ଐତିହ୍ୟ କ୍ୟାବିନେଟରେ ୭ଟି ପ୍ରସ୍ତାବ ଉପରେ ମୋହର, ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ କେନ୍ଦ୍ର ସରକାରଙ୍କୁ ଦିଆଯିବ ପ୍ରସ୍ତାବ
କେନ୍ୟୁଜ୍(ବ୍ୟୁରୋ): ଐତିହ୍ୟ କ୍ୟାବିନେଟରେ ୭ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ରାଜ୍ୟ ସଂଗ୍ରହାଳୟ ଓ ଆନନ୍ଦ ଭବନକୁ ଭର୍ଚୁଆଲ କରାଯିବ । ବୃଦ୍ଧି ହେବ ସଂସ୍କୃତି ଭବନ ଦ୍ୱାରା ପରିଚାଳିତ ଏକାଡେମୀ ପୁରସ୍କାର ରାଶି । ଏକାଡେମୀ ପୁରସ୍କାର ରାଶିକୁ ୫୦ ହଜାରରୁ ୨ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ । ଉତ୍କଳମଣି ଗୋପବନ୍ଧୁ ଜନ୍ମସ୍ଥାନ ସୁଆଣ୍ଡୋର ବିକାଶ ପାଇଁ ସାଢ଼େ ୧୧କୋଟି ଟଙ୍କା ଅନୁମୋଦନ ହୋଇଛି । ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗରେ ଖାଲି ଥିବା ପଦବୀ ପୂରଣ ହେବ । ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟକୁ ରୁଦ୍ଧିମନ୍ତ କରିବା ପାଇଁ ଦ୍ୱିତୀୟ ଐତିହ୍ୟ କ୍ୟାବିନେଟ ବୈଠକରେ ବିଚାରବିମର୍ଶ ହୋଇଛି ।
ବୌଠକ ପରେ ସମ୍ବାଦିକ ସମ୍ମିଳନୀରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି, ଓଡ଼ିଶା ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଏକ ସଂସ୍କୃତି ସଂପନ୍ନ ରାଜନୈତିକ ଆୟତନ। ଭାରତ ସରକାର ୧୯୬୪ ମସିହାରେ ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ନୃତ୍ୟ ଓ ୨୦୧୪ ମସିହାରେ ଓଡ଼ିଆ ଭାଷାକୁ ୬ଷ୍ଠତମ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେଇଛନ୍ତି। ଓଡ଼ିଶାର ଏହି ପରଂପରା, ଶୈଳୀ ପୂରାତନ। ଏହାର ଗାୟନ ପଦ୍ଧତି ଭାରତର ଅନ୍ୟ ଶାସ୍ତ୍ରୀୟ ସଂଗୀତ ଠାରୁ ଭିନ୍ନ। ୨୦୦୮ ମସିହାରେ ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ମିଳିଛି। ତେଣୁ ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ପ୍ରେରଣକୁ ଅନୁମୋଦନ କରାଯାଇଛି।