ଭୁବନେଶ୍ୱର : ବାତିଲ ହେଲା ହ୍ୟୁଷ୍ଟନ ଇସ୍କନ ରଥଯାତ୍ରା । ମହାପ୍ରଭୁ ଜଗନ୍ନାଥଙ୍କ ଓଡ଼ିଆ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଇସ୍କନ ରଥଯାତ୍ରା ବାତିଲ ହୋଇଛି । ଏନେଇ ପ୍ରେସ ରିଲିଜ ଜରିଆରେ ଇସ୍କନ ପରିଷଦ ସୂଚନା ଦେଇଛି । ଇସ୍କନର ଗଭର୍ଣ୍ଣିଂ ବଡ଼ି କମିସନ ସଦସ୍ୟ ଅନୁତମ ପ୍ରଭୁ ଓ ଜିସିବିର କମ୍ୟୁନିକେସନ ମିନିଷ୍ଟରଙ୍କ ଆଲୋଚନା ପରେ ଇସ୍କନ ରଥଯାତ୍ରା ବାତିଲ ନେଇ ନ୍ୟାସନାଲ କମ୍ୟୁନିକେସନ ଡାଇରେକ୍ଟର ଯୁଧିଷ୍ଟିର ଗୋବିନ୍ଦ ପ୍ରଭୁ ସୂଚନା ଦେଇଛନ୍ତି ।
ଏବେ ହ୍ୟୁଷ୍ଟନ ଇସ୍କନ କର୍ତ୍ତୃପକ୍ଷ ଗୌର ନିତାଇ ସଂକୀର୍ତ୍ତନ ଯାତ୍ରା ହେବ ବୋଲି କୁହାଯାଇଛି । ନଭେମ୍ବର ୯ ତାରିଖରେ ହ୍ୟୁଷ୍ଟନ ଇସ୍କନ ରଥଯାତ୍ରା ଆୟୋଜନ କରିବାକୁ ପ୍ରସ୍ତୁତି ଚଳାଇଥିଲା । ଏହାକୁ ଚାରିଆଡୁ ତୀବ୍ର ବିରୋଧ ମଧ୍ୟ କରାଯାଇଥିଲା । ମହାପ୍ରଭୁ ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ଦିବ୍ୟସିଂହ ଦେବ ମଧ୍ୟ ଏହାକୁ ବାତିଲ କରିବାକୁ ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ । ଆଜି ପ୍ରେସ ମିଟରେ ଇସ୍କନର ରଥଯାତ୍ରା ଆୟୋଜନ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ ଗଜପତି । ଏଥିରୁ ନିବୃତ୍ତ ନରହିଲେ ଆଇନଗତ ପଦକ୍ଷେପ ନିଆଯିବ ବୋଲି କହିଥିଲେ ଗଜପତି ଦିବ୍ୟସିଂହ ଦେବ ।