ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ରାଜରାଜୁଡା ଅମଳରେ ତିଆରି ହୋଇଥିବା ଡାକ ବଙ୍ଗଳା

କଣ୍ଟାମାଳ: ଜରାଜୀର୍ଣ୍ଣ ଅବସ୍ଥାରେ ବୌଦ୍ଧ ଜିଲ୍ଲା ବାଉଁଶୁଣୀ ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା । ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଡାକବଙ୍ଗଳା ଭାଙ୍ଗିରୁଜି ଯିବା ସହ ବର୍ତ୍ତମାନ ଭୂତକୋଠି ପାଲଟିଛି । ରାଜରାଜୁଡା ଅମଳରେ ତିଆରି ହୋଇଥିବା ଏହି ଡାକ ବଙ୍ଗଳା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି । ବାଉଁଶୁଣି ବାଘ ନଦୀ କୂଳରେ ୫୭ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଟି ବର୍ତ୍ତମାନ ଜରାନୀର୍ଣ୍ଣ ଅବସ୍ଥାରେ ରହିଛି ।

ସୂଚନା ଅନୁସାରେ ୧୯୧୩ ମସିହା ବ୍ରିଟିଶ ଅମଳ ସମୟରେ ଏହା ନିର୍ମାଣ ହୋଇଥିଲା । ମହାନଦୀର ପାର୍ଶ୍ୱରେ ଅଧିକାରୀ ଓ ଲୋକଙ୍କ ସୁବିଧା ପାଇଁ ଅନେକ ବଙ୍ଗଳା ନିର୍ମିତ ହୋଇଥିଲା। ଯାହାକୁ ପରବର୍ତ୍ତୀ ସମୟରେ ଡାଳବଙ୍ଗଳା କୁହାଗଲା । ବୌଦ୍ଧ ଗଡ଼ଜାତର ବାସୁଦେବପାଲିଠାରୁ ହରଭଙ୍ଗା ବ୍ଲକର ଶୀତଳପାଣି ପର୍ଯ୍ୟନ୍ତ ପ୍ରତି ୧୫କିମି ଅନ୍ତରରେ ଆଠ ଗୋଟି ଡାକ ବଙ୍ଗଳା ନିର୍ମାଣ କରାଯାଇଥିଲା । ସେଥି ମଧ୍ୟରୁ ବାଉଁଶୁଣୀ ଡାକବଙ୍ଗଳା ଅନ୍ୟତମ ।

ପୂର୍ବରୁ ଏହି ଡାକ ବଙ୍ଗଳାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂଦେଓ ଓ ପୂର୍ତତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏଠାରେ ରହିଥିଲେ । ଏସବୁ ବଙ୍ଗଳାରେ ଥିବା ପଲଙ୍କ, ଟେବୁଲ୍, ଚୌକି,ଡ୍ରେସିଂ ଟେବୁଲ୍ ଆଦି ସାମଗ୍ରୀ ନଷ୍ଟ ହେବାକୁ ବସିଲାଣି ୧୯୯୨ ମସିହା ପର୍ଯ୍ୟନ୍ତ ଏହି ଡାକବଙ୍ଗଳା ବିଭିନ୍ନ ସାମାଜିକ କାର୍ଯ୍ୟରେ ବ୍ୟବହୃତ ହେଉଥିଲା । ଏହି ବଙ୍ଗଳାକୁ ଜାତୀୟ ରାଜପଥ କିମ୍ବା ପୂର୍ତ୍ତ ବିଭାଗ ତୁରନ୍ତ ଦୃଷ୍ଟିଦେଇ ରକ୍ଷଣାବେକ୍ଷଣ କରିବା ନିହାତି ଆବଶ୍ୟକ । ନଚେତ ବୌଦ୍ଧଗଡ଼ର ଐତିହ୍ୟ ବହନ କରୁଥିବା ଏହି ପୁରାତନ କୀର୍ତ୍ତିରାଜି ସବୁ ଲୀନ ହୋଇଯିବ । ପାଚେରୀ ନଥିବାରୁ ଗାଈଗୋରୁଙ୍କ ଅବାଧ ପ୍ରବେଶ ତଥା ସନ୍ଧ୍ୟା ହେଲେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟୁଛି ଏହି ବଙ୍ଗଳା ।

ଜିଲ୍ଲାର ମଧ୍ୟଭାଗରେ ଅବସ୍ଥିତ ବାଉଁଶୁଣି ପୂର୍ତ୍ତବିଭାଗ ଡାକ ବଙ୍ଗଳାର ପୁନଃରୁଦ୍ଧାର କରାଯାଇ ମରାମତି କରାଗଲେ ଏହା ଲୋକଙ୍କ କାମରେ ଆସି ପାରନ୍ତା । ଅଞ୍ଚଳବାସୀ ଅନେକ ଦିନ ହେବ ଦାବୀ କରି ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି l ଏହାର ଉନ୍ନତିକରଣ କରାଯାଇ କଲ୍ୟାଣ ମଣ୍ଡପ ଭାବେ ଭାବେ ବ୍ୟବହାର କରାଗଲେ ଲୋକେ ଉପକୃତ ହେବା ସହ ସରକାରଙ୍କ ରାଜସ୍ୱ ବୃଦ୍ଧି ହୋଇପାରନ୍ତା । ତେବେ ଏ ସମ୍ପର୍କରେ ପୂର୍ତ୍ତ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ । ଏ ସମ୍ପର୍କରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳଙ୍କୁ ପଚାରିବାରୁ ତଦନ୍ତ କରି ପଦକ୍ଷେପ ନେବେ ବୋଲି କହିଛନ୍ତି । ଜିଲ୍ଲା ପ୍ରଶାସନ ଖୁବଶୀଘ୍ର ଏହାର ମରାମତି କରି ଏଠାରେ ଏକ ଜଗୁଆଳି ରଖିଲେ ଐତିହାସିକ ଡାକବଙ୍ଗଳାର ସ୍ମୁତି ରକ୍ଷା ହେବା ସହ ପୂର୍ବ ଗାରିମା ଫେରିପାଇବ ଏ ଡାକବଙ୍ଗଳା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.