ଷଣ୍ଢକୁ ବଞ୍ଚାଇବାକୁ ଯାଇ ଜଳି ପୋଡି ପାଉଁଶ ହୋଇଗଲା କାର୍

ପିପିଲି : ବାପ୍ ରେ ବାପ୍ କି ନିଆଁ । ଧୂଆଁମୟ ସାରା ପରିବେଶ । ଯାହାକୁ ଦେଖିବାକୁ ଲାଗିଛି ଲୋକଙ୍କ ଗହଳି । ରାସ୍ତା କଡକୁ ଓଲଟି ପଡିଛି କାର୍ ଟି । ଆଉ ସେଥିରେ ଲାଗିଯାଇଛି ନିଆଁ । ନିଆଁକୁ ଆୟତ କରିବାରେ ପୁରା ଦମ୍ ରେ ଲାଗିଛନ୍ତି ଅଗ୍ନୀଶମ ବାହିନୀ । ଆଉ ଏପଟେ ରାସ୍ତା ଉପରେ ବସିଛନ୍ତି ଜଣେ ଯୁବତୀ । କିଛି ସମୟ ପରେ ତାଙ୍କୁ ଜଣେ ବ୍ୟକ୍ତି ଟେକି ଟେକି ନେଇ ଏକ ଅଟୋରେ ବସାଉଛନ୍ତି । ପରିସ୍ଥିତି ଦେଖି ଯାହା ଲାଗୁଥିଲା କି, ଏକ ବଡ ସଡକ ଦୁର୍ଘଟଣା ଘଟିଛି ।
ହେଲେ ଘଟଣା କଣ ବୁଝୁ ବୁଝୁ ସାମ୍ନାକୁ ଆସିଲା ଦୁର୍ଘଟଣା ପଛର ପ୍ରକୃତ କାରଣ । ଷଣ୍ଢକୁ ବଞ୍ଚାଇବାକୁ ଯାଇ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । କାର୍ ଓ ଓଲା ଗାଡ଼ି ଭିତରେ ଧକ୍କା । ସୂଚନା ମୁତାବକ, ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଏକ ଓଲା ବାଇକ୍ ଏବଂ ଏକ କାର୍ ଆସୁଥିଲା । ଠିକ୍ ଦାଣ୍ଡମୁକୁନ୍ଦପୁର ବାହାବଜା ଛକ ନିକଟରେ ଏକ ଷଣ୍ଢ ହଠାତ୍ କରି ଡାହାଣ ପଟୁ ବାମ ପଟ ରାସ୍ତା ଉପରକୁ ଚାଲି ଆସିଲା । ଆଉ ଦେଖୁ ଦେଖୁ କାର୍ ଚାଳକ ଜଣକ ଷଣ୍ଢଟିକୁ ବଞ୍ଚାବାକୁ ଯାଇ ବାମପଟକୁ କାର୍ ଟିକୁ କାଟି ଦେଇଥିଲେ ଏବଂ ବାମ ପଟେ ଥିବା ଏକ ଓଲା ବାଇକ୍ ରେ ସିଧା ଯାଇ ମାଡ ହୋଇଥିଲେ ।
ଏହା ପରେ ଦୁଇଟି ଯାକ ଗାଡି ରାସ୍ତା କଡରେ ଥିବା ନଇଁ ଯୋଡିରେ ପଶିଯାଇଥିଲା । ଯାହପରେ ହଠାତ୍ କାର୍ ଟିରେ ଭୟଙ୍କର ଭାବେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ କାର୍ ଟି ସମ୍ପୂର୍ଣ ଜଳି ପୋଡି ନିଆଁ ଆଁରେ ପାଉଁଶ ହୋଇଯାଇଥିଲା ।
କାରରେ ୪ ଜଣ ଲୋକଥିବା ବେଳେ ସେଥିରେ ଏକ ୩ମାସର ଛୁଆ ଥିଲା କିନ୍ତୁ ସୌଭାଗ୍ୟ ବଶତଃ ଦୁର୍ଘଟଣାରେ କାହାର କିଛି ହୋଇନାହିଁ । ଘଟଣା ସ୍ଥଳରେ ପିପିଲି ଅଗ୍ନୀଶମ ବାହିନୀ ପହଞ୍ଚି ଲାଗିଥିବା କାର୍ ରେ ଲାଗିଥିବା ନିଆଁକୁ ଆୟତ କରିଥିଲେ । ଦୁର୍ଘଟଣାରୁ ଏମିତି ବଞ୍ଚିଯାଏ ଜୀବନ । କଥାରେ ଅଛି ନା ରଖେ ହରି ତ ମାରେ କିଏ । ଯାହାର ଆୟୁଷ ପୂରି ନଥିବ ତାକୁ କଣ ଯମ ନେଇପାରେ। ଯାହାର ଏକ ବଡ ଉଦାହରଣ ଏହି ଘଟଣା ।