ଘୋଷଣା ହେଲା ମାଟ୍ରିକ୍ ଓ ମଧ୍ୟମା ପରୀକ୍ଷା ପାଇଁ ସମୟ ସୂଚୀ, ନଜର ପକାନ୍ତୁ

କଟକ(କେନ୍ୟୁଜ୍): ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ମାଟ୍ରିକ୍, ମଧ୍ୟମା ପରୀକ୍ଷା ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖରେ ଶେଷ ହେବ। ଏଥିପାଇଁ ବୋର୍ଡ ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହୋଇ ୧୦ଟାରେ ସରିବ। ‌ଭୋକେସନାଲ ଟ୍ରେଡ୍ ବ୍ୟତୀତ ଅନ୍ୟ ସମସ୍ତ ବିଷୟରେ ୮୦ ନମ୍ବର ପରୀକ୍ଷା କରାଯିବ। ଏଥିରେ ୫୦ ନମ୍ବର ସଂକ୍ଷିପ୍ତ ଉତ୍ତରମୂଳକ(ଏମ୍‌ସିକ୍ୟୁ) ପ୍ରଶ୍ନ ରହିବ ଯାହାର ଉତ୍ତରକୁ ଓଏମ୍‌ଆର୍‌ ସିଟ୍‌ରେ ପୂରଣ କରାଯିବ।

ଅବଶି‌ଷ୍ଟ ୩୦ନମ୍ବର ସବ୍‌ଜେକ୍ଟିଭ୍‌ ପ୍ରଶ୍ନ ରହିବ ଓ ଏହାର ଉତ୍ତର ପ୍ରଶ୍ନପତ୍ର ବୁକ୍‌ଲେଟ୍‌ରେ ଲେଖିବାକୁ ପଡ଼ିବ। ଗଣିତ ବିଷୟରେ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ୧୫ ମିନିଟ୍ ସମୟ ମିଳବ ଅର୍ଥାତ ଗଣିତ ପରୀକ୍ଷା ଅବଧି ୨ଘଣ୍ଟା ୧୫ମିନିଟ୍ ରହିବ। ବୋର୍ଡ ପକ୍ଷରୁ ପ୍ରକାଶିତ କାର୍ଯ୍ୟସୂଚୀ ଅନୁସାରେ, ମାର୍ଚ୍ଚ ୧୦ତାରିଖ ଶୁକ୍ରବାର ଦିନ ପ୍ରଥମ ଭାଷା (ଓଡ଼ିଆ, ହିନ୍ଦୀ, ବଙ୍ଗଳା, ଉର୍ଦ୍ଦୁ, ତେଲଗୁ, ଅଲଟରନେଟିଭ ଇଂରାଜୀ), ୧୩ ତାରିଖ ସୋମବାର ଦିନ ଦ୍ବିତୀୟ ଭାଷା (ଇଂରାଜୀ, ହିନ୍ଦୀ, ମୂକ ଓ ବଧିରଙ୍କ ପାଇଁ ପରିବେଶ ଓ ଜନସଂଖ୍ୟା),୧୪ତାରିଖ ମଙ୍ଗଳବାର ତୃତୀୟ ଭାଷା( ହିନ୍ଦୀ, ଓଡ଼ିଆ, ପାର୍ସି, ସଂସ୍କୃତ), ୧୬ତାରିଖ ଗୁରୁବାର ସାଧାରଣ ବିଜ୍ଞାନ, ୧୮ତାରିଖ ଶନିବାର ସାମାଜିକ ବିଜ୍ଞାନ, ୨୦ତାରିଖ ସୋମବାର ଗଣିତ ପରୀକ୍ଷା ଅନୁଷ୍ଠିତ ହେବ। ‌

ଭୋକେସନାଲ ଟ୍ରେଡ ପ୍ରାକ୍ଟିକାଲ ପରୀକ୍ଷା ନିଜ ନିଜ ସ୍କୁଲରେ ଫେବ୍ରୁଆରି ୧୫ରୁ ୧୮ତାରିଖ ମଧ୍ୟରେ ଅନୁ‌ଷ୍ଠିତ ହେବ। ସେହିପରି ମଧ୍ୟମା ପରୀକ୍ଷା କାର୍ଯ୍ୟସୂଚୀ ଅନୁସାରେ, ମାର୍ଚ୍ଚ ୧୦ ତାରିଖରେ ପେପର-୪(ଓଡ଼ିଆ), ମାର୍ଚ୍ଚ ୧୩ ତାରିଖରେ ପେପର-୮(ଇଂରାଜୀ), ମାର୍ଚ୍ଚ ୧୪ ତାରିଖରେ ପେପର-୨(ସଂସ୍କୃତ ସାହିତ୍ୟମ୍‌), ମାର୍ଚ୍ଚ ୧୫ ତାରିଖରେ ପେପର-୧(ସଂସ୍କୃତ ବ୍ୟାକରଣ ଓ ଦର୍ଶନ), ମାର୍ଚ୍ଚ ୧୬ରେ ପେପର-୬(ସାଧାରଣ ବିଜ୍ଞାନ), ମାର୍ଚ୍ଚ ୧୭ରେ ପେପର-୩ (ପ୍ରୟୋଗାତ୍ମକ ସଂସ୍କୃତ), ମାର୍ଚ୍ଚ ୧୮ ତାରିଖରେ ପେପର-୭ (ସାମାଜିକ ବିଜ୍ଞାନ) ଓ ମାର୍ଚ୍ଚ ୨୦ ତାରିଖ ପେପର-୫(ଗଣିତ) ପରୀକ୍ଷା ଅନୁଷ୍ଠିତ କରାଯିବାକୁ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମଧ୍ୟମାରେ ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ, ଇଂରାଜୀ ବିଷୟ ପରୀକ୍ଷାରେ ୩୦ ନମ୍ବର ସବ୍‌ଜେକ୍ଟିଭ୍ ଓ ୩୦ ନମ୍ବର ଅବ୍‌ଜେକ୍ଟିଭ୍ ଏହିପରି ମୋଟ ୬୦ ନମ୍ବର ପରୀକ୍ଷା ହେବ। ଅନ୍ୟ ବିଷୟରେ ୩୦ ମାର୍ଚ୍ଚ ସବ୍‌ଜେକ୍ଟିଭ୍ ଓ ୫୦ ନମ୍ବର ଅବ୍‌ଜେକ୍ଟିଭ୍ ପରୀକ୍ଷା କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.