ବାର୍ଦ୍ଧକ୍ୟ ଭତ୍ତା ପାଇଁ ମାଆକୁ କାନ୍ଧରେ ବୋହି ବୋହି ଆଣିଲେ ଅଫିସ

କାମାକ୍ଷାନଗର: ବୟସ ୮୦ ପାର ହେଲାଣି । ଚର୍ମ ଧୁଡ଼ୁ ଧୁଡ଼ୁ ହେଲାଣି । କଥା ମଧ୍ୟ ଠିକରେ କହିପାରୁ ନାହାଁନ୍ତି । ହେଲେ ଆଜି ଯାଏଁ ସରକାରଙ୍କ ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। ମାକୁ ଟେକି ଟେକି ଏ ଅଫିସ୍ ରୁ ସେ ଅଫିସ୍ ଘୂରି ବୁଲୁଛି ପୁଅ । ପୂର୍ବରୁ ଅଭିଯୋଗ ହୋଇଥିଲେ ମଧ୍ୟ ସମାଧାନ ହୋଇପାରି ନାହିଁ । ଶେଷରେ ଚାଲିନପାରିବା ଯୋଗୁ ପୁଅ ଆଜି ଟେକି ଟେକି ମାଆକୁ ଆଣିଛି କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ନିକଟକୁ ଅଭିଯୋଗ କରିବା ପାଇଁ ।
ଶତପ୍ରତିଶତ ଭିନ୍ନକ୍ଷମ ଥିବା କାରଣରୁ ଚାଲିବାକୁ ସକ୍ଷମ ନୁହଁନ୍ତି ପର୍ଜଙ୍ଗ ବ୍ଲକ ମୁକ୍ତାପଶି ଗାଁର ରେଣୁ ସାହୁ । ବୟସ ମଧ୍ୟ ୮୦ରୁ ଊର୍ଦ୍ଧ୍ବ ହୋଇ ଗଲାଣି । ଏହାରି ଭିତରେ ସାହାରା କହିଲେ ପୁଅ ଭରତ ସାହୁ । ମାକୁ ଏ ଅଫିସରୁ ସେ ଅଫିସ ବୋହି ବୋହି ନେଉଛନ୍ତି ଭରତ । ସେ ସରକାରଙ୍କ ତରଫରୁ ୧୨ ସହ ଟଙ୍କା ଭତ୍ତା ପାଉଥିବା ବେଳେ ସେତିକିରେ ଚଳିବା କଷ୍ଟକର ହୋଇ ପଡିଛି । ବର୍ଦ୍ଧିତ ଭତା ହିସାବରେ ସେ ୩୫୦୦ ଟଙ୍କା ପାଇବେ କିନ୍ତୁ ତାଙ୍କ ଗୁହାରି ସରକାରୀ ବାବୁଙ୍କ କାନରେ ପଡୁନାହିଁ ।
ଏନେଇ ବୃଦ୍ଧା ମାଙ୍କୁ ବୋହି ଆଣିଲେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ନିକଟକୁ ।ଉପଜିଲ୍ଲାପାଳ ଦିନମଣି ନାୟକ ତାଙ୍କ ଠାରୁ ଦାବିପତ୍ର ରଖିବା ସହିତ କିପରି ତାଙ୍କର ବର୍ଦ୍ଧିତ ଭତ୍ତା ପାଇବେ ସେନେଇ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି । ତେବେ ଦୀର୍ଘ ବର୍ଷ ହେବ ଏମିତି ମାଆକୁ କାନ୍ଧରେ ବୋହିବାକୁ ପଡୁଥିବା କହିଛନ୍ତି ରେଣୁଙ୍କ ପୁଅ ଭରତ । ବୁଢି ମାଆକୁ ଟେକି ଟେକି ଅଫିସ ସାରା ଘୁରି ବୁଲିବା କେତେ କଷ୍ଟ ଏହି ଦୃଶ୍ୟକୁ ଦେଖି ଆପଣମାନେ ଜାଣି ପାରୁଥିବେ। ପରିଣତ ବୟସ ପୁଣି ତା ସାଙ୍ଗକୁ ଶତ ପ୍ରତିଶତ ଦିବ୍ୟାଙ୍ଗ ।
Also read:ଲଭ୍, ସେକ୍ସ ଓ ଧୋକା ଅଭିଯୋଗରେ SI ଗିରଫ, ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ପୀଡ଼ିତା