ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ, ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଉପରେ ଲାଗିପାରେ ମୋହର

ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ । ଆଜି ପୂର୍ବାହ୍ନ ୧୧ଟା ୩୦ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଏକାଧିକ ପ୍ରସଙ୍ଗରେ ଆଲୋଚନା କରାଯିବ । ଏକାଧିକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଉପରେ ଲାଗିପାରେ ମୋହର । ଆଗାମୀ ୨୫ ତାରିଖରେ ରାଜ୍ୟ ବଜେଟ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ଆଜି ଅନୁଷ୍ଠିତ ହେବାକୁ ଥିବା ବୈଠକ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି । ବୈଠକରେ କୃଷି, ଜଳସମ୍ପଦ , ଯୋଜନା ଓ ସଂଯୋଜନ, ଆଇନ, ପୂର୍ତ୍ତ ବିଭାଗ ସମ୍ପର୍କିତ କେତେଗୁଡିଏ ନିଷ୍ପତି ନିଆଯାଇପାରେ।
ଗତ ୧୯ ତାରିଖରେ ହାଇକୋର୍ଟରେ ରାଜ୍ୟ ସରକାର ଜଷ୍ଟିସ ରଘୁବୀର ଦାସ କମିଶନ ରିପୋର୍ଟ କ୍ୟାବିନେଟ ବୈଠକରେ ଉପସ୍ଥାପନ କରିବା ନେଇ ସତ୍ୟପାଠ ଦାଖଲ କରିଥିଲେ । ଅନ୍ୟ ପଟେ ଆଜି ହାଇକୋର୍ଟରେ ଏହି ମାମଲାର ଶୁଣାଣି ହେବାର ରହିଛି । ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ନେଇ ଦାୟର ହୋଇଥିବା ମାମଲାର ହାଇକୋର୍ଟ ପୁନଶ୍ଚ ଶୁଣାଣି କରିବେ । ଜଷ୍ଟିସ ରଘୁବୀର ଦାସ କମିଶନ ରିପୋର୍ଟକୁ ସାର୍ଵଜନୀନ କରିବା ନେଇ ଏହି ମାମଲା ରୁଜ୍ଜୁ ହୋଇଛି । ୨୦୧୮ ନଭେମ୍ବର ମାସରେ ରଘୁବୀର ଦାସ କମିଶନ ରାଜ୍ୟ ସରକାରଙ୍କ ନିକଟରେ ୩୨୪ ପୃଷ୍ଠାର ଚାବି ହଜିବା ତଦନ୍ତ ରିପୋର୍ଟ ଦାଖଲ କରିଥିଲେ । କିନ୍ତୁ ଏହି ରିପୋର୍ଟ ସାର୍ଵଜନୀନ ହୋଇ ନଥିବାରୁ ପୁରୀର ଦିଲ୍ଲୀପ କୁମାର ବରାଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛ ନ୍ତି।