ଘଷିପୁରା : ଅନ୍ଧବିଶ୍ୱାସ ଉପରେ ଭରସା କରି କିଛି ଲୋକ ଅପରାଧ କରିବାକୁ ପଛାଉ ନାହାନ୍ତି । ଅନ୍ଧବିଶ୍ୱାସର ମାନସିକତା ନେଇ ଗୁଣିଗାରେଡ଼ି କରି ଡାହାଣୀ ସନ୍ଦେହରେ ଭାଉଜକୁ ଟାଙ୍ଗିଆରେ ହାଣି ହତ୍ୟା କଲା ଦିଅର । ବାରମ୍ବାର ଏଭଳି ଘଟଣା ଥମିବାର ନାଁ ଧରୁନାହିଁ । ଘଷିପୁରା ଥାନା ଖାଲପାଳ ପଞ୍ଚାୟତ ପାତନା ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା । ଗୁଣି କରି ନିଜ ଭାଉଜର ଜୀବନକୁ ସବୁଦିନ ପାଇଁ ଲିଭାଇ ଦେଇଛି ଦିଅର । ହତ୍ୟା ପରେ ଦୈତାରୀ ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ଗଙ୍ଗା ମୁର୍ମୁ । ମୃତକ ହେଉଛନ୍ତି ସିଦ୍ଧ ମୁର୍ମୁଙ୍କ ପତ୍ନୀ ସୀତା । କିଛି ଦିନ ତଳେ ଅଭିଯୁକ୍ତ ଗଙ୍ଗାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା ।
ଏହା ସହ ଛୁଆଙ୍କ ଦେହ ମଧ୍ୟ ଖରାପ ହେଉଥିଲା । ଏଥିରେ ଭାଉଜ ସୀତା ଗୁଣି ଗାରେଡି ଓ ଡାହାଣୀ କରୁଥିବା ନେଇ ସନ୍ଦେହ କରିଥିଲା ଅଭିଯୁକ୍ତ । ଆଜି ଘରେ କେହି ନଥିବାରୁ ଭାଉଜ ସୀତାକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ଗଙ୍ଗା। ଘଷିପୁରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।