ଭୁବନେଶ୍ୱର: ରୋଗୀ ସୁରକ୍ଷା ଓ ଉପଯୁକ୍ତ ନିଦାନ ଲକ୍ଷ୍ୟରେ କନ୍ସୋର୍ଟିଅମ୍ ଅଫ୍ ଆକ୍ରିଡିଟେଡ୍ ହସ୍ପିଟାଲ୍ ଅର୍ଗାନାଇଜେସନ୍ସ (କାହୋ) ପକ୍ଷରୁ କିଟରେ ପୂର୍ବାଞ୍ଚଳ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କିଟରେ ପ୍ରଥମ ଥର ଲାଗି ସମଗ୍ର ପୂର୍ବାଞ୍ଚଳରେ ବିଶ୍ୱ ରୋଗୀ ସୁରକ୍ଷା ଦିବସ ପାଳିତ ହୋଇଛି ।
ଏଥିରେ ଦେଶର ବହୁ ଡାକ୍ତର, ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ସ୍ୱାସ୍ଥ୍ୟସେବା ପ୍ରଫେସନାଲ୍ମାନେ ଯୋଗଦେଇ ରୋଗୀର ସୁରକ୍ଷା, ଉନ୍ନତ ଚିକିତ୍ସା ତଥା ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଓ ସମାଜ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ନେଇ ଆଲୋଚନା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କିଟ୍, କିସ୍ ଓ କିମ୍ସ ପ୍ରତିଷ୍ଠାତା ଡା. ଅଚ୍ୟୁତ ସାମନ୍ତ କହିଲେ, ଦେଶରେ ରୋଗୀ ସଂଖ୍ୟା ବଢ଼ୁଥିବା ବେଳେ ଚିକିତ୍ସା ସହ ସେମାନଙ୍କ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
କିମ୍ସର ଉଦାହରଣ ଦେଇ ଡା. ସାମନ୍ତ କହିଲେ, କିମ୍ସରେ ସାଧାରଣ କର୍ମଚାରୀଠାରୁ ଆରମ୍ଭ କରି ମେଡିକାଲ୍ କଲେଜର ଅଧ୍ୟକ୍ଷ ଓ ଅଧୀକ୍ଷକଙ୍କ ପର୍ଯ୍ୟନ୍ତ ରୋଗୀର କୌଣସି ଅବହେଳା ଯେପରି ନହୁଏ ସେଥିପାଇଁ ତତ୍ପର ରହିଥାନ୍ତି । ଏଭଳି ସମ୍ମିଳନୀ ଆୟୋଜନ ପାଇଁ ଡ. ସାମନ୍ତ କାହୋକୁ ଧନ୍ୟବାଦ ଜଣାଇଥିଲେ । କାହୋର ସଭାପତି ଡା. ବିଜୟ ଅଗ୍ରୱାଲ୍ ରୋଗୀର ଯତ୍ନ ଓ ସୁରକ୍ଷା ପାଇଁ ଦୃଢ଼ ନେତୃତ୍ୱର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।
କିଟ୍ ଓ କିସ୍ ପ୍ରତିଷ୍ଠାତା ଡା. ସାମନ୍ତଙ୍କ ଉଦ୍ୟମକୁ ପ୍ରଶଂସା କରି ସେ କହିଲେ, ତାଙ୍କ ଭଳି ବ୍ୟକ୍ତି ଏ ଦିଗରେ ଆଗକୁ ଆଗେଇ ଆସିଲେ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ଓ ସମାଜ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇପାରିବ । ଆସୋସିଏସନ୍ ଅଫ୍ ହେଲ୍ଥକେୟାର ପ୍ରୋଭାଇଡର୍ସ (ଇଣ୍ଡିଆ) ଓ କାହୋର ମୁଖ୍ୟ ପୃଷ୍ଠପୋଷକ ଡା. ଗିରିଧର ଜେ ଜ୍ଞାନୀ କହିଲେ, ରୋଗୀ ସୁରକ୍ଷା ପାଇଁ ଉତ୍ତମ ଭିତ୍ତିଭୂମି ଓ ଉନ୍ନତ ଶିକ୍ଷା ଅତ୍ୟନ୍ତ ଆବଶ୍ୟକ ।
କାହୋର ସାଧାରଣ ସମ୍ପାଦକ ଲାଲୁ ଯୋଶେଫ ସମସ୍ତ ରୋଗୀଙ୍କୁ ସମାନ ଦୃଷ୍ଟିରେ ଚିକିତ୍ସା କରାଯିବା ଉଚିତ ବୋଲି ମତ ପ୍ରକାଶ କରିଥିଲେ । ଏହି ଅବସରରେ କିମ୍ସ ମେଡିକାଲ୍ କଲେଜ ଅଧ୍ୟକ୍ଷ ଡା. ଏ. ପି. ମହାନ୍ତି, ଅକ୍ଷୀକ୍ଷକ ଡା. ଆର ସି ଦାସ କିମ୍ସରେ ଗୁଣାତ୍ମକ ଚିକିତ୍ସା ଓ ରୋଗୀ ସୁରକ୍ଷା ଉପରେ ସେମାନଙ୍କ ମତ ଦେଇଥିଲେ ।