ଶ୍ରୀମନ୍ଦିର ବାହାରେ ଜଗା ଦର୍ଶନ କଲେ କର୍କଟ ରୋଗୀ, ଜୀବନ ମରଣ ସହ କରୁଛନ୍ତି ସଙ୍ଘର୍ଷ

ଜଗାକୁ ଟିକେ ଦେଖିବି । ଦେହର କଷ୍ଟକୁ ତ ଦୂର କରି ପାରିବିନି କିନ୍ତୁ ଜଗାକୁ ଟିକେ ଦେଖିଦେଲେ ମୋ ମନ ଭରି ଯିବ । କେତେ ଆଶା ଥିଲା ଜଗାକୁ ଟିକେ ପାଖରୁ ଦେଖିବି କିନ୍ତୁ ଶରୀର ଆଉ ବୋଲ ମାନୁନି । ଚାଲିବାକୁ ଅକ୍ଷମ ମୁଁ । ଜଗା ତୋତେ ମୁଁ କେମିତି ଦେଖିବି । ଏମିତି ରୋଗ ଦେଲୁ ଯେ ଉଠି ବସି ପାରୁନି । କିନ୍ତୁ ଯଦି ତୋ ଡୋରି ଲାଗେ ତୋତେ ଟିକେ ଦେଖି ଆସିବି । ଏସୁବ ଭାବନା ଦିନ ରାତି ଶୁଆଇ ଦେଉ ନଥିଲା ବିଜୟଙ୍କୁ । ଆଉ ବିଜୟଙ୍କ ମନ କଥା ଜାଣିବା ପରେ ତାଙ୍କ ସାନ ପୁଅ ଓ ସାନ ଭାଇ ବିଜୟଙ୍କୁ ଧରି ଶ୍ରୀମନ୍ଦିରରେ ପହଞ୍ଚିଥିଲେ । କିନ୍ତୁ ସେଠାରେ ଶ୍ରୀମନ୍ଦିର ଭିତରକୁ ଯିବା ବି ସମ୍ଭବ ହେଲାନି । ତେଣୁ ଷ୍ଟ୍ରେଚର ସାହାଯ୍ୟରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖକୁ ଆଣି ପତିତପାବନଙ୍କୁ ଦର୍ଶନ କରାଇଥିଲେ ପରିବାର ।

ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖରେ ଆଜି ଦେଖିବାକୁ ମିଳିଥିଲା ଏଭଳି ବିରଳ ଦୃଶ୍ୟ । ଷ୍ଟ୍ରେଚରରେ ଆସି ଜଗନ୍ନାଥ ଧାମରେ ପହଞ୍ଚିଥିଲେ ବିଜୟ । ବିଜୟଙ୍କ  ମନରେ ଥିଲା ଅଜସ୍ର କୋହ । କାରଣ ଜୀବନ ଓ ମରଣ ସହ ସଙ୍ଘର୍ଷ କରୁଛନ୍ତି ସେ । ଷ୍ଟ୍ରେଚର ଉପରେ ଶୋଇ ବିଜୟଙ୍କ ମୁହଁରୁ ବାହାରିଥଲା ଗୋଟିଏ ଶବ୍ଦ ଜୟ ଜଗନ୍ନାଥ । କ୍ୟାନ୍ସର ରୋଗରେ ପିଡ଼ିତ ଅଛନ୍ତି ବିଜୟ । କିନ୍ତୁ ଜଗା ଦର୍ଶନ କରିବାର ଇଚ୍ଛା ତାଙ୍କୁ ରାତି ରାତି ଶୁଆଇ ଦେଉନଥିଲା । ଆଉ ଏବେ ତାଙ୍କ ମନୋବାଞ୍ଛା ପୂର୍ଣ୍ଣ ହୋଇଛି । ଭକ୍ତ ଓ ଭଗବାନର ସମ୍ପର୍କ ବହୁ ଉର୍ଦ୍ଧ୍ବରେ । ଜଗାର ଡୋରି ଲାଗିଲେ ଭକ୍ତକୁ କେହି ଅଟକାଇ ପାରିବେନି । ଏ ହେଉଛି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ଭକ୍ତିର ଜ୍ବଳନ୍ତ ଉଦାହରଣ ।

ସୂଚନା ମୁତାବକ ଗତ ଏକ ବର୍ଷ ତଳେ କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି ଯାଜପୁର ଜିଲ୍ଲା କୁଆଖାଇ ଗାଁର ବିଜୟ କୁମାର ତରେଇ । ସ୍ୱାସ୍ଥ୍ୟର ପରିସ୍ଥିତି ଦିନକୁ ଦିନ ଜଟିଳ ହେଉଥିବାରୁ ମୃତ୍ୟୁ ପୂର୍ବରୁ ବିଜୟଙ୍କ ଶେଷ ଇଚ୍ଛା ଥିଲା ଜଗା ଦର୍ଶନ । ସେଥିପାଇଁ ପରିବାର ସମେତ ଆଜି ଗାଁରୁ ବାହାରି ପୁରୀରେ ପହଞ୍ଚି ଥିଲେ ବିଜୟ । ସେ  ଶ୍ରୀମନ୍ଦିର ଭିତରକୁ ଯାଇ ଦର୍ଶନ କରିବା ସମ୍ଭବ ନଥିଲା । ତେଣୁ ଏକ ଷ୍ଟ୍ରେଚରରେ ବିଜୟଙ୍କୁ ଶୁଆଇ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖକୁ ଆଣି ପତିତପାବନଙ୍କୁ ଦର୍ଶନ କରାଇଥିଲେ । ସାଥିରେ ଥିଲେ ବିଜୟଙ୍କ ସାନ ପୁଅ ସହ ସାନ ଭାଇ । ପ୍ରକୃତରେ ଜଗାର ଲୀଳା ବଡ଼ ବିଚିତ୍ର l ନିଜ ଭକ୍ତର ମନ କଥା ଜାଣିପାରେ ଜଗା । ତେଣୁ ରୋଗଶଯ୍ୟାରେ ପଡ଼ିଥିଲେ ବି ବିଜୟ ଶ୍ରୀମନ୍ଦିରକୁ ଯେମିତି ଟାଣି ହୋଇ ଆସିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like