ବିଭିନ୍ନ କାରଣରୁ ଆଜିକାଲି କ୍ୟାନ୍ସର ଭଳି ରୋଗ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବୟସ୍କ ଲୋକଙ୍କ ଠାରୁ ଆରମ୍ଭ କରି ଯୁବକ ଯୁବତୀ ଏବଂ ଛୋଟ ପିଲାମାନେ ମଧ୍ୟ ଏହି ରୋଗରେ ଶିକାର ହେଉଛନ୍ତି । ଏପରିସ୍ଥଳେ ସଚେତନ ରହିବା ହିଁ ଏକମାତ୍ର ଆବଶ୍ୟକତା । ଯାହା ପାଇଁ କଟକ ଏସସିବିରେ ଆୟୋଜିତ ଏକ ସଚେତନତା କାର୍ଯ୍ୟକ୍ରମରେ ଏହି ରୋଗର କାରଣ ଓ ନିରାକରଣ ସମ୍ପର୍କିତ ଏକ ସଚେତନତା ସୃଷ୍ଟି କରାଯାଇଥିଲା ।
ଏହି ରୋଗକୁ କିଭଳି ପ୍ରତିହତ କରାଯିବ ସେ ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । କ୍ୟାନ୍ସର ଭଳି ମାରାତ୍ମକ ରୋଗ ପାଇଁ ବର୍ତ୍ତମାନ ଅତ୍ୟାଧୁନିକ ଜ୍ଞାନ କୌଶଳ ପଦ୍ଧତି ଦ୍ୱାରା ଚିକିତ୍ସା କରାଯାଇପାରୁଛି । ଏହି କାର୍ଯ୍ୟକ୍ରମରେ କର୍କଟ ରୋଗ ବରିଷ୍ଠ ବିଶେଷଜ୍ଞ ଡକ୍ଟର ପ୍ରଶାନ୍ତ କୁମାର ପରିଡା ରୋଗର ବିଭିନ୍ନ ଚିକିତ୍ସା ପଦ୍ଧତି ଉପରେ ଟିକିନିଖି ବୁଝାଇଥିଲେ । ତେବେ ସାଧାରଣ ଲୋକେ ସଚେତନ ରହିଲେ କର୍କଟ ରୋଗର ନିରାକରଣ ସମ୍ଭବ ହୋଇପାରିବ ବୋଲି ସେ କହିଛନ୍ତି ।
କ୍ୟାନ୍ସର ରୋଗରେ ପୀଡିତ ରୋଗୀ କେବେବି ଭୟଭୀତ ନ ହେବାପାଇଁ ପରାମର୍ଶ ଦେଇଛନ୍ତି କ୍ୟାନ୍ସର ବିଜୟୀମାନେ । ତେବେ ବର୍ତ୍ତମାନ ଅତ୍ୟାଧୁନିକ ଜ୍ଞାନ କୌଶଳ ଉପଲବ୍ଧ ରହିଛି ଏବଂ ଉନ୍ନତ ମାନର ଚିକିତ୍ସା ସେବା ମଧ୍ୟ ମିଳିପାରୁଛି । ଏଥିସହିତ କ୍ୟାନ୍ସର ବିଜୟୀମାନେ ରୋଗର ମୂଳତ୍ପାଟନ ପାଇଁ ସରକାରୀ ଏବଂ ବେସରକାରୀ ସ୍ତରରେ ମଧ୍ୟ ବ୍ୟାପକ ଭାବେ ସଚେତନତା ସୃଷ୍ଟି କରାଯାଇଥିବା କହିଛନ୍ତି ।
କିନ୍ତୁ ଅନ୍ୟପଟେ ଆଜିକାଲି କ୍ୟାନ୍ସର ରୋଗର ସଂଖ୍ୟା ବୃଦ୍ଧିକୁ ନେଇ ଡାକ୍ତର ମାନେ ଅତ୍ୟନ୍ତ ଚିନ୍ତା ପ୍ରକଟ କରିଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ଚିହ୍ନଟ ନହେବା ଏକ ମୁଖ୍ୟ କାରଣ ବୋଲି ଦର୍ଶାଇଛନ୍ତି । ସଚେତନତା ହିଁ ଏକମାତ୍ର ବିକଳ୍ପ ବୋଲି ସମସ୍ତେ ମତବ୍ୟକ୍ତ କରିଥିବା ବେଳେ କେବଳ ସହରାଞ୍ଚଳ ନୁହେଁ ଗ୍ରାମଞ୍ଚଳରର ଏ ସଚେତନତା କାଯ୍ୟକ୍ରମକୁ ଜୋରଦାର କଲେ କର୍କଟ ରୋଗ ଉପରେ ବିଜୟ ପ୍ରାପ୍ତି ସହଜ ହେବ ।
ଏହି କାର୍ଯ୍ୟକ୍ରମରେ କର୍କଟ ରୋଗର ଜୀବନ ଯୁଦ୍ଧରେ ଜିତିଥିବା ପୀଡିତ ମାନେ ନିଜର ଅନୁଭୂତି ସମ୍ପର୍କରେ କହିଥିଲେ । ଏହି ଅବସରରେ କର୍କଟ ରୋଗ ସମ୍ପର୍କିତ ଏକ ପୁସ୍ତିକାକୁ ଉନ୍ମୋଚନ କରାଯାଇଥିଲା । ଶେଷରେ କ୍ୟାନ୍ସର ବିଜୟୀ ଏବଂ ଡାକ୍ତର ମାନଙ୍କୁ ନେଇ ଏକ ରାମ୍ପ ଶୋ’ କରାଯାଇଥିଲା ଯାହାର ଏକମାତ୍ର ଉଦେଶ୍ୟ ଥିଲା କ୍ୟାନ୍ସର ପିଡିତାଙ୍କୁ ସାମାଜିକ ବାସନ୍ଦରୁ ବଞ୍ଚିତ କରିବା ।