ପହଲଗାମ୍ ଆତଙ୍କୀ ହମଲାକୁ ତୀବ୍ର ନିନ୍ଦା, ସାରା ରାଜ୍ୟରେ ମୃତକଙ୍କ ପାଇଁ କ୍ୟାଣ୍ଡେଲ ରାଲି

ପହଲଗାମ୍ ଆତଙ୍କୀ ହମଲା ସାରା ବିଶ୍ଵକୁ ଦୋହଲାଇଦେଇଛି । ସବୁଠି ଏହି ଘଟଣାକୁ ନିନ୍ଦା କରାଯାଉଛି । ଆତଙ୍କୀ ସାଧାରଣ ପର୍ଯ୍ୟଟକଙ୍କୁ ଯେଉଁଭଳି ଭାବେ ମାରିଛନ୍ତି ତାହାର ପ୍ରତିଶୋଧ ନେବାକୁ ସମଗ୍ର ଦେଶ ଚାହିଁ ରହିଛି । ଏହି ଆତଙ୍କୀ ହାମଲାକୁ ନେଇ ଓଡ଼ିଶାର ବିଭିନ୍ନ ସ୍ଥାନରେ ହୋଇଛି ତୀବ୍ର ବିରୋଧ । ବହୁତ ହୋଇଗଲା । ଏଣିକି ଦେଖିବ ଅସଲ ରୂପ । ପହଲଗାମ୍ ଆତଙ୍କୀ ହାମଲାକୁ ଦେଶ ବ୍ୟାପି ତୀବ୍ର ବିରୋଧ କରାଯାଉଥିବା ବେଳେ ଆଜି କଟକ ଏସସିବି ମେଡିକାଲରେ ନ୍ୟାସନାଲ ମେଡିକୋଶ ସଂସ୍ଥା ଏସିସବି ଶାଖା ପକ୍ଷରୁ କରାଯାଇଛି ତୀବ୍ର ବିରୋଧ ।

ଶତାଧିକ ଡାକ୍ତର, ଡାକ୍ତରୀ ଛାତ୍ରଛାତ୍ରୀ ହାତରେ ପ୍ଲାକାର୍ଡ ଓ କ୍ୟାଣ୍ଡେଲ ଧରି ଡିନ ଅଫିସ ନିକଟରୁ ଏକ ବିଶାଳ ରାଲି ବାହାରି ଏସସିବି ପରିକ୍ରମା କରି ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତି ନିକଟରେ ଶେଷ ହୋଇଥିଲା । ଦେଶରୁ ସବୁଦିନ ପାଇଁ ଆତଙ୍କବାଦ ଉପରେ ରୋକ ଲଗାଇବା ପାଇଁ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ସମସ୍ତ ଡାକ୍ତର । ଏହାସହ ହାମଲାରେ ମୃତାହତ ହୋଇଥିବା ସମସ୍ତ ପର୍ଯ୍ୟଟକଙ୍କୁ ସମବେଦନା ଜଣାଇଛନ୍ତି ଏସସିବିର ଶତାଧିକ ଡାକ୍ତର ।

ସେହିଭଳି କଟକ ଜିଲ୍ଲା ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ଓଟିଏମ ଦୁର୍ଗା ବଜାରଠାରେ ଚୌଦ୍ୱାର କଟକ ବରିଷ୍ଠ ବିଜେପି ନେତା ସନ୍ତୋଷ ମହାନ୍ତିଙ୍କ ନେତୃତ୍ୱରେ ପହଲଗାମ୍ ଆକ୍ରମଣକୁ ଦୃଢନିନ୍ଦା କରିବା ସହିତ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରିଥିଲେ । ତେବେ ପହଲଗାମରେ ଆତଙ୍କବାଦୀମାନେ ଯେଉଁ ବର୍ବର କାଣ୍ଡ ଘଟାଇଲେ ସେଥିରେ ୨୬ ଜଣଙ୍କ ନିରୀହ ଜୀବନ ଚାଲିଗଲା ।

ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ଯୁବକ ଓ ମହିଳାମାନେ କ୍ୟାଣ୍ଡେଲ ଧରି ଓଟିଏମ ଦୁର୍ଗା ବଜାର ଠାରୁ ତାରିଣୀ ମନ୍ଦିର ପର୍ଯ୍ୟନ୍ତ ଆସିଥିଲେ । ଏହି ଆକ୍ରମଣରେ ଓଡିଶା ବାଲେଶ୍ୱର ଜିଲ୍ଲାର ପରିବାରକୁ ମଧ୍ୟ ସମବେଦନା ଜଣାଥିଲେ ଶ୍ରୀ ମହାନ୍ତି । ଶୋଭାଯାତ୍ରା ଶେଷରେ ଶହୀଦ ହୋଇଥିବା ପରିବାର ବର୍ଗଙ୍କ ପାଇଁ ଦୁଇ ମିନଟ ପର୍ଯ୍ୟନ୍ତ ନୀରବ ପ୍ରାର୍ଥନା କରଯାଇଥିଲା ।

ସେହିଭଳି ମୃତ ସମସ୍ତ ପର୍ଯ୍ୟଟକଙ୍କ ଅମର ଆତ୍ମାର ଶାନ୍ତି ସକାଶେ ଏବଂ ହିନ୍ଦୁତ୍ୱ ରକ୍ଷା ନିମନ୍ତେ ବିନିକା ହିନ୍ଦୁ ଜାଗରଣ ମଞ୍ଚ ତରଫରୁ ଏକ ବିରାଟ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ମାତାମଠ ମନ୍ଦିର ପ୍ରାଙ୍ଗଣରୁ ଶତାଧିକ ଯୁବପିଢ଼ି ହାତରେ କ୍ୟାଣ୍ଡେଲ ଧରି ବିନିକା ସହର ପରିକ୍ରମା କରି ତହସିଲ ଅଫିସ ଛକ ନିକଟକୁ ଆସିଥିଲେ । ସେଠାରେ ଅନୁଷ୍ଠିତ ଶୋକ ସଭାରେ ହିନ୍ଦୁଙ୍କ ଉପରେ ବର୍ବର କାଣ୍ଡ ଘଟାଇ ଜୀବନ ନେଇଥିବା ଇସଲାମିକ ଆତଙ୍କବାଦୀ ମାନଙ୍କ ଉପରେ ଦୃଢରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ଦେଶର ସରକାର ଏନେଇ ପଦକ୍ଷେପ ନେବା ଜରୁରୀ ବୋଲି ଯୁବଶକ୍ତି ବକ୍ତବ୍ୟ ରଖିଥିଲେ ।

ସେହିଭଳି ଏହି ଆକ୍ରମଣର ପ୍ରତିବାଦ କରିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ସଂସ୍କୃତି ସୁରକ୍ଷା ସମିତି । ସମିତି ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ସରକାର ଆତଙ୍କବାଦୀ ପ୍ରତି ଘୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି । ଏହି ପରିପ୍ରେକ୍ଷୀରେ ସମିତି ପକ୍ଷରୁ ଏକ ମଶାଲ ଶୋଭାଯାତ୍ରା ବାହାର କରି ସହର ପରିକ୍ରମା କରାଯାଇଥିଲା । ଏହି ଶୋଭାଯାତ୍ରାରେ ବଜରଙ୍ଗ ଦଳ. ବିଶ୍ୱହିନ୍ଦୁ ପରିଷଦ ଓ ବିଭିନ୍ନ ଅନୁଷ୍ଠାନମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

ସେହିଭଳି ସହିଦ ହୋଇଥିବା ଭାରତୀୟ ହିନ୍ଦୁଙ୍କ ଉଦେଶ୍ୟରେ ବାଙ୍କୀ ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ମାଧ୍ୟମରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ହିନ୍ଦୁ ଜାଗରଣ ମଞ୍ଚର ଶତାଧିକ ଯୁବକ ଏହି ଶୋଭା ଯାତ୍ରାରେ ଆସି ବାଙ୍କୀ ବଜାର ପରିକ୍ରମା କରି ସମସ୍ତ ସହିଦ ଭାରତୀୟ ଅମର ରହେ ନାରା ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Also read: ଠିକ୍ ସମୟରେ ପାଠ କଲେ କଲମା, ଜୀବିତ ଛାଡିଦେଲେ ଆତଙ୍କବାଦୀ