ଭୁବନେଶ୍ବର : ଭୁବନେଶ୍ବର ବିଲଡର ନବଘନ ପାଟ୍ଟଶାଣୀ ଅପହରଣ ଓ ହତ୍ୟା ମାମଲାରେ ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ । ୧୮ ଦିନ ପରେ ଗୁମର ଖୋଲିଲା କମିଶନରେଟ ପୋଲିସ। ନବଘନକୁ ତା ସହଯୋଗୀ ମୁଖ୍ୟ ଅଭିଯୁକ୍ତ ବଣ୍ଟି ଦିଗାଲ ଯୋଜନା ମୁତାବକ ହତ୍ୟା କରିବା ସହ ପ୍ରମାଣ ନଷ୍ଟ କରିଥିଲା ।
ଏହି ମାମଲାରେ ବଣ୍ଟି ଓ ତା ସହଯୋଗୀ ବିଜୟ ପ୍ରଧାନକୁ ଗିରଫ କରିଛି ପୋଲିସ । ଏହାସହ ହତ୍ୟାରେ ବ୍ୟବହୃତ ଛୁରୀ, ଗାଡ଼ି ଜବତ ସହ ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରମାଣ ଯୋଗାଡ କରିଛି । ବଣ୍ଟିକୁ ଘଟଣାସ୍ଥଳକୁ ନେଇ କ୍ରାଇମ ସିନ ରିକ୍ରିଏଟ କରାଯାଇଛି । ବକେୟା ଦରମା ୪ ଲକ୍ଷ ଟଙ୍କା ଓ ସର୍ବସମ୍ମୁକ୍ଷରେ ଚାପୁଡ଼ା ମାଡ଼କୁ ନେଇ ପ୍ରତିଶୋଧ ପରାୟଣ ହୋଇ ନବଘନଙ୍କୁ ବଣ୍ଟି ହତ୍ୟା କରିଥିବା ପୋଲିସ ଆଗରେ ମାନିଛି ।
ଘଟଣାର ପୃଷ୍ଠଭମି ଥିଲା ଏପରି । ବଣ୍ଟି ଦିଗାଲ ଓରଫ ମୁଜାଫର ଚାରିବର୍ଷ ଧରି ନବଘନଙ୍କ ପାଖରେ କାମ କରୁଥିଲା । ହେଲେ ନବଘନ ଦରମା ନ ଦେଇ ତାକୁ ହଇରାଣ କରୁଥିଲା । ଚାରି ଲକ୍ଷରୁ ଅଧିକ ଦରମା ଟଙ୍କା ବାକି ଥିଲା । ଟଙ୍କା ମାଗିବାରୁ ସେ ସର୍ବସମ୍ମୁକ୍ଷରେ ଚାପୁଡ଼ା ମାରିଥିଲେ । ଏଥିରେ ପ୍ରତିଶୋଧରେ ଜଳୁଥିବା ବଣ୍ଟି ହତ୍ୟା ପାଇଁ କରିଥିଲା ଯୋଜନା ।
ତେଣୁ ଯୋଜନାବଦ୍ଧ ଭାବେ ଗତ ଜୁଲାଇ ୧୭ ତାରିଖରେ ନବଘନଙ୍କୁ ଘାଟିକିଆର ଏକ ଲଜକୁ ଫୋନରେ ଡକାଇବା ପରେ ହତ୍ୟା କରିଥିଲା ବଣ୍ଟି । ଏହାପରେ ସହଯୋଗୀ ବିଜୟ ପ୍ରଧାନ ସହ ମିଶି ଏକ ଗାଡ଼ିରେ ମୃତଦେହକୁ ନେଇ ଫିଙ୍ଗି ଦେଇଥିଲା । ଗତ ୨୦ ତାରିଖରେ ମୃତଦେହ ନିଆଳି ସ୍ଥିତ ଗୋବିନ୍ଦପୁର ଥାନା ଅଧିନ କନ୍ଦଳ ନଦୀର ଉରାଡ଼ ଠାରୁ ମିଳିଥିଲା । CCTV ଫୁଟେଜ, ଗୁରୁତ୍ଵପୂର୍ଣ୍ଣ ପ୍ରତ୍ୟକ୍ଷଦର୍ଶୀ ଓ ଫୋନ CDR ଯାଞ୍ଚରୁ ମିଳିଥିବା ସୁରାକରେ ପୋଲିସ ଅଭିଯୁକ୍ତଙ୍କୁ ଧରିଛି ।