ମାଆ ଆଉ କାହା ହାତ ଧରି ପଳାଇଲା ବାପା ଝୁରି ଝୁରି ଆରପାରିକୁ ଚାଲିଗଲେ, ଏବେ ବେସାହାର ଜୀବନ ଜିଉଁଛନ୍ତି ଦୁଇ ଭାଇ ଭଉଣୀ

ଆନନ୍ଦପୁର (କେନ୍ୟୁଜ) : କଂସାଏ ପଖାଳକୁ ଖାଉଛନ୍ତି ଦୁଇ ଭାଇ ଭଉଣୀ। ପାଖରେ ତାଟିଆଟିଏ ବି ଅଛି, କିନ୍ତୁ ସେଥିରେ ନାହିଁ ଭଜା କି ତରକାରୀ। ଅଛି କଣ ଜାଣିଛନ୍ତି ଲଙ୍କା ଆଉ ଲୁଣ। ଦେଖିଲେ ତ କେମିତି କଂସାଏ ପଖାଳକୁ କେବଳ ଲୁଣ ଲଙ୍କା ଲଗାଇ ଖାଉଛନ୍ତି ଏ ଭାଇ ଭଉଣୀ ଦୁଇଜଣ। ସତରେ ଭଗବାନ କଣ ଏତେ ନିର୍ଦୟ ହୋଇପାରନ୍ତି। କଣ ଦୋଷ କରିଥିଲେ ଏହି ଦୁଇ ନିରୀହ ପିଲାଦୁଇଜଣ। ଭଗବାନ କାହିଁକି ତାଙ୍କୁ ଏତେ ଦୁର୍ବିସହ ଜୀବନ ଦେଇଛନ୍ତି ।ପ୍ରଥମେ ମା ପିଲାଙ୍କୁ ଛାଡି ଅନ ୍ଯ କାହା ହାତ ଧରି କୁଆଡେ ଚାଲିଯାଇଥିଲା। ବାପାଙ୍କ ସାହାରାରେ ଚଳୁଥିଲେ ଭାଇ ଭଉଣୀ। ମାଆ ଅନ୍ୟ କାହାର ହାତ ଧରି ଚାଲିଯାଇଥିବା କଥା ଭାବି ଭାବି ଚିନ୍ତା କରି କରି ବାପାଙ୍କର ମୃତ୍ୟୁ ହୋଇଗଲା ଆଉ ଏବେ ଅସହାୟ ହୋଇ ପଡିରହିଛନ୍ତି ଦୁଇ ନାବାଳକ।

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକର ଆଦିବାସୀ ଅଧ୍ୟୁଷିତ ଗାଁ ନୁହାମାଳିଆ। ଅଭାବି ସଂସାର ଭିତରେ ଗ୍ରାମର ସାଗର ମୁଣ୍ତା ସେହି ଗ୍ରାମର ରାଧାକୁ ପରମ୍ପରା ଅନୁସାରେ ବିବାହ କରିଥିଲେ।ରାଧାକୁ ଆପଣାର କରି ନିଜର ଛୋଟିଆ ସଂସାରକୁ ଅତିବାହିତ କରିଦେବ ବୋଲି ଭାବିଥିଲା ସାଗର। ବିବାହର କିଛି ବର୍ଷ ଭିତରେ ଗୋଟିଏ ପୁଅ ଓ ଗୋଟିଏ ଝିଅ ହେଲା। କିନ୍ତୁ ହଠାତ ହସଖୁସିର ସଂସାରରେ କାହାର ନଜର ଲାଗିଗଲା। ଦୁଇ ନିରୀହ ଶିଶୁ ଓ ନିଜ ସ୍ୱାମୀକୁ ପର କରି ରାଧା ଆଉ କାହା ହାତ ଧରି ପର ପୁରୁଷ ସାଙ୍ଗରେ କେଉଁଆଡେ ପଳାଇଲା। ବହୁ ଖୋଜା ଖୋଜି ପରେ ମଧ୍ୟ ପତ୍ନୀ ରାଧାକୁ ନପାଇ ସାଗର ସ୍ତ୍ରୀକୁ ଝୁରି ଝୁରି ଏକ ଅଜଣା ରୋଗରେ ପଡି ଆଖି ବୁଜିଦେଲେ। ସାହି ପଡିଶାଙ୍କ ସହଯୋଗରେ ସାଗରଙ୍କ ଅନ୍ତିମ ସସ୍କାର କରାଯାଇଥିଲେ ସୁଦ୍ଧା ବାପା ମାଆଙ୍କୁ ହରାଇ ଦୁଇ ଶିଶୁ ଏବେ ଅନାଥ ବେସାହାରା ହୋଇ ଭଙ୍ଗା ଚାଳ ଛପର ଘରେ ପଡିରହିଛନ୍ତି। ବାପା ମାଆ କଥା ଭାବି ଭାବି ସୁଖୁନି ଝିଅ ଆଖିରେ ଲୁହ।

ଗଣ୍ତେ ଖାଇ ଦଣ୍ତେ ଜୀଇଁବାକୁ ସମ୍ବଳ ନାହିଁ ସେମାନଙ୍କ ପାଖରେ। ପର ଘରୁ ମାଗିଯାଚି ଯାହା ଆଣିଲେ ଭାଇ ଭଉଣି ଦୁହେଁ ମିଶି ଖାଇଥାନ୍ତି। ପଢା ବୟସରେ ଦୁଇ କୋମଳମତି ଅନାଥ ଶିଶୁ କିପରି ରହିବେ ସମସ୍ତଙ୍କୁ ଚିନ୍ତା ଘାରିଛି। ଦୁଇ ଅସହାୟ ଶିଶୁଙ୍କୁ ପ୍ରଶାସନିକ ଏବଂ ସରକାରୀ ସ୍ତରରେ ସହାୟତା ଯୋଗାଇଦେବା ଜରୁରି ହୋଇପଡିଛି। ବର୍ତ୍ତମାନ ସମୟରେ ଏହି ଅସହାୟ ଝିଅ ପୁଅ ଦୁଇଜଣ ସହାୟତା ନପାଇଲେ ଅକାଳରେ ଝଡିଯିବ ଦୁଇ ଜୀବନ। ଏନେଇ ଆମେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପରେ ଉପଜିଲ୍ଲାପାଳ ଉଭୟ ଅସହାୟଙ୍କୁ ତୁରନ୍ତ ସହାୟତା ଯୋଗାଇବାକୁ ପ୍ରତିଶୃତି ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.