ଯୋଡବନ୍ଧ ଗାଁରେ ଚାଞ୍ଚଲ୍ୟ: ‌‌ଯୁବକଙ୍କ ଯୌନାଙ୍ଗ କାଟି ନିର୍ମମ ହତ୍ୟା

ଭଞ୍ଜନଗର: ଯୁବକଙ୍କ ଯୌନାଙ୍ଗ କାଟି ହତ୍ୟା । ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଯୋଡବନ୍ଧ ଗାଁ ନିକଟର ଏପରି ଘଟଣା ଘଟିଛି ଯାହା ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତକ ଜଣକ ସେହି ଗାଁର ଚିତ୍ତରଞ୍ଜନ ସାହୁ । ତେବେ ରବିବାର ସନ୍ଧ୍ୟାରୁ ଚିତ୍ତରଞ୍ଜନ ନିଖୋଜ ଥିଲେ। ଗତକାଲି ସକ‌ାଳେ ଘରଠୁ ୩ଶହ ମିଟର ଦୂର ଗୁଡ଼ିଖାତ ନିକଟ ଲଟାବୁଦାରୁ କ୍ଷତାକ୍ତ ଶବ ଉଦ୍ଧାର ହୋଇଥିଲା । କୌଣସି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଯୁବକର ଯୌନାଙ୍ଗ କାଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଜଗନ୍ନାଥ ପ୍ରସାଦ ପୋଲିସ ପହଂଚି ଶବକୁ ଜବତ କରିଥିବା ବେଳେ କିଛି ଦୂରରୁ ପୋଲିସ ବ୍ଲେଡ, ଚପଲ ଏବଂ ମୋବାଇଲ ପାଇଛି । ବିଭିନ୍ନ ଦିଗକୁ ତଦନ୍ତ କରି ହତ୍ୟାର କାରଣ ଖୋଜୁଛି ପୋଲିସ । ବଜାରରେ ଥିବା ସିସିଟିଭ ଫୁଟେଜ ଯାଞ୍ଚ ସହ ଚାନଭିନ ଜାରିରଖିଛି ।

ସୂଚନାପ୍ରକାରେ ଚିତ ରଞ୍ଜନ ଗତକାଲି ସଂଧ୍ୟା ଠାରୁ ଘରକୁ ଯାଇନଥିଲେ । ବିଳମ୍ବ ହେବାରୁ ତାଙ୍କ ବଡ଼ଭାଇ ସିମାଞ୍ଚଳ ସାହୁ ଏବଂ ଜେଜେବାପା ଦଣ୍ଡପାଣି ସାହୁ ଆସି ଯୋଡବନ୍ଧ ଛକ ଓ ବିଭିନ୍ନ ସ୍ଥାନ ଖୋଜାଖୋଜି ପରେ ଚିତ୍ତରଞ୍ଜନକୁ ପାଇନଥିଲେ । ଗତକାଲି ଭୋର୍‌ରୁ ସମସ୍ତେ ‌ଖୋଜାଖୋଜି କରିବା ପରେ ଘରଠୁ ୨୦୦ ମିଟର ଦୂର ରାସ୍ତାକଡ଼ରୁ ଚିତ୍ତରଞ୍ଜନଙ୍କ ଚପଲ୍ ମିଳିଥିଲା । ଆଉ କିଛି ଦୂରରେ ଏକ ବୁଦାରେ ତାଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଜଗନ୍ନାଥପ୍ରସାଦ ଥାନାଧିକାରୀ ଅରୁଣ କୁମାର ସିଂ ସଦଳବଳେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଶବକୁ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାକୁ ପଠାଯାଇଛି।  ପ୍ରେମଜନିତ କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ତଥାପି ବିଭିନ୍ନ ଦିଗରୁ ଛାନଭିନ୍ ଜାରି ରହିଥିବା ଥାନାଧିକାରୀ ସିଂ ସୂଚନା ଦେଇଛନ୍ତି।