ଥଇଥାନ କେନ୍ଦ୍ରରେ ଦୁଷ୍କର୍ମ ଓ ନିର୍ଯାତନା ଘଟଣାରେ ରିପୋର୍ଟ ତଲବ, ୪ଜଣଙ୍କୁ ବାନ୍ଧିଛି ପୋଲିସ୍

ସମ୍ବଲପୁର : ସମ୍ବଲପୁର ନେତାଜୀ ନଗରରେ ଥିବା ଥଇଥାନ କେନ୍ଦ୍ରରେ ମାନସିକ ଅନଗ୍ରସରଙ୍କୁ ଦୁଷ୍କର୍ମ ଓ ନିର୍ଯାତନା ଘଟଣାରେ ରିପୋର୍ଟ ତଲବ । ଆଜି ସମସ୍ତ ଅନ୍ତେବାସୀଙ୍କୁ ବୈଜାମୁଣ୍ଡାକୁ କରାଯିବ ସ୍ଥାନାନ୍ତର । ଖୁବଶୀଘ୍ର ହେବ ବିଭାଗୀୟ ଅଧିକାରୀଙ୍କୁ ଜେରା ସହ କାହିଁକି ଏପରି ଘଟଣା ଘଟିଲା ? କାହିଁକି ବିଭାଗୀୟ ଅଧିକାରୀ ଉକ୍ତ ଅନୁଷ୍ଠାନକୁ ଯାଉନଥିଲେ? ସେନେଇ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଥବିର ମହାନନ୍ଦଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଜିଲ୍ଲାପାଳ । ସେପଟେ ରିମାଣ୍ଡରେ ଆସିବ ଅନୁଷ୍ଠାନର ପରିଚାଳକ ହରିଶ୍ଚନ୍ଦ୍ର ।
ସମ୍ବଲପୁରର ଏହି ଥଇଥାନ କେନ୍ଦ୍ରରେ ହୋଇଥିବା ମାନସିକ ଅନଗ୍ରସର ଅନ୍ତେବାସୀଙ୍କୁ ଦୁଷ୍କର୍ମ ଓ ନିର୍ଯାତନା ଘଟଣାରେ ସମୁଦାୟ ୪ ଜଣ ଗିରଫ ହୋଇ ଜେଲ ଯାଇଛନ୍ତି । ହେଲେ ଏହି ଅନୁଷ୍ଠାନର ପରିଚାଳକ ହରିଶ୍ଚନ୍ଦ୍ର ଦାସ ନାମରେ ଜଣେ ଅନ୍ତେବାସୀ ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ ଆଣିବା ପରେ ଅନୁଷ୍ଠାନ ର କାର୍ଯ୍ୟକଳାପ ଉପରେ ଏବେ ପ୍ରଶାସନର କଡା ନଜର । ଅଭିଯୁକ୍ତ ହରିଶ୍ଚନ୍ଦ୍ର ଦାସ କେତେଜଣଙ୍କୁ ଦୁଷ୍କର୍ମ କରିଛନ୍ତି ସେନେଇ ଚାଲୁଛି ତଦନ୍ତ । ନିଜେ ଉପଜ଼ିଲ୍ଲାପାଳ ଏହାର ତଦନ୍ତ କରି ଜ଼ିଲ୍ଲାପାଳଙ୍କୁ ରିପୋର୍ଟ ଦେଇଛନ୍ତି । ସେହିପରି ସମ୍ବଲପୁର ପୋଲିସ ମଧ୍ୟ ଏହି ଘଟଣାକୁ ଗୁରୁତର ଭାବେ ନେଇଛି । ଏଥିପାଈଁ ସଂସ୍ଥାର ପରିଚାଳକଙ୍କୁ ପୁଣି ରିମାଣ୍ଡ ରେ ଅଣାଯିବ ବୋଲି ଆଇଜି କହିଛନ୍ତି ।
ସେପଟେ ଡ଼ିଏସଏସଓ କହିଛନ୍ତି ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି । ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ହରିଶ୍ଚନ୍ଦ୍ରଙ୍କ ପୁଅ ଓ ତାଙ୍କ ପୁଅର ଜଣେ ସାଙ୍ଗକୁ ଗିରଫ କରାଯଇଛି । ଡ଼ିଏସଏସଓ ସେହି ଅନୁଷ୍ଠାନ କୁ ଭିଜିଟ ରେ ଯାଉଥିଲେ ବୋଲି କହିଛନ୍ତି । ତାଙ୍କ ସହ କଥା ମଧ୍ୟ ହେଉଥିଲେ । ଏପର୍ଯ୍ୟନ୍ତ ସେହି ଅନୁଷ୍ଠାକୁ ସରକାରଙ୍କ ତରଫରୁ ୩୭ ଲକ୍ଷ ଟଙ୍କା ଦିଆ ଯାଇଛି । ଏଠାରେ ରହୁଥିବା ୬ଜଣଙ୍କ ମୃତ୍ୟୁ ଜାଣିଥିବା କହିଛନ୍ତି ହେଲେ ତାର ମୃତଦେହ ବ୍ୟବଛେଦ କରାଯାଇନାହିଁ । ସେପଟେ ଦୁଷ୍କର୍ମ ଘଟଣାକୁ ସେ ମାନିଛନ୍ତି ।
ପଦାରେ ପଡିଲା ଥଇଥାନ କେନ୍ଦ୍ରରେ ହେଉଥିବା ମାନସିକ ଅନଗ୍ରସର ଅନ୍ତେବାସୀଙ୍କୁ ଦୁଷ୍କର୍ମ ଓ ନିର୍ଯାତନା ଘଟଣା । ଏବେ ବନ୍ଧା ହୋଇଛନ୍ତି ୪ଜଣ । ଯେଉଁମାନେ ସଂସ୍ଥା ସପକ୍ଷରେ ଅନୁକମ୍ପା ଦେଖାଇଥିଲେ ସଭିଏଁ ଏବେ ପୋଲିସ୍ ନଜରରେ । ଯେଉଁ ଯେଉଁ ମାନେ ବି ଏଭଳି ନିନ୍ଦନୀୟ ଘଟଣାରେ ସମ୍ପୃକ୍ତ ସମସ୍ତଙ୍କୁ ମିଳିବ ସଜା ।