ଆରମ୍ଭ ହୋଇଛି ପ୍ରସିଦ୍ଧ ବ୍ୟାସ ସରୋବର ମେଳା,ଏନେଇ ଗୁପ୍ତ ଗଙ୍ଗାରେ ବୁଡ଼ ପକାଇବାକୁ ଆସୁଛନ୍ତି ଅନେକ ଶ୍ରଦ୍ଧାଳୁ

ଯାଜପୁର ଜିଲ୍ଲା ବ୍ଯାସନଗର ସହର ଉପକଣ୍ଠରେ ରହିଛି ପୂରାଣ ପ୍ରସିଦ୍ଧ ବ୍ଯାସ ସରୋବର ପୀଠ। ଶୁଦ୍ରମୁନୀ ସାରଳା ଦାସଙ୍କ ରଚିତ ଓଡ଼ିଆ ମହାଭାରତର ସାରଦା ଉପାଖ୍ଯାନରେ ଏହୀ ପୀଠର ମାହାତ୍ମ୍ୟ ସମ୍ପର୍କରେ ବର୍ଣ୍ଣନା ରହିଛି। ପାଣ୍ଡବଙ୍କ ପରାକ୍ରମ ନିକଟରେ ପରାଜୟ ବରଣ କରିବା ପରେ ଦୁର୍ଯ୍ଯଧନ ଏଠାରେ ଥିବା ଗୁପ୍ତ ଗଙ୍ଗାରେ ଲକ୍ଷ୍ମୀଙ୍କ କୋଳରେ ଲୁଚି ରହିଥିଲେ । ଭୀମଙ୍କ ରଡି ସହି ନପାରି ସେ ଯୁଦ୍ଧ କ୍ଷେତ୍ରକୁ ବାହାରି ଆସିଥିଲେ ଏବଂ ଏହିଠାରେ ନିଧନ ହୋଇଥିଲେ ବୋଲି ବିଶ୍ୱାସ ରହିଛି । ବିଶ୍ୱାସ କରାଯାଏ ବ୍ଯାସଦେବ ଏହିଠାରେ ମହାଭାରତର ଶେଷପର୍ବ ରଚନା କରିଥିଲେ । ଏହି ପୀଠ ହେଉଛି ବ୍ଯାସ ଦେବଙ୍କ ପରମ ଭକ୍ତ ଓ ଉପାସକ ରାଘବଜୀଉଙ୍କ ସାଧନା ସ୍ଥଳୀ । ସେ ଏଠାରେ ସମାଧୀ ମଧ୍ୟ ନେଇଥିଲେ । ସେହି ପୌରାଣିକ କିମ୍ବଦନ୍ତୀକୁ ଉଜ୍ଜୀବିତ ରଖିବା ପାଇଁ କାହିଁ କେଉଁ କାଳରୁ ମହର୍ଷି ବ୍ଯାସଦେବ ଓ ଭକ୍ତ ରାଘବଜୀଉଙ୍କର ଏଠାରେ ଏକତ୍ର ଭାବେ ପୂଜା କରାଯିବାର ନିଆରା ପରମ୍ପରା ରହିଆସିଛି ।

କାହିଁ କେତେ ପୂରାଣ କାଳରୁ ଯାଜପୁରର ପ୍ରସିଦ୍ଧ ବ୍ଯାସ ପୀଠରେ ଚାଲିଆସିଛି ବ୍ଯାସ ସରୋବର ମେଳା । ନିକଟ ଅତୀତରେ ମନ୍ଦିରରେ ଚାଲିଥିଲା ମହର୍ଷି ବ୍ଯାସଦେବ ଓ ଭକ୍ତ ରାଘବ ଜୀଉଙ୍କ ପୂଜାର୍ଚ୍ଚନା । ଗୋଟିଏ ମନ୍ଦିରରେ ଗୁରୁ ଏବଂ ଉପାସକଙ୍କୁ ଏକତ୍ର ପୂଜା କରିବାର ଏ ହେଉଛି ଏକ ନିଆରା ପରମ୍ପରା ।ଚଳିତ ବର୍ଷ ଭୌମ ବା ବଡ ଏକାଦଶୀରେ ବହୁ ସଂଖ୍ଯାରେ ଶ୍ରଦ୍ଧାଳୁ ଏଠାକୁ ଆସି ଠାକୁର ଦର୍ଶନ କରିବା ସହ ଗୁପ୍ତଗଙ୍ଗାର ଜଳ ସିଂଚନ କରି ପୂଣ୍ଯ ଅର୍ଜ୍ଜନ କରଛନ୍ତି । ସେପଟେ ବ୍ଯାସଭୂମି ମହିମା ଆଶ୍ରମରେ ମହିମା ଧର୍ମର ସନ୍ଥ ମାନଙ୍କ ଦ୍ୱାରା ଅଖଣ୍ଡ ଧ୍ୱନି ମଧ୍ୟ ହେଉଥିବାର ଦେଖିବାକୁ ମିଳିଥିଲା। ଠାକୁରଙ୍କ ସାନିଧ୍ୟ ଲାଭ କରିବାକୁ ଦୂରଦୂରାନ୍ତରୁ ଆବାଳ ବୃଦ୍ଧ ବନୀତା ସବୁ ଏଠି ଏକାକାର ହୋଇଥିଲେ ।

ମାଘ ମାସ ବଡ଼ ଏକାଦଶୀରେ ବହୁ ସଂଖ୍ଯାରେ ଶ୍ରଦ୍ଧାଳୁ ଏଠାକୁ ଆସି ଠାକୁର ଦର୍ଶନ କରିବା ସହ ଗୁପ୍ତଗଙ୍ଗାର ଜଳ ସିଂଚନ କରି ପୂଣ୍ଯ ଅର୍ଜ୍ଜନ କରନ୍ତି । ବିଶ୍ୱାସ ରହିଛି ଏହି ଗୁପ୍ତଗଙ୍ଗାରେ ବୁଡ ପକାଇ ଏଠାରେ ଯାହା ମନୋସ୍କାମନା କରାଯାଏ ତାହା ଅବିଳମ୍ବେ ପୂରଣ ହୁଏ । ସେଥିଲାଗି ଦିଅଁ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଛୁଟଥିଲା। ଶ୍ରଦ୍ଧାଳୁଙ୍କ ସୁଅ । ଭୌମ ଏକାଦଶୀ ଠାରୁ ଆରମ୍ଭ ହୋଇଥିବା ଏହି ମେଳା ଆସନ୍ତା ୧୧ ତାରିଖ ପର୍ଯ୍ଯନ୍ତ ଚାଲିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.