ସାମ୍ନାରୁ ଆସୁଥିବା ଗାଡିକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ ଖୁଣ୍ଟରେ ପିଟିହେଲା କାର, ଜଣେ ମୃତ
ଜୟପୁର: ଅନ୍ୟକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଜୀବନ। ସାମ୍ନାରୁ ଆସୁଥିବା ଅନ୍ୟ ଏକ ଗାଡ଼ିକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ ଖୁଣ୍ଟରେ ପିଟିହେଲା କାର । ଜୟପୁର ବ୍ରାହ୍ମଣୀ ଗାଁ ଫରେଷ୍ଟ ଗେଟ ନିକଟରେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି । ମୃତକ ଏକ ଘରୋଇ ବ୍ୟାଙ୍କର କର୍ମଚାରୀ ଚନ୍ଦନ ମହାନ୍ତି। କାରରେ ଥିବା ଅନ୍ୟ ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସଦର ପୋଲିସ କହିଛି । ଚନ୍ଦନଙ୍କ ମୃତ୍ୟୁକୁ ନେଇ ଶୋକର ଛାୟା ଖେଳିଯାଇଥିବା ବେଳେ ତାଙ୍କର ଆତ୍ମାର ସଦଗତି ପାଇଁ ଶୋକସଭା ପାଳନ କରାଯାଇଛି ।
ସୂଚନା ଯୋଗ୍ୟ ଗତକାଲି ରାୟଗଡା ଜିଲ୍ଲା ଆମ୍ବଦଲା ଥାନା ବନ୍ଧୁଗୁଡ଼ା ଗାଁ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ମୃତ ଓ ୩ ଜଣ ଗୁରୁତର ହୋଇଛନ୍ତି । ଦୁର୍ଘଟଣା ପରେ କଲଭର୍ଟ ତଳକୁ ଖସି ପଡ଼ିଥିଲା କାର । ଆନ୍ଧ୍ର ପ୍ରଦେଶର କାକିନାଡ଼ା ସହରର ୫ ଜଣ ଯୁବକ ଏକ ବାହାଘର ଭୋଜି ରାନ୍ଧିବାକୁ ବରଗଡ଼ ଆସିଥିଲେ । ସେଠାରୁ ଏକ କାର ଯୋଗେ ଫେରୁଥିବା ବେଳେ ଆମ୍ବାଦଳା ଥାନା ବନ୍ଧଗୁଡ଼ା ନିକଟରେ ଭାରସାମ୍ୟ ହରାଇ ଏକ ପୋଲର ୨୦ ଫୁଟ ତଳକୁ ଖସି ପଡ଼ିଥିଲା ।