ନୀରିହ ବୋଲି କଣ ବଞ୍ଚିବାର ହକ୍ ନାହିଁ? ପୁଣି କାର ଚକା ତଳେ ଗଲା ୩ ଛୁଆ କୁକୁରଙ୍କ ଜୀବନ

ଭୁବନେଶ୍ବର(କେନ୍ୟୁଜ୍): ନୀରିହ ବୋଲି ନିର୍ଦ୍ଦୟ ହେଲା କାର ଚଳାକ। ଚକା ଚଢାଇ ନେଇଗଲା ୩ କୁକୁର ଛୁଆଙ୍କ ଜୀବନ। ପୁଣି ରାଜଧାନୀରେ ଘଟିଛି ଏଭଳି ଘଟଣା। ଭୁବନେଶ୍ବର ସୂର୍ଯ୍ୟନଗର ଅଞ୍ଚଳରେ କେହି ଜଣେ କାର ବାଲା ୫ଟି କୁକୁର ଛୁଆ ଉପରେ କାର ଚଢାଇ ଦେଇଥିଲା। ସେଥିରୁ ୩ ଟି କୁକୁର ଛୁଆ ଘଟଣା ସ୍ଥଳରେ ଆଖିବୁଜିଥିବା ବେଳେ ୨ଟି କୁକୁର ଛୁଆ ଗୁରୁତର ହୋଇଥିଲେ। ଯାହାକୁ ଜଣେ ସାମ୍ବାଦିକ  ଭିଡିଓ କରି ଫେସବୁକରେ ପୋଷ୍ଟ କରିଥିଲେ । ଏହାକୁ ନେଇ ଭୀମଟାଙ୍ଗୀ ଅଞ୍ଚଳର ଏକ ସାମାଜିକ ସଂଗଠନ ‘ସେବା ହିଁ ସଂକଳ୍ପ’ର ସଦସ୍ୟ ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି ।

ତେବେ ଏହା  ପ୍ରଥମ ଘଟଣା ନୁହେଁ । ରାଜଧାନୀ ଭୁବନେଶ୍ବରରେ ଏଭଳି ଅନେକ ଘଟଣା ଘଟୁଛି। କିନ୍ତୁ କିଛି ଦୃଷ୍ଟି ଗୋଚରକୁ  ଆସୁଛି ପୁଣି କିଛି ଲୁଚି ଯାଉଛି। ନୀରିହ କୁକୁର ଛୁଆଙ୍କ ପ୍ରତି ଅନେକ ଗାଡ଼ି ଡ୍ରାଇଭର ଅସମ୍ବେଦନଶୀଳ ରହୁଛନ୍ତି । ଯହାର ପରିଣାମ ସ୍ବରୂପ ଅନେକ କୁକୁର ଛୁଆ ଅକାରଣେ ପ୍ରାଣ  ହରାଉଛନ୍ତି।

କିଛି  ମାସ ପୂର୍ବେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ କ୍ୟାବ୍ ଡ୍ରାଇଭର ୪ କୁକୁର ଛୁଆକୁ ଗାଡ଼ି ଚଢାଇ ମାରିଦେଇଥିଲା। ଲୋକେ ସେ କ୍ୟାବ୍ ଡ୍ରାଇଭରକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଅଟକି ନଥିଲା। ପରେ ପଶୁପ୍ରେମୀଙ୍କ ଏତଲା କ୍ରମେ ସେହି କ୍ୟାବ ଡ୍ରାଇଭରକୁ ଗିରଫ କରି  କୋର୍ଟ ଚାଲାଣ କରିଥିଲା ଚନ୍ଦ୍ରଶେଖରପୁର ପୋଲିସ। ତେବେ ଏହି ଘଟଣାକୁ ନେଇ ଖଣ୍ଡଗିରି ପୋଲିସ କେତେ କ୍ରିୟାଶୀଳ ରହୁଛି ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.