ବେପରୁଆ ଗାଡି ଚାଳନାର ନଗ୍ନ ନମୂନା: ବଣ ଭୋଜି ସାରି ଫେରିବାବେଳେ, ପୋଲ ତଳକୁ ଖସିଲା କାର୍
ନବରଙ୍ଗପୁର: ନଦୀ ପୋଲ ଉପରୁ ଦେଖଉଛନ୍ତି ଲୋକେ, ତଳେ ଖସି ପଡ଼ିଛି କାର୍ । ପିକନିକ୍ ସାରି ଫେରିଲାବେଳେ ଘଟିଛି ଦୁର୍ଘଟଣା । ଦୁନିଆରେ ବେଳେ ବେଳେ ଏମିତି କିଛି ଘଟଣା ଘଟେ, ଯାହାକୁ ଭାବିଲା ବେଳକୁ ବି ଛାତି ଥରିଉଠେ । ଆମ ଆଖପାଖରେ ପ୍ରତିଦିନ ଅନେକ ଦୁର୍ଘଟଣା ଘଟୁଛି । ଯାହା ଦିନକୁ ଦିନ ବଢିବାରେ ଲାଗିଛି । ଗାଡିର ସଂଖ୍ୟା ବଢିବା ସହ ବଢିଚାଲିଛି ଦୁର୍ଘଟଣା । କେଉଁ ଦିନ ଓଭରବ୍ରିଜ ଉପରେ ଆକ୍ସିଡେଣ୍ଟ ତ କେଉଁଦିନ ଓଭରବ୍ରିଜ ତଳକୁ ଖସି ପଡିଲାଣି ଗାଡି । ଚାଳକଙ୍କ ଦାୟିତ୍ୱହୀନ ଡ୍ରାଇଭିଂ ପାଇଁ ଘଟିଚାଲିଛି ଏଭଳି ଦୁର୍ଘଟଣ । ଯାହାର ପୁଣି ଏକ ଦୃଶ୍ୟ ସାମ୍ନାକୁ ଆସିଛି ।
ନୂଆବର୍ଷରେ ଖୁସି ମଜା ବେଳେ ପୁଣି ଅଘଟଣ । ପୋଲ ତଳକୁ ଖସିପଡିଛି କାର୍, ଆଉ ପୋଲ ଉପରେ ଲାଗିଛି ଗାଡିଟିର ନମ୍ବର ପ୍ଲେଟ୍ । ବ୍ରିଜ୍ ବାଡ ଡେଇଁ ସିଧା ତଳେ ପଡିଛି କାର୍ ଟି । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା । ନବରଙ୍ଗପୁର ଇନ୍ଦ୍ରାବତୀ ନଦୀ ପୋଲ ତଳକୁ ଖସିପଡିଛି ଧଳା ରଙ୍ଗର କାର୍ ଟି । ତେବେ ଏହି ଭୟଙ୍କର ଦୁର୍ଘଟଣାରେ ଅଳ୍ପକେ ବର୍ତିଯାଇଛନ୍ତି କାର୍ ଭିତରେ ଥିବା ୪ ଜଣ ଯାତ୍ରୀ । ଆହତ ହୋଇଛନ୍ତି ସତ ହେଲେ ଜୀବନ ବଞ୍ଚି ଯାଇଛି ।
ନବରଙ୍ଗପୁର ସହରର ଆଇନଜୀବୀ ବରୁନ କୁମାର ନାୟକ । ନିଜ ପରିବାର ଏବଂ ସମ୍ପର୍କୀୟଙ୍କୁ ନେଇ କୋରାପୁଟ ଜିଲ୍ଲାର ଦେଓମାଳି ବୁଲିବାକୁ ଯାଇଥିଲେ । ଖୁବ୍ ହସ ଖୁସିରେ ବଣଭୋଜି ସାରି ବିଳମ୍ବିତ ରାତିରେ ନବରଙ୍ଗପୁର ସହରକୁ ଫେରୁଥିଲେ । ହଠାତ୍ ଭାରସ୍ୟାମ ହରାଇ ଇନ୍ଦ୍ରାବତୀ ପୋଲ ନିକଟରେ କାରଟି ପୋଲ ତଳକୁ ଖସି ପଡିଥିଲା । ଯାହାଫଳରେ କାରରେ ଥିବା ବରୁଣ, ତାଙ୍କ ସ୍ତ୍ରୀ ଏବଂ ଛତିଶଗଡ଼ ରାଜ୍ୟ ଜଗଦଲପୁରରୁ ଆସିଥିବା ତାଙ୍କର ଦୁଇ ସମ୍ପର୍କୀୟ ଗୁରୁତର ଆହତ ହୋଇଛନ୍ତି । କାରଟି ନିଜେ ବରୁଣ ଚଲାଉ ଥିଲେ । ବିନା ବିଶ୍ରାମରେ ଦିନ ସାରା ବୁଲାବୁଲି କରିବା ଫଳରେ କ୍ଳାନ୍ତ ହୋଇ ପଡ଼ିଥିଲେ । ତେଣୁ ଗାଡ଼ି ଚଳାଇବା ବେଳେ ତାଙ୍କ ଆଖିକୁ ଟିକେ ନିଦ ଆସି ଯାଇଥିଲା । ଫଳରେ ଏଭଳି ଅଘଟଣ ଘଟିଥିବା ବରୁଣ ନିଜେ ସ୍ୱୀକାର କରିଛନ୍ତି ।
ଏପଟେ ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଁଚି ୪ ଜଣଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି । ସମସ୍ତ ଆହତଙ୍କର ଏବେ ଜିଲ୍ଲା ମୁଖ୍ୟ ମେଡିକାରେ ଚିକିତ୍ସା ଜାରି ରହିଛି । ବେପରୁଆ ଗାଡି ଚାଳନାର ପୁଣି ଏକ ନଗ୍ନ ନମୂନା । ରାସ୍ତାରେ ଯାଉଥିବା ଗାଡି ବାଡ଼ା ଡେଇଁ ସିଧା ଯାଇ ପୋଲ ତଳେ । ତେବେ ଏତେ ବଡ ଦୁର୍ଘଟଣା ସତ୍ତ୍ବେ ଅଳ୍ପକେ ବର୍ତ୍ତିଯାଇଛି ଗାଡିରେ ଥିବା ସମସ୍ତ ଯାତ୍ରୀଙ୍କ ଜୀବନ ।
ତେବେ ବର୍ତ୍ତମାନ ପ୍ରାୟ ସମୟରେ ଏଭଳି ଦୁର୍ଘଟଣା ଘଟି ଅନେକ ଧନ, ଜୀବନ ଯାଉଛି । ବିଶେଷ କରି ପିକନିକ୍ ଗାଡ଼ି ଦୁଘଁଟଣା ଏକ ସାଧାରଣ କଥା ହୋଇଗଲାଣି । ତେବେ ଏହାର ଏକ ମୁଖ୍ୟ କାରଣ ହେଉଛି ରାତି ଅନିଦ୍ରା ଓ କମ୍ ବିଶ୍ରାମ । ଏହି ଦୁର୍ଘଟଣାରେ ଆହତ ହୋଇଥିବା ବରୁଣ ନିଜେ ଗାଡ଼ି ଚଳାଉଥିବା ବେଳେ ଆଖି ଲାଗି ଯିବାରୁ ଦୁର୍ଘଟଣା ଘଟିଥିବା ସ୍ୱୀକାର କରିଛନ୍ତି । ତେଣୁ ସେ ବସ୍ ହେଉ କିମ୍ବା ଅନ୍ୟ କୌଣସି ଗାଡ଼ି, ଚାଳକ ଯଦି ବିଶ୍ରାମ ନେଇ ନାହାନ୍ତି ଏବଂ କ୍ଳାନ୍ତ ଅନୁଭବ କରୁଛନ୍ତି ତେବେ ଗାଡ଼ି ଚଳାଇବା ପୂର୍ବରୁ ଭଲ ଭାବେ ବିଶ୍ରାମ ନିଅନ୍ତୁ । ନହେଲେ ଏଭଳି ଦୁର୍ଘଟଣାକୁ ଏଡ଼ାଇ ହେବ ନାହିଁ ।