BSKYକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ନ ହେଉ ଚିକିତ୍ସା ଜାରି ରହୁ, ମିଥ୍ୟା ଗୁଜବ ପ୍ରତି ସତର୍କ ଦୃଷ୍ଟି ରଖୁ ପ୍ରଶାସନ: ମନମୋହନ
ଭୁବନେଶ୍ୱର (କେନ୍ୟୁଜ): BSKY ଯୋଜନା ଦ୍ବନ୍ଦ୍ବ ନେଇ ବାକଯୁଦ୍ଧ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡରେ ଆଉ ଚିକିତ୍ସା ମିଳିବ କି ନାହିଁ ବୋଲି ପ୍ରଚାର ହେବା ପରେ ତାକୁ ନେଇ ଦ୍ବନ୍ଦ୍ବ ଦେଖା ଦେଇଛି । କାର୍ଡ ବନ୍ଦ ହୋଇ ଯାଇଥିବା କହି କେତେକ ଘରୋଇ ହସପିଟାଲ ରୋଗୀଙ୍କୁ ଫେରାଇ ଦେଉଥିବା ଅଭିଯୋଗ ହୋଇଥିଲା । ପରେ ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସ୍ପଷ୍ଟୀକରଣ ରଖିଥିଲେ ।
୨୦୨୪ ପାଇଁ ଫଳାଫଳ ପ୍ରକାଶ ପାଇବା ପରେ ରାଜ୍ୟର କିଛି ଘରୋଇ ଡାକ୍ତରଖାନା BSKY କାର୍ଡ ବନ୍ଦ ହୋଇଗଲା କହି ଚିକିତ୍ସା ଯୋଗାଇ ନଦେଇ ରୋଗୀମାନଙ୍କୁ ଫେରାଇ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ। ରୋଗୀ ଓ ରୋଗର କୌଣସି ଜାତି, ଧର୍ମ ଓ ଦଳ ନାହିଁ । ସାଦାରଣ ନାଗରିକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପ୍ରତ୍ୟେକ ସରକାରର ପ୍ରାଥମିକତା । ସରକାର ପରିବର୍ତ୍ତନ ଏକ ନିରନ୍ତର ପ୍ରକ୍ରିୟା । ଏହି ଆଳରେ ଲୋକଙ୍କ ମନରେ ଦ୍ବନ୍ଦ୍ବ ସୃଷ୍ଟି କରାଯାଇ ଚିକିତ୍ସା ସେବାରୁ ବଞ୍ଚିତ ରଖାଯିବା ହେଉଛି ଏକ ସାମାଜିକ ଏବଂ ବୈଧାନିକ ଅପରାଧ ବୋଲି କହିଛନ୍ତି ମନମୋହନ। ଏଭଳି ସାମାଜିକ ଅପରାଧରୁ କ୍ଷାନ୍ତ ରହି ରୋଗୀମାନଙ୍କୁ ଉପଯୁକ୍ତ ଏବଂ ଉନ୍ନତମାନର ସେବା ଓଡିଶାବାସୀଙ୍କୁ ଯୋଗାଇ ଦେବା ପାଇଁ କହିବା ସହିତ ପ୍ରଶାସନ ଏଭଳି ମିଥ୍ୟା ଗୁଜବ ପ୍ରତି ସତର୍କ ଦୃଷ୍ଟି ରଖିବାକୁ ସାମଲ କହିଛନ୍ତି।
ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ BSKY କାର୍ଡ କାର୍ଯ୍ୟକାରୀ ହେବ କି ନାହିଁ ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟତା ଆସିନାହିଁ। ଅଭିଯୋଗ ହେଉଛି ଯେ BSKY ରେ ଚିକିତ୍ସା କରିବାକୁ ମନା କରିଦେଉଛନ୍ତି ମେଡ଼ିକାଲ କର୍ତ୍ତୃପକ୍ଷ। ଏପରିକି ମେଡ଼ିକାଲ କର୍ତ୍ତୃପକ୍ଷ BSKY ଗ୍ରହଣ ନକରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଯାହା ଆଶା କରାଯାଉଛି ସରକାରଙ୍କ ତରଫରୁ କୌଣସି ସ୍ପଷ୍ଟତା ନଆସିବା ପର୍ଯ୍ୟନ୍ତ ଏବଂ ଆୟୁଷ୍ମାନ ଯୋଜନା ଲାଗୁହେବା ପର୍ଯ୍ୟନ୍ତ ଏହାକୁ ଚାଲୁ କରାଯାଉ।
ଗତକାଲି ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଖବର ଆସିଥିଲା ଯେ , ବିଏସକେୱାଇ ଯୋଜନା ରାଜ୍ୟରେ ବନ୍ଦ ହୋଇଯିବ । ଯାହା ରାଜ୍ୟର ଅନେକ ହିତାଧିକାରୀଙ୍କ ଚିନ୍ତା ବଢାଇଦେଇଥିଲା । ତେବେ ଏହା ବଦଳରେ ଓଡ଼ିଶାରେ ଆୟୁଷ୍ମାନ ଭାରତ ଲାଗୁ କରାଯିବ ବୋଲି କହିଥିଲେ ମନମୋହନ ସାମଲ । ତେବେ ରାଜ୍ୟରେ ନୂଆ ସରକାର ଗଢ଼ିବା ପରେ ଆୟୁଷ୍ମାନ ଯୋଜନାରେ କେଉଁ ସବୁ ସୁବିଧା ହିତାଧିକାରୀଙ୍କ ପାଇଁ ଉପଲବ୍ଧି ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।