୧୪ ଘଣ୍ଟା ପରେ ଉଦ୍ଧାର ହେଲେ ବ୍ୟବସାୟୀ କ୍ରିଷ୍ଣା ରାଓ, ଅପହହଣ ପଛର କାରଣ ଖୋଜୁଛି ପୋଲିସ

ଗତକାଲିର ଘଟଣା । ସବୁଦିନ ଭଲି ଗତ କାଲି ସନ୍ଧ୍ୟାବେଳେ ଟଙ୍କା କଲେକ୍ସନ ପାଇଁ ମିଲ୍ କୁ ଯାଇଥିଲେ କାଜୁ ବ୍ୟବସାୟୀ ଏ.କ୍ରିଷ୍ଣା ରାଓ । କିନ୍ତୁ ସେ କଣ ଜାଣିଥିଲେ ତାଙ୍କୁ ଅପହରଣ କରିବା ପାଇଁ କିଛି ଦୁର୍ବୃତ୍ତ ପ୍ଳାନ୍ କରିଛନ୍ତି । ବାପ ପୁଅ ମିଲରେ ଥିଲେ । କିନ୍ତୁ ୭ ଟାରେ ପୁଅ ଘରକୁ ଫେରି ଆସିଥିବାବେଳେ କ୍ରିଷ୍ଣା ରାଓ ମିଲରେ ହିଁ ଅଟକି ରହିଥିଲେ । ହଠାତ ପୁଅ ପବନକୁମାରଙ୍କୁ କଲ୍ ଆସିଲା ତୁମ ବାପାଙ୍କ ସ୍କୁଟି ଆଉ ଚଷମା ଏଇଠି ପଡ଼ିଛି । କିନ୍ତୁ ତୁମ ବାପାଙ୍କୁ ଆମେ ପାଉନୁ । ପବନ ଏଭଳି କଥା ଶୁଣି ଭୟଭୀତ ହୋଇ ସିଧା ଘଟଣାସ୍ଥଳରେ ପହଞ୍ଚିଥିଲେ । ସତକୁ ସତ ମିଲ୍ ପାଖରେ ଏ.କ୍ରିଷ୍ଣା ରାଓଙ୍କ ସ୍କୁଟି ଓ ଚଷମା ପଡ଼ିଥିଲା । କିନ୍ତୁ କ୍ରିଷ୍ଣାଙ୍କ ଖୋଜଖବର ମିଳିଲାନି । ଡେରି ନକରି ସଦର ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ କ୍ରିଷ୍ଣାଙ୍କ ପୁଅ ପବନ । ଅଭିଯୋଗ ପାଇବା ପରେ ତତ୍ପର ହୋଇଥିଲା ପୋଲିସ । ଆଉ ଆଜି କ୍ରିଷ୍ଣା ରାଓଙ୍କୁ ଉଦ୍ଧାର କରାଯାଇଛି । ଅପହରଣର ୧୪ ଘଣ୍ଟା ପରେ ଉଦ୍ଧାର ହୋଇଛନ୍ତି ବ୍ୟବସାୟୀ କ୍ରିଷ୍ଣା ରାଓ । ବୋରିଗୁମ୍ମା ଥାନାରେ ପଚରା ଉଚରା କରୁଛନ୍ତି କୋରାପୁଟ ଏସପି । ଥାନାରେ ପରିବାର ଲୋକ ଉପସ୍ଥିତ ଥିବାବେଳେ ପୋଲିସର ତନାଘନା ଜାରି ରହିଛି । ଏନେଇ ବ୍ୟବସାୟୀଙ୍କ ପୁଅ ପବନ କୁମାର ସୂଚନା ଦେଇଛନ୍ତି ।

ସୂଚନା ଥାଉ କି ଗତକାଲି ଜୟପୁର ସହରର କାଜୁ ବ୍ୟବସାୟୀ ଏ.କ୍ରିଷ୍ଣା ରାଓଙ୍କୁ କିଛି ଦୁର୍ବୃତ୍ତ ଏକ କାର ଯୋଗେ ଉଠାଇ ନେଇଥିବା ପରିବାର ପକ୍ଷରୁ ଜୟପୁର ସଦର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ସେପଟେ ସଦର ପୋଲିସ ଗେଟଗୁଡ଼ା ନିକଟରୁ ବ୍ୟବସାୟୀ କ୍ରିଷ୍ଣା ରାଓଙ୍କ ସ୍କୁଟି ଓ ଚଷମା ଉଦ୍ଧାର କରି ଥାନାକୁ ଆଣିଥିଲା ।

ପ୍ରତିଦିନ ଭଳି ଗତକାଲି ସନ୍ଧ୍ୟାରେ ନିଜ ଗେଟଗୁଡା ସ୍ଥିତ ମିଲକୁ ଯାଇଥିଲେ । କିନ୍ତୁ ଗତକାଲି ସନ୍ଧ୍ୟା ୭ରୁ ଫେରିନଥିଲେ କ୍ରିଷ୍ଣା ରାଓ । ଘଟଣାକୁ ଗୁରୁତ୍ୱର ସହ ନେଇ କୋରାପୁଟ ଏସପି ରୋହିତ ବର୍ମାଙ୍କ ନେତୃତ୍ୱରେ ଜୟପୁର ଏସଡିପିଓ, କୋରାପୁଟ ଆଡିସନାଲ ଏସପିଙ୍କ ସହ ଜୟପୁର ଟାଉନ ଓ ସଦରଥାନାର ସ୍ୱତନ୍ତ୍ର ଟିମ ଛାନବିନ ଆରମ୍ଭ କରିଥିଲେ । ଯାହା ପରେ କ୍ରିଷ୍ଣାଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ତାଙ୍କୁ ପଚରା ଉଚରା ଜାରି ରଖିଛି ପୋଲିସ ।

ବ୍ୟବସାୟୀଙ୍କୁ କିଏ ଓ କାହିଁକି ଅପହରଣ କରିଥିଲା ? ପୂର୍ବରୁ ତାଙ୍କ ସହ କେହି ଶତ୍ରୁତା ରଖିଥିଲା କି ? ଏମିତି ସବୁ ପ୍ରଶ୍ନକୁ ନେଇ କ୍ରିଷ୍ଣା ରାଓଙ୍କୁ ଖୋଜିବାରେ ଲାଗିପଡ଼ିଥିଲା ପୋଲିସ୍ । ତେବେ ଏବେ ଯାଏଁ କ୍ରିଷ୍ଣାଙ୍କ ଅପହହଣ ପଛର କାରଣ ଜଣା ପଡ଼ିନାହିଁ ।

Also Read: ମୁଣ୍ଡଳୀ ବ୍ରିଜ ବ୍ୟାରେଜରେ ଖାକି ପୋଷାକ ପିନ୍ଧା ଯୁବକଙ୍କ ହାଇଡ୍ରାମା, ୩ ଘଣ୍ଟା କସରତ ପରେ ଉଦ୍ଧାର