୩୩ କେଭି ତାର ଯାଇଥିବା ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟିପଡ଼ିଲା ବସ୍, ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ

ଭୟଙ୍କର ଦୁର୍ଘଟଣା । ବସରେ ସୁନ୍ଦରଗଡ଼ରୁ ପୁରୀ ଯାଉଥିଲେ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ । ବିଳମ୍ବିତ ରାତି ହୋଇଯାଇଥିବାରୁ କିଛି ଯାତ୍ରୀଙ୍କୁ ନିଦ ଲାଗି ଯାଇଥିଲା । କିନ୍ତୁ ହଠାତ ଏମିତି ଧକ୍କା ଲାଗିଲା ଯେ ଯାତ୍ରୀଙ୍କ ନିଦ ଭାଙ୍ଗିଗଲା । ବସ ଭିତରେ ବସିଥିବା କିଛି ଯାତ୍ରୀ ସିଟରୁ ପଡ଼ିଗଲେ । କିଏ ବସ ଭିତରେ ଚାପି ହୋଇଗଲା । କାହାରୁ ମୁଣ୍ଡ ଫାଟିଗଲା ତ କାହାର ହାତ ଗୋଡ଼ ଖଣ୍ଡିଆ ହୋଇଗଲା । ରାସ୍ତାରୁ ଖାଲ ଭିତରେ ପଡ଼ି ଦୁର୍ଘଟଣାଗ୍ରସ୍ତ ହେଲା ବସ୍ । ବହୁ କଷ୍ଟରେ ସମସ୍ତ ଯାତ୍ରୀ ବସ୍ ର କାଚ ଭାଙ୍ଗି ବାହାରକୁ ବାହାରିଲେ । କିନ୍ତୁ ବାହାରିବା ସମୟରେ ହିଁ ଜଣେ ମହିଳା ଯାତ୍ରୀଙ୍କୁ ହଠାତ କରେଣ୍ଟ ଲାଗିଲା । ବସଟି ୩୩ କେଭି ତାର ଯାଇଥିବା ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟିପଡ଼ିଥିଲା । ଯାହା ଫଳରେ ଯାତ୍ରୀଙ୍କୁ ଲାଗିଥିଲା ଝଟକା ।
ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନାର ରାଜ୍ୟ ରାଜପଥ ୧୦ ଏ(A) ମୁଚୁରନାଳୀ ଗାଁ ନିକଟରେ ସୁନ୍ଦରଗଡ଼ରୁ ପୁରୀକୁ ଯାଉଥିବା OSRTC ଜଗନ୍ନାଥ ବସ ପ୍ରାୟ ୧୨.୩୦ମିନିଟ୍ ସମୟରେ ରାସ୍ତାରୁ ଖାଲ ତଳକୁ ଖସିପଡ଼ିଲା । ଯାହା ଫଳରେ ବସରେ ୧୨ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ଜଣେ ମହିଳା ବିଦ୍ୟୁତ ଆଘାତରେ ଗୁରୁତର ହୋଇଛନ୍ତି । ଆହତ ମାନଙ୍କୁ ବଣାଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କିନ୍ତୁ ଅଳ୍ପକେ ବର୍ତ୍ତିଛନ୍ତି ୫୫ ଜଣ ଯାତ୍ରୀ । ଯେଉଁ ସ୍ଥାନରେ ଗାଡିଟି ଓଲଟିଥିଲା ସେଠାରେ ୩୩ କେଭିର ଏକ ବିଦ୍ୟୁତ ଖୁଣ୍ଟ ଥିଲା ଯାହକୁ ବସ୍ ଧକ୍କା ଦେଇଥିଲା । ଫଳରେ ଜଣେ ମହିଳା ଯାତ୍ରୀଙ୍କୁ କରେଣ୍ଟ ଲାଗିଥିଲା । ଏବଂ ତାଙ୍କ ଜଙ୍ଘ ଓ ବେକ ପୋଡି ଯାଇଥିବା ଜଣାପଡ଼ିଛି । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଁଚି ଅନ୍ୟ ଯାତ୍ରୀଙ୍କୁ ଅଲଗା ବସରେ ପଠାଇ ତଦନ୍ତ ଚଳାଇଛି ।
ପ୍ରତିଦିନ ଏମିତି ଦୁର୍ଘଟଣା ଘଟୁଥିବା ଖବର ଉପରେ ନଜିର ରହିଛି । ଡ୍ରାଇଭରଙ୍କ ଅସାବଧାନତା କାରଣରୁ ଏମିତି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ନିରୀହ ଲୋକେ । ଯାହା ବି ହେଉନା କାହିଁକି ଯାତ୍ରୀମାନଙ୍କର ବିଶେଶ କିଛି ହୋଇନି । ଆଉ ସମସ୍ତେ ନିରାପଦରେ ଘରକୁ ଫେରିଛନ୍ତି । ଯଦି ଡ୍ରାଇଭର ସାଧାରଣ ଗତିରେ ଡ୍ରାଇଭିଂ କରିଥାନ୍ତେ ହୁଏତ ଏମିତି ଦୁର୍ଘଟଣା ଘଟି ନଥାନ୍ତା । କଥାରେ ଅଛି ଦ୍ରୁତଗତି ମହାବିପତି । କିନ୍ତୁ କିଛି ଅମାନିଆଙ୍କ ବେପରୁଆ ଡ୍ରାଇଭିଂ ପାଇଁ ହିଁ ଏମିତି ଦୁର୍ଘଟଣା ଘଟୁଛି ।