ଭଉଣୀ ବାହାଘର ପାଇଁ କିଡନୀ ବିକି ଦେଲେ, ଏବେ କେବିନ ଭିତରେ ରହୁଛନ୍ତି ପ୍ରଭାସ

ଭୁବନେଶ୍ୱର (କେନ୍ୟୁଜ୍‌) : ଚାରିଆଡ଼େ ଲକ୍ ଡାଉନ୍ । ତା ସାଙ୍ଗକୁ ସପ୍ତାହାନ୍ତ ସଟ୍‌ଡାଉନ୍‌ । ଏଇ ସମୟରେ ଆମେ ରାଜଧାନୀ ଭୁବନେଶ୍ୱର ସହରର ଗଳି କନ୍ଦିରେ ବୁଲି ବୁଲି ନଜର କରୁଥାଉ କେମିତି ପାଳନ ହେଉଛି କଟକଣା । ଏହି ସମୟେ ଆଖି ପଡିଥିଲା ଜଣେ ବ୍ୟକ୍ତିଙ୍କ ଉପରେ । ଯାହାଙ୍କର ଯୁବକ ବୟସ ଟିକେ ଢଳି ଯାଇଛି । ଛୋଟିଆ, ଭଙ୍ଗା ଦଦରା କେବିନ୍‌୍ଟିର ଭିତରକୁ ଯାଉଥାନ୍ତି । ପୁଣି ବାହାରକୁ ଆସି ବାସନ କୁସନ ବାଜି ଦେଉଥାନ୍ତି । ବାଲଟି ଧରି ପାଖ ମନ୍ଦିର ପାଇପ୍‌ରୁ ପାଣି ଆଣି ପୁଣି କେବିନ୍ ଭିତରକୁ ପଶି ଗଲେ । ପାଖରେ ଥିବା ଲୋକମାନଙ୍କୁ କିଛି ମାଗିଲେ ବଢ଼ାଇ ଦେଉଥାନ୍ତି । ତଳେ ପଡିଥିବା କାଗଜ ଅଳିଆ ଆବର୍ଜ୍ଜନାକୁ ସେହି ଛୋଟ ବାଲ୍ଟିରେ ତୋଳି ନେଉଥାନ୍ତି।

ଆମେ ଅନୁମାନ କରି ଯାଇ ପହଞ୍ଚିଲୁ ତାଙ୍କ ପାଖରେ । ଦେଖିଲୁ କେବିନ୍‌ଟି ଭିତରେ ଶୋଇବା ଶେଯ ତକିଆ ପଡ଼ିଛି। ପ୍ୟାଣ୍ଟ୍ ସାର୍ଟ ଓହଳା ହୋଇଛି। ଅନ୍ୟ ପାଖରେ ଅଣ୍ଡା, ଚକଲେଟ୍, ବିସ୍କୁଟ ଆଦି ଥୁଆ ହୋଇଥାଏ। ଆମ ଭିତରେ କୌତୁହଳ ସୃଷ୍ଟି ହେଲା । ଚାରିଆଡ଼େ ଲକ୍ ଡାଉନ୍, କେହି କୁଆଡେ ନାହାଁନ୍ତି ଅଥଚ ଏ ବ୍ୟକ୍ତି ଜଣଙ୍କ ଭଙ୍ଗା କେବିନଟି ଭିତରେ କଣ କରୁଛନ୍ତି ? ଆମ ମନ ଅନ୍ୟ କିଛି ଭାବୁଥିଲା, ତଥାପି ପଚାରିଲୁ ଏଠି କଣ କରୁଛନ୍ତି ବୋଲି । ଟିକେ ଆତ୍ମୀୟତା ଦେଖାଇଲୁ ତାଙ୍କ ହାବଭାବ ଦେଖି । ହେଲେ ଦର୍ଶକ ବନ୍ଧୁ ସେ ଯାହା କହିଲେ ତାଙ୍କ କଥା ଶୁଣି ଆମ ପାଦ ତଳୁ ମାଟି ଖସି ଗଲା ଭଳି ଲାଗିଲା । ଟିକିଏ କଥା ହେଲା ପରେ ତାଙ୍କର ଆଖିରେ ଲୁହ ଆସିଗଲା । ମନ ତଳର କୋହକୁ ଚାପି ରଖି ପାରିଲେ ନାହିଁ। ଭୋ ଭୋ ହୋଇ କାନ୍ଦି କାନ୍ଦି ପକାଇଲେ ।

ଭଦ୍ରକ ଜିଲ୍ଲା ଆଖଣ୍ଡଳମଣି ପୀଠ ଆରଡ଼ି ପାଖ ଗାଁରେ ତାଙ୍କ ଘର । ନାଁ, ପ୍ରଭାସ କୁମାର ନାଥ । ଛୁଆଟି ବେଳୁ ବାପା ନାହାନ୍ତି । ନିଜ ଚେଷ୍ଟାରେ BA ଯାଏ ପଢ଼ିଲେ। ତାପରେ ରୋଜଗାର ପାଇଁ ବାହରକୁ ଯାଇ ଚେଷ୍ଟା କଲେ। ଆଉ ତା ପରେ ଭୁବନେଶ୍ୱର ଚାଲି ଆସିଲେ । ଏଠି ସେଠି ରହି କାମ କରୁଥିଲେ। କିନ୍ତୁ ଭଉଣୀ ବାହାଘର ପାଇଁ ଆବଶ୍ୟକ ଟଙ୍କା ଯୋଗାଡ଼ କରି ପାରିଲେ ନାହିଁ । ଶେଷରେ ଏକ ଘରୋଇ ହସ୍ପିଟାଲରେ ନିଜର କିଡନ ଅନ୍ୟ ଜଣଙ୍କୁ ଦାନ କଲେ ପ୍ରଭାସ । ତା ବଦଳରେ ଯାହା କିଛି ଟଙ୍କା ମିଳିଲା ସେଥିରେ ଭଉଣୀ ବାହାଘର କରିଥିଲେ। କିଛି ଟଙ୍କା ବଳିଥିଲା । ସେଥିରେ ଏହି କେବିନ୍‌ଟି କରି ଚା,ବିସ୍କୁଟ, ଚକଲେଟ୍ ରଖି ବିକ୍ରି କରନ୍ତି । ଯାହା ରୋଜଗାର ହୁଏ ସେଥିରେ ପରିବାର ଚଳେ । ଗାଁ ଘରେ ସ୍ତ୍ରୀ ଏବଂ ଛୋଟ ଛୋଟ ଝିଅ ଦୁଇଟି । ତାଙ୍କୁ ଦିବେଳା ଦିମୁଠା ଠିକ୍ ରେ ଦେବା ବି କଷ୍ଟକର ହୋଇ ପଡୁଛି ।

ପୂର୍ବରୁ ଭୁବନେଶ୍ୱରରେ ଭଡ଼ା ଘର ନେଇ ରହୁଥିଲେ। କିନ୍ତୁ ଆଉ ଭଡା ଦେବା ତାଙ୍କ ପକ୍ଷେ ସମ୍ଭବ ହେଲା ନାହିଁ । ତେଣୁ ଅନେକ ବର୍ଷ ହେଲାଣି ଏହି କେବିନ୍ ହିଁ ପାଲଟିଛି ପ୍ରଭାସଙ୍କ ଠିକଣା । ବିନା ବିଜୁଳିରେ, ବିନା ଫ୍ୟାନରେ କେବିନ୍ ଭିତରେ ଖାଆନ୍ତି, ଶୁଅନ୍ତି ଆଉ ବେପାର ବି କରନ୍ତି । ଡ୍ରେନ୍ ଉପରେ ପଡ଼ିଛି ଏହି କେବିନ୍‌ଟି । ଡ୍ରେନ୍‌ ପାଣି ଗନ୍ଧ ସହ ସେ ଅଭ୍ୟସ୍ତ ହୋଇଗଲେଣି । ମଶା ମାଛି ତାଙ୍କର ସହଚର ହୋଇ ଯାଇଛନ୍ତି । ଖରା, ବର୍ଷା,ଶୀତ ସହିତ ସଂଘର୍ଷ କରି ବଂଚିଛନ୍ତି। ନା କାହାର ସହାୟତା ପାଇଁ ହାତ ପତାଇଛନ୍ତି ନା ଏ ସବୁ କଷ୍ଟ ଯନ୍ତ୍ରଣା ଆଗରେ ଭାଙ୍ଗି ପଡିଛନ୍ତି। କେବଳ ଭଗବାନଙ୍କୁ ଭରସା କରି ଚାଲିଛନ୍ତି। ସ୍ୱାଭିମାନୀ ମଣିଷଟିଏ । ସେହି ସ୍ୱାଭିମାନରେ ଜୀଇବାକୁ ଚାହିଁଛନ୍ତି, ଚେଷ୍ଟା ବି କରୁଛନ୍ତି ପ୍ରଭାସ । ଏମିତି ବ୍ୟକ୍ତିଙ୍କୁ କଣ ଆମେ ସହାୟତା ଦେବା ପାଇଁ ଆଗଭର ହେବା ଉଚିତ ନୁହେଁ କି ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.