ନବରଙ୍ଗପୁର: ଇନ୍ଦ୍ରାବତୀ ବଜାରରେ ବ୍ୟବସାୟୀଙ୍କୁ ଛୁରାମାଡ଼, ଅଭିଯୁକ୍ତକୁ ଗିରଫ ଦାବିରେ ଦୋକାନ ବନ୍ଦ ରହିବା ସହ ଯାନବାହନ ଚଳାଚଳ ଠପ
ନବରଙ୍ଗପୁର: ବ୍ୟବସାୟୀଙ୍କୁ ଛୁରାମାଡ଼ ନେଇ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଇନ୍ଦ୍ରାବତୀ ବଜାର ବନ୍ଦ। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀର ବ୍ୟବସାୟୀ କୃପାନିଧି ରାଉତ ତାଙ୍କ ଦୋକାନରେ ବସିଥିବା ବେଳେ କୌଣସି କାରଣରୁ ସେହି ଗ୍ରାମର ରିତେଶ ଭଞ୍ଜ ଆସି ଝଗଡ଼ା କରିଥିଲେ। ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ପରେ ରିେତେଶ କୃପାସିନ୍ଧୁଙ୍କ ମୁଣ୍ଡକୁ ଭୂଜାଲିରେ ଆକ୍ରମଣ କରିଥିଲେ। କୃପାସିନ୍ଧୁଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣା ପ୍ରଚାର ହେବା ପରେ ତାଙ୍କ ସଂପର୍କୀୟ ମାନେ ରିତେଶଙ୍କ ଘରେ ଭଙ୍ଗାରୁଜା କରିଛନ୍ତି। ଅଭିଯୁକ୍ତ ରିତେଶଙ୍କୁ ଗିରଫ ଦାବିରେ ଆଜି ଇନ୍ଦ୍ରାବତୀ ବଜାର ବନ୍ଦ ଡ଼ାକରା ଦିଆଯାଇଛି। ଦୋକାନ ବଜାର ସହ ଯାନବାହନ ଚଳାଚଳ ମଧ୍ୟ ବନ୍ଦ ରହିଛି। ଆକ୍ରମଣ ଓ ବନ୍ଦ ନେଇ ଇନ୍ଦ୍ରାବତୀ ବଜାରରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।