ବଣାଇ: ଭାଇ, ଭଉଣୀର ସମ୍ପର୍କ ସ୍ନେହ, ପ୍ରେମ, ଶ୍ରଦ୍ଧା, ଓ ସମ୍ମାନର ସମ୍ପର୍କ । ଏହି ପବିତ୍ର ସମ୍ପର୍କ ସଂସାରର ସବୁଠାରୁ ସ୍ନେହଭରା । ହେଲେ ପବିତ୍ର ସମ୍ପର୍କରେ ଲାଗିଛି ପାପର ଛିଟା । ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ଅବୈଧ ପ୍ରେମ ସମ୍ପର୍କ । ଆଉ ଯେତେବେଳେ ଜୀବନ ରକ୍ଷା କରୁଥିବା ଭାଇ ଭକ୍ଷକ ସାଜି ଭଉଣୀର ଜୀବନ ନେବାକୁ ଚେଷ୍ଟା କଲା, ସେତେବେଳେ ଯାଇ ଏପରି ନିଷିଦ୍ଧ ସମ୍ପର୍କ ପଦାକୁ ଆସିଲା ।
ସୁନ୍ଦରଗଡ ଜିଲ୍ଲାରେ ଘଟିଛି ଏପରି ଏକ ଘଟଣା ଯାହା ସଭ୍ୟ ସମାଜକୁ ଲଜ୍ଜିତ କରିଛି ଆଜ୍ଞା । ଘଟଣାର ପର୍ଦ୍ଦାଫାଶ୍ ହେଲା ଯେତେବେଳେ ବଣାଇ ଥାନା ଅନ୍ତର୍ଗତ ବାସୁଡ଼ିହି ଜଙ୍ଗଲରୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର ହେଲା ଜଣେ ନାବାଳିକା । ଆଉ ଉଦ୍ଧାର ପରେ ଜଣାପଡିଲା ନାବାଳିଟି ୬ ମାସର ଗର୍ଭବତୀ । ଯାହାର ଏବେବି ରାଉରକେଲା ଡାକ୍ତରଖାନାରେ ଚିକିତ୍ସା ଚାଲିଛି ।
ସୂଚନା ମୁତାବକ, ଗତ ୬ ତାରିଖରେ ବାପ ଛେଉଣ୍ଡ ୧୬ ବର୍ଷୀୟା ନାବାଳିକା ନିଜ ଘରୁ କୁଆଡେ ପଳାଇଥିଲା । ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ କିନ୍ତୁ ପାଇନଥିଲେ । ତା ପରଦିନ ଅର୍ଥାତ୍ ୭ ତାରିଖ ସନ୍ଧ୍ୟା ସମୟରେ କିଛି ଗ୍ରାମବାସୀ ଜଙ୍ଗଲରେ ମୁର୍ମୁଷ ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରିଥିଲେ । ଏହାପରେ ପରିବାର ଲୋକେ ଖବର ପାଇ ବଣାଇ ଚିକିତ୍ସାଳୟକୁ ନାବାଳିକାକୁ ଚିକିତ୍ସା ପାଇଁ ଆଣିଥିଲେ କିନ୍ତୁ ଗୁରୁତର ଅବସ୍ଥା ଥିବାରୁ ରାଉରକେଲା ଜେପି ହସ୍ପିଟାଲରେକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଜଣାପଡିଥିଲା ନାବାଳିକା ଜଣକ ୬ମାସର ଗର୍ଭବତୀ । ଏନେଇ ଜାଣିବା ପରେ ବଣାଇ ଥାନାକୁ ଯାଇ ଦାଦା ପୁଅ ଭାଇ ଏତଲା ଦେଇଥିଲେ ।
ଯାହା ସୂଚନା ମିଳିଛି ଯେ, ମାମୁଁ ପୁଅ ଭାଇ ନାବାଳିକାଙ୍କୁ ଗର୍ଭବତୀ କରିଛି । ତଦନ୍ତ ପରେ ଜଣାପଡିଲା ମାମୁଁ ପୁଅ ଭାଇ ଶିବ ଭୂମିଜର ଧର୍ମପତ୍ନୀ କିଛି ମାସ ପୂର୍ବେ ମୃତ୍ୟୁବରଣ କରିଥିଲା । ତାର ଦୁଇ ବର୍ଷର ପୁଅ ମଧ୍ୟ ଅଛି । ତେବେ ଯାହାର ଫାଇଦା ନେଇ ପ୍ରଥମେ ନାବାଳିକା ଭଉଣୀକୁ ପ୍ରେମ ଜାଲରେ ଫସାଇ ତାକୁ ଗର୍ଭ କରିଥିଲା ଶିବ । କିନ୍ତୁ ଶିବର ବିବାହ କରିବା ଇଚ୍ଛା ନଥିଲା । ଯାହାଫଳରେ ସେ ନାବାଳିକାକୁ ଷଡଯନ୍ତ୍ର କରି ଘରୁ ପଳାଇ ଆସିବାକୁ ପ୍ରବର୍ତ୍ତାଇଥିଲା । ତାକୁ ଜଙ୍ଗଲକୁ ଡାକି ନେଇ ଜୀବନ ନେବାକୁ ଉଦ୍ୟମ କରିଥିଲା ।
ହେଲେ କଥାରେ ଅଛି ରଖେ ହରି ତ ମାରେ କିଏ । ସେହି ସମୟରେ ନାବାଳିକା ଅଚେତ ହୋଇପଡିଯିବାରୁ, ଶିବ ଭାବିଥିଲା ତାର ମୃତ୍ୟୁ ହୋଇଯାଇଛି । ତେଣୁ ଜଙ୍ଗଲରେ ନାବାଳିକାକୁ ଛାଡି ଗାଁରୁ ଫେରାର ହୋଇଯାଇଥିଲା । ଏନେଇ ପୋଲିସ୍ ଖବର ପାଇ ତଦନ୍ତ କରି ସବୁ ଘଟଣା ଜାଣିବାକୁ ପାଇଥିଲା । ବହୁତ ଖୋଜା ଖୋଜି ପରେ ଦୀର୍ଘ ପରେ ଶିବକୁ ଧରିବାରେ ସଫଳ ହୋଇଛି । ଧରାପଡିବା ପରେ ଗତକାଲି ଶିବକୁ କୋର୍ଟ ଚାଲାଣ କରାଯାଇଛି । କିନ୍ତୁ ଏବେବି ନାବାଳିକାର ଅବସ୍ଥା ଭଲ ନଥିବା ନେଇ ସୂଚନା ଦେଇଛନ୍ତି ବଣାଇ ଏସଡିପିଓ ସ୍ୱରାଜ ଦେବତା ।
ରକ୍ଷକ ସାଜିଲା ଭକ୍ଷକ । ଯେଉଁ ଭାଇ ସମୟ ପଡିଲେ ଭଉଣୀର ସୁରକ୍ଷା କବଚ ପାଲଟିଥାଏ ସେହି ଭାଇ ନିଜ ସ୍ୱାର୍ଥ ପାଇଁ ଜୀବନ ନେବାକୁ ଆଗେଇ ଆସିଲା । ଏଭଳି ଭାଇକୁ ଯେତେ ଦଣ୍ଡ ଦେଲେ ବି କମ୍ ହେବ ।