଜା ହୋଇଛନ୍ତି। ଏ ସମୟରେ ହରିପୁର ଗାଁ ଲୋକଙ୍କ ମନରେ ମଳିନ ପଡିଯାଉଥିବା ସେଦିନର ସ୍ମୃତି ପୁଣି ସତେଜ ହୋଇଉଠିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.