କାରକୁ ହାଇଟେକ ଷ୍ଟାଇଲରେ ଚୋରି ଫେରାର୍ ମାରିଲା ଚୋର

ପଟ୍ଟାମୁଣ୍ଡାଇ: ଏଣିକି ଦୋକାନୀ ହୁଅନ୍ତୁ ସାବଧାନ! ମାତିଛନ୍ତି ଚେୋର । ଗ୍ରାହକ ବେଶରେ ଆସୁଛନ୍ତି ଯାହା ସାମ୍ନାରେ ପଡୁଛି ଲୁଟି ନେଉଛନ୍ତି । ମୁହଁରେ ମାସ୍କ ପିନ୍ଧି ଆସୁଛନ୍ତି ଆଉ ଘଟଣା ଘଟାଉଛନ୍ତି । ଯୁଗ ଯେତିକି ଯେତିକି ଆଗକୁ ଯାଉଛି ଚୋରମାନେ ମଧ୍ୟ ସେହି ଅନୁପାତରେ ନୂଆ ନୂଆ ଉପାୟରେ ଚୋରି କରୁଥିବା ଦେଖିବାକୁ ମିଳୁଛି । । ଦିନ ଦ୍ୱିପ୍ରହରରେ ଆଖି ଆଗରୁ ଲୁଟ୍ । ଅତି ଚତୁରତାର ସହ ଦୋକାନ ଭିତରକୁ ଆସି ଗାଡି ଚାବି ନେଇ ଗାଡି ଧରି ଛୁ ମାରିଲା ଲୁଟେରା । କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ବାଲିପଡ଼ା ଛକରେ ଘଟିଛି ଏଭଳି ଏକ ଘଟଣା । ଯାହାର ସିସିଟିଭି ଭିଜୁଆଲ୍ ସାମ୍ନାକୁ ଆସିଛି ।

ଖବର ମୁତାବକ, ବାଲିପଡ଼ା ଛକରେ ଥିବା ଏକ ରଡ୍, ଗୋଡ଼ି ଦୋକାନର ମାଲିକଙ୍କ କାରକୁ ହାଇଟେକ ଷ୍ଟାଇଲରେ ଚୋରି ହୋଇଥିବା ନେଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି ଉକ୍ତ ଦୋକାନର ମାଲିକ ବିଶ୍ୱରଂଜନ ପାତ୍ର । ଅଭିଯୋଗ ମୁତାବକ ଜଣେ ଦୁର୍ବୁତ୍ତ ଗ୍ରାହକ ଭାବେ ଆସି ପ୍ରଥମେ ଦୋକାନରେ ଆସି ବସିଥିଲା । ମାଲିକଙ୍କୁ ରଡ଼ର ମୂଲ୍ୟ କେତେ ପଚାରିଥିଲା । ଆଉ ଯେତେବେଳେ ମାଳିକ ଜଣକ ଟିକେ ଅନ୍ୟ ମନସ୍କ ହୋଇଥିଲେ ସେହି ସମୟରେ ତାଙ୍କ ଟେବୁଲ୍ ଉପରୁ ତାଙ୍କ କାର୍ ଚାବିକୁ ଚୋରି କରିନେଇଥିଲା ଚୋର ଜଣକ ଏବଂ କିଛି ମୁହୂର୍ତ୍ତ ଭିତରେ ତାଙ୍କ ହ୍ୟୁଣ୍ଡାଇ ଭେନ୍ୟୁ କାରଟିକୁ ଚୋରି କରିନେଇ ଘଟଣାସ୍ଥଳରୁ ଛୁ ମାରିଥିବା ଜଣାପଡିଛି ।

ଏପଟେ ଉକ୍ତ କାରଟି ଦୋକାନୀଙ୍କ ପତ୍ନୀଙ୍କ ନାଁରେ ରେଜିଷ୍ଟ୍ରର ରହିଥିଲା । କାରଟି ଚୋରି ହୋଇଥିବା ନେଇ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ହୋଇଥିବା ବେଳେ, କାର୍ ଚାବି ଚୋରି ସମୟର ସିସିଟିଭି ଭିଜୁଆଲ ଦୋକାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି l ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ କରି କାର୍ ଟିକୁ ଜବତ କରିବାନେଇ ମାଲିକ ନିଜର ପ୍ରତିକ୍ରିୟା ରଖିଛନ୍ତି । ତେବେ ଅଭିଯୋଗ ପରେ ପୋଲିସ୍ ସିସିଟିଭି ଫୁଟେଜ ଆଧାରରେ ଘଟଣାର ଛାନଭିନ ଆରମ୍ଭ କରିଥିବାବେଳେ ସ୍ପଷ୍ଟ ଦିବାଲୋକରେ ଏମିତି ଚୋରି ଘଟଣା ପରେ ପଟ୍ଟାମୁଣ୍ଡାଇ ବ୍ୟବସାୟୀ ମାନଙ୍କ ମଧ୍ୟରେ ଛନକା ପଶିଛି ।