ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର !

ଭୁବନେଶ୍ବର : ଚାଷୀ ଏବର୍ଷ ଧାନର କ୍ୱିଣ୍ଟାଲ ପ୍ରତି ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍ଏସ୍ପି ୧୭ ଶହ ୫୦ ଟଙ୍କା ପାଇବେ । ପୂର୍ବବର୍ଷ ଏହା ୧୫ ଶହ ୫୦ ଟଙ୍କା ଥିଲା । ୨୦୧୮-୧୯ ଖରିଫ ଧାନ ପାଇଁ କେନ୍ଦ୍ର ସରକାର ଧାନର ଏମ୍ଏସ୍ପି ୨୦୦ ଟଙ୍କା ବଢ଼ାଇଛନ୍ତି । ତେବେ ଏ ଗ୍ରେଡ୍ ଧାନର ଏମ୍ଏସ୍ପି ୧୬୦ ଟଙ୍କା ବଢ଼ାଯାଇଛି । ଏ ଗ୍ରେଡ୍ ଧାନର ଏମ୍ଏସ୍ପି ପୂର୍ବରୁ ୧୫୯୦ ଟଙ୍କା ଥିଲା । ଏବେ ବଢ଼ି ୧୭ ଶହ ୫୦ ଟଙ୍କା ହୋଇଛି । ଧାନ ସହ ୧୪ଟି ଖାଦ୍ୟଶସ୍ୟର MSP ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରିଛି କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍ କମିଟି । ଧାନର ଏମ୍ଏସ୍ପି ବୃଦ୍ଧି ଦ୍ୱାରା ସରକାରଙ୍କ ଉପରେ ଅଧିକ ୧୧ ହଜାର କୋଟି ଟଙ୍କାର ବୋଝ ପଡ଼ିବ । ଚାଷୀଙ୍କ ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣା ଏମ୍ଏସ୍ପି କରାଯିବ ବୋଲି ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ କହିଥିଲେ । ସେହି ଅନୁସାରେ ଦେଢ଼ ଗୁଣା ବୃଦ୍ଧି କରାଯାଇଥିବା କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ।
ଧାନର ଏମ୍ଏସ୍ପି ଘୋଷଣା ପରେ ରାଜ୍ୟରେ ପ୍ରକାଶ ପାଇଛି ପ୍ରତିକ୍ରିୟା । ବିଜେଡି କହିଛି, ଏମ୍ଏସ୍ପିରେ ମାତ୍ର ୨ ଶହ ଟଙ୍କା ବୃଦ୍ଧି ଦ୍ୱାରା ଚାଷୀଙ୍କୁ ପ୍ରତାରିତ କରାଯାଇଛି । ଦଳ ଏହାର ପ୍ରତିବାଦ କରିବ । କଂଗ୍ରେସ କହିଛି, ଚାଷୀଙ୍କ ଉତ୍ପାଦନ ଖର୍ଚ୍ଚ ବଢ଼ି ଚାଲିଛି । ଏମ୍ଏସ୍ପି ୨ ଶହ ଟଙ୍କା ବୃଦ୍ଧିରେ ଚାଷୀଙ୍କୁ ଲାଭ ମିଳିବ ନାହିଁ । ବିଜେପି କିନ୍ତୁ ଘୋଷଣାକୁ ସ୍ୱାଗତ କରିଛି । ସାଧାରଣତଃ ଜୁନ୍ ଦ୍ୱିତୀୟ ସପ୍ତାହ ସୁଦ୍ଧା ଏମ୍ଏସ୍ପି ଘୋଷଣା ହୁଏ । ଏଥର କିନ୍ତୁ ବିଳମ୍ବରେ ଏମ୍ଏସ୍ପି ଘୋଷଣା କରାଯାଇଛି ।