ଖୋଲୁଛି ବଣ୍ଟି-ବବଲିଙ୍କ କଳାସାମ୍ରାଜ୍ୟ ଗୁମର, ଆରଟିଓ ଓ ଆଇଜିଆରଙ୍କୁ ଚିଠି ଲେଖିଲା ଆୟକର ବିଭାଗ

 ଭୁବନେଶ୍ୱର : ଖୋଲୁଛି ବଣ୍ଟି-ବବଲିଙ୍କ କଳାସାମ୍ରାଜ୍ୟ ଗୁମର ।  ଗାଙ୍ଗୁରାମ ଦୋକାନରୁ କୋଟିପତି ଅନିଲ ।  ଅନିଲଙ୍କ ଘର ୟୁନିଟ-୮ରେ।  ସେ ଦୁଇ ଭାଇଙ୍କ ସହ ମିଶି ଗାଙ୍ଗୁରାମ ଦୋକାନ କରିଥିଲେ ।  ପରେ ଏକ ତେଜରାତି ଦୋକାନ ଖୋଲିଥିଲେ।  ଏସବୁ ବ୍ୟବସାୟ ବନ୍ଦ କରି ଏକ ଖଣି କମ୍ପାନୀରେ ଚାକିରି କରିଥିଲେ।

ହଂସିତାଙ୍କ ସଂସ୍ପର୍ଶରେ ଆସିବା ପରେ ସେ ଘର ଛାଡି ପଟିଆ ଅଞ୍ଚଳରେ ଥିବା ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟରେ ରହୁଥିଲେ।  ମାତ୍ର ୨ ବର୍ଷ ଭିତରେ କୋଟି କୋଟି ଟଙ୍କାର ମାଲିକ ହୋଇଯାଇଥିଲେ ଅନିଲ ଓ ହଂସିତା ।  ଏହା ପଛରେ କିଛି ରାଜନେତାଙ୍କ ଆଶୀର୍ବାଦ ଥିବା ଚର୍ଚ୍ଚା ହେଉଛି।  ଦିନ ଯେତିକି ଗଡୁଛି ଗୋଟି ପରେ ଗୋଟିଏ ମାମଲାରେ ଛନ୍ଦି ହୋଇ ଚାଲିଛନ୍ତି ଦୁଇଜଣ।  ସେମାନଙ୍କ କଳା ସାମ୍ରାଜ୍ୟର ଚେର ଖୋଜୁଛି ଆୟକର ବିଭାଗ।

ଆୟକର ବିଭାଗ ଯାଞ୍ଚରୁ ଏହି ଧୂର୍ତ୍ତ ଯୋଡ଼ିଙ୍କ ୧୦୦ କୋଟିର ସଂପତ୍ତି ଠାବ ହେଲାଣି ।  ଆହୁରି ୬୦ କୋଟିର ହିସାବ ମିଳୁନି । ଏହା ଛଡ଼ା ବିଭିନ୍ନ ଆଡ଼େ ଏମାନେ ଟଙ୍କା ନିବେଶ କରିଥିବା ଆୟକର ବିଭାଗ ଜାଣିବାକୁ ପାଇଛି ।  ହଂସିତାଙ୍କ ଆୟର ମୁଖ୍ୟ ଉତ୍ସ ଥିଲା ଖଣି, ଇସ୍ପାତ କାରଖାନାର ଇଏସଆର ପାଣ୍ଠି ଏବଂ ଜମି ଅଧିକଗ୍ରହଣ ମାମଲାରେ ମଧ୍ୟସ୍ଥତା । ଠକ ଯୋଡ଼ିଙ୍କ ଦାମୀ କାର୍ ସୌକ୍ ଥିଲା ।  ସେମାନଙ୍କ ୩ଟି ଦାମୀ କାର ଜବତ କରିଛି କମିଶନରେଟ୍ ପୋଲିସ ।

ହଂସିତା ଓ ଅନୀଲଙ୍କ ନାଁରେ ଥିବା ୪ଟି ଫ୍ଲାଟ ଓ ୫ଟି ଦାମୀ ଗାଡ଼ିକୁ ଜବତ କରିବା ସହ ଏହାର ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଆରଟିଓ ଓ ଆଇଜିଆରଙ୍କୁ ଚିଠି ଲେଖିଛି ଆୟକର ବିଭାଗ ।  ଏପଟେ ଆଜି ହଂସିତା ଓ ଅନିଲଙ୍କ ଜାମିନ ଆବେଦନ ଉପରେ କୋର୍ଟରେ ଶୁଣାଣି ହେବ ।  ଉଭୟଙ୍କ ଠାରୁ ଆହୁରି ଅନେକ ତଥ୍ୟ ଆଦାୟ ବାକି ଥିବାରୁ ଦୁଇ ଅଭିଯୁକ୍ତଙ୍କୁ ପୁଣି ରିମାଣ୍ଡରେ ଆଣି ଜେରା କରିବାକୁ ଯୋଜନା କରିଛି କମିଶନରେଟ ପୋଲିସ।

ଦୁଇ ଠକଙ୍କ ସହ ଘନିଷ୍ଠ କୁହାଯାଉଥିବ ୧୧ଜଣଙ୍କୁ ଜେରା ସରିଲାଣି। ଏମାନଙ୍କ ମଧ୍ୟରେ ହଂସିତାଙ୍କ ଦୁଇ ସ୍ବାମୀଙ୍କ ସମେତ ଠିକାଦାର, ବ୍ୟବସାୟୀ, ବିଲଡର ଓ ମଦ ବେପାରୀ ଅଛନ୍ତି ।