କଟକ : ଦଲାଲଙ୍କ ଜରିଆରେ ରକ୍ତ ଯୋଗାଡ଼ କରୁଥିଲେ ସାବଧାନ । ଅଧିକ ଅର୍ଥ ଦେବେ, କିନ୍ତୁ ଠିକ୍ ଗ୍ରୁପର ରକ୍ତ ମିଳିବ ନାହିଁ । ଟିକେ ଅସାବଧାନ ହେଲେ ଯାଇପାରେ ରୋଗୀଙ୍କ ଜୀବନ । ଟଙ୍କା ନେଇ ଭୁଲ୍ ଗ୍ରୁପର ପ୍ଲେଟଲେଟ୍ ଯୋଗାଇ ଥିବା ଜଣେ ରକ୍ତ ଦଲାଲକୁ ଗିରଫ କରିଛି କଟକ ସଦର ଥାନା ପୋଲିସ । ସେଣ୍ଟ୍ରାଲ ରେଡ କ୍ରସ୍ ରକ୍ତ ଭଣ୍ଡାରରୁ ପଜିଟିଭ ଗ୍ରୁପର ପ୍ଲେଟଲେଟ୍ ଆଣି ଦେଇଥିଲା ଅଭିଯୁକ୍ତ । କିନ୍ତୁ ରୋଗୀଙ୍କ ନେଗେଟିଭ ଗ୍ରୁପ ଆବଶ୍ୟକ ଥିଲା ।
ଏହା ପରେ ପ୍ୟାକେଟ ଉପରେ ନିଜେ ହାତରେ ପଜିଟିଭ ଲେଖାକୁ ଲିଭାଇ ନେଗେଟିଭ ଲେଖି ଦେଇ ଥିଲା। ଥାନାରେ ଲିଖିତ ଅଭିଯୋଗ ପରେ ଅଜୟ କୁମାର ନାୟକ ନାମକ ଏହି ରକ୍ତ ଦଲାଲଙ୍କୁ ଗିରଫ କରିଛି କଟକ ସଦର ଥାନା ପୋଲିସ । ସେଣ୍ଟ୍ରାଲ ରେଡ କ୍ରସ ରକ୍ତ ଭଣ୍ଡାରରୁ ୬ ୟୁନିଟ ବ୍ଲଡ଼ ପ୍ଲେଟଲେଟ୍ ଯୋଗାଇ ଦେବା ନାଁରେ ସେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଆର୍ଥିକ ଶୋଷଣ କରିଥିଲା । ୫ ହଜାର ଟଙ୍କାରେ ବିକ୍ରି କରିଥିଲା ପ୍ଲେଟଲେଟ । ଦଲାଲମାନେ ଏକାବେଳେ ୬ ୟୁନିଟ ପ୍ଲେଟ ଲେଟ୍ କିଭଳି ରକ୍ତ ଭଣ୍ଡାରରୁ ପାଇ ପାରୁଛନ୍ତି ତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଦିଗକୁ ମଧ୍ୟ ତଦନ୍ତ ପରିସରକୁ ନିଆଯିବ ବୋଲି ଅତିରିକ୍ତ ଡିସିପି କହିଛନ୍ତି ।