ଦାଦନ ଖଟାଇବାକୁ ନେଇ ଗୋଡ଼ କାଟିଦେଲା ଦଲାଲ, ଅନ୍ଧାରରେ ରଶ୍ମିଙ୍କ ଜୀବନ

ଅସହାୟ ସ୍ୱାମୀଙ୍କୁ ସାହାଯ୍ୟ କରିବା ପାଇଁ ସ୍ତ୍ରୀ ଦାଦନ ଖଟିବା ପାଇଁ ଯାଇଥିଲେ କିନ୍ତୁ ସ୍ୱାମୀଙ୍କୁ ସାହାଯ୍ୟ କରିବା ବଦଳରେ ନିଜେ ଏବେ ଅସହାୟ । ଦଲାଲର ନିର୍ଯ୍ୟାତନାରେ ନିର୍ଯ୍ୟାତିତ ରଶ୍ମି ଏବେ ନିଜ ଗୋଡ଼ ହରାଇ ଅସହାୟ ହୋଇ ପଡିଛନ୍ତି । ଏଭଳି ଘଟଣା ଘଟିଛି ଗଜପତି ଜ଼ିଲ୍ଲା ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ଆଲିଗଣ୍ଡା ଗାଁରେ । ଏହି ଗାଁର ଆକବର ବର୍ଦ୍ଧନଙ୍କୁ ୨୦୧୪ ମସିହାରେ ବିବାହ କରିଥିଲେ ମୋହନା ଥାନା ସାନଖଣି ଗାଁର ରଶ୍ମି ବର୍ଦ୍ଧନ । ବିବାହ ପରେ ଦାଦନ ଖଟିବାକୁ ଆକବର କେରଳ ଯାଇଥିଲେ କିନ୍ତୁ ଶରୀର ଅସୁସ୍ଥ ଯୋଗୁଁ ଗତବର୍ଷ ସେ ନିଜ ଗାଁକୁ ଫେରି ଆସିଥିଲେ ।
ପରିବାର ଚଳାଇବା ପାଇଁ ସମସ୍ୟା ହେବା ଯୋଗୁଁ ଆକବରଙ୍କ ସ୍ତ୍ରୀ ରଶ୍ମି ବର୍ଦ୍ଧନ ନିଜର ଦୁଇ ଛୁଆ ଏବଂ ସ୍ୱାମୀଙ୍କୁ ଛାଡି ଗତ ୨୦୨୩ ଡିସେମ୍ବର ୧୪ରେ ଦାଦନ ଖଟିବା ପାଇଁ ଗାଁର ଜଣେ ଦଲାଲ ବିଳାସ ନାୟକଙ୍କ ସହ ମୁମ୍ବାଇ ଯାଇଥିଲେ । ସେଠାରେ ଭିନ୍ନ ଭିନ୍ନ ସ୍ଥାନରେ ସେ ଶ୍ରମିକ ଭାବେ କାର୍ଯ୍ୟ କରିଥିଲେ । ସେଠାରେ କିଛି ମାସ ରହି କାର୍ଯ୍ୟ କରିବା ପରେ ୧୦ ଜାନୁୟାରୀ ୨୦୨୪ରେ ଦଲାଲ ବିଳାସ ରଶ୍ମିଙ୍କୁ ନେଇ ନିଜ ଭଡା ଘରେ ରଖିବା ସହ ନିଶା ଦେଇ ତାଙ୍କ ସହ ଦୁଷ୍କର୍ମ କରିଥିଲା । ରଶ୍ମି ଏହାକୁ ପ୍ରତିବାଦ କରିବାରୁ ୧୬ ଜାନୁୟାରୀ ୨୦୨୪ରେ ବିଳାସ ରଶ୍ମିଙ୍କୁ ମାଡ଼ ମାରିବା ସହ ଷ୍ଟେସନ ନେଇ ଗାଁକୁ ପଠାଇବା ପାଇଁ ଉଦ୍ୟମ କରିଥିଲା । କିନ୍ତୁ କୌଣସି ମତେ ରଶ୍ମି ସେଠାରୁ ଖସିଯାଇ ମୁମ୍ବାଇର ସନ୍ତାକ୍ଳଜ୍ ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ । ଥାନାରୁ ଷ୍ଟେସନ ଆସି ନିଜ ଗାଁକୁ ଫେରିବା ପାଇଁ ଚେଷ୍ଟା କରୁଥିବା ବେଳେ ଦଲାଲ ବିଳାସ ନିଜର କିଛି ସହଯୋଗୀଙ୍କ ସହାୟତାରେ ରଶ୍ମିଙ୍କୁ ଆକ୍ରମଣ କରିବା ସହ ତାଙ୍କ ବାମ ଗୋଡ଼କୁ କାଟିଦେଇଥିଲା ।
ମୁର୍ମୁଷ ଅବସ୍ଥାରେ ମୁମ୍ବାଇର ଗ୍ରେସ୍ ଫାଉଣ୍ଡେସନର ସଦସ୍ୟମାନେ ରଶ୍ମିଙ୍କୁ ଉଦ୍ଧାର କରି ସାଇନ ଅଞ୍ଚଳରେ ଥିବା ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ଦୀର୍ଘଦିନ ଧରି କୋମାରେ ରହିବା ପରେ ଅଗଷ୍ଟ ୨୦୨୪ରେ ରଶ୍ମିଙ୍କ ଚେତା ଫେରିଥିଲା । ପରେ ୨୯ ଅଗଷ୍ଟ ୨୦୨୪ରେ ଗ୍ରେସ୍ ଫାଉଣ୍ଡେସନର ସଦସ୍ୟମାନେ ରଶ୍ମିଙ୍କୁ ଆଣି ଆଲିଗଣ୍ଡାରେ ଛାଡିବା ପରେ ସମସ୍ତ ଘଟଣା ଉପରୁ ପରଦା ହଟିଥିଲା ।
ଏନେଇ ଗତ କାଲି ଅର୍ଥାତ ୨୬ ସେପ୍ଟେମ୍ବରରେ ପୀଡିତା ରଶ୍ମିଙ୍କ ପରିବାର ପକ୍ଷରୁ ଅଡବା ଥାନାରେ ଅଭିଯୋଗ କରାଯାଇଛି । ଅନ୍ୟପଟେ ଦଲାଲ ବିଳାସ ନାୟକ ଆଲିଗଣ୍ଡା ଗାଁରେ ରହି ପୀଡିତାଙ୍କ ପରିବାରକୁ ଧମକ ଦେଉଥିବା ଅଭିଯୋଗ ହୋଇଛି । ରଶ୍ମି ଏବଂ ତାଙ୍କ ପରିବାରକୁ ଆବଶ୍ୟକୀୟ ସରକାରୀ ସହାୟତା ସହ ଆଇନ ଗତ ପ୍ରକିୟାରେ ସହଯୋଗ କରାଯିବା ବୋଲି କହିଛନ୍ତି ବିଡିଓ ରାଜୀବ ଦାସ । ପରିବାର ଚଳାଇବାରେ ସ୍ୱାମୀଙ୍କୁ ସହାୟତା କରିବା ପାଇଁ ଦାଦନ ଖଟିବାକୁ ଯାଇଥିବା ରଶ୍ମିଙ୍କ ଜୀବନ ଏବେ ଅନ୍ଧାର ହୋଇପଡିଛି । ସେମାନଙ୍କ ପାଇଁ ଏକ ମାତ୍ର ଭରସା ସରକାରୀ ସହାୟତା । ପରିବାର ଚଳାଇବା ପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ କରୁଛନ୍ତି ରଶ୍ମି ଓ ତାଙ୍କ ସ୍ୱାମୀ । ଯଦି ତାଙ୍କୁ ନ୍ୟାୟ ମିଳନ୍ତା ତେବେ ଏ ପରିବାରର ଦୁଃଖ ଯାଆନ୍ତା ।