ଜନସେବା କେନ୍ଦ୍ରରେ ପଶି ଆକ୍ରମଣ ମାମଲା, ପ୍ରତିବାଦରେ ଉତ୍ଯକ୍ତ ଲୋକଙ୍କ ଦୋକାନ ଓ ବାଇକ୍ ପୋଡି ଅଭିଯୋଗ

ଆନନ୍ଦପୁର: ସାମାନ୍ଯ କଥାକୁ କେନ୍ଦ୍ରକରି ଥାନା ନିକଟରେ ଥିବା ଜନସେବା କେନ୍ଦ୍ରରେ ପଶି ମାଲିକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗ । ଗୁରୁତର ଅବସ୍ଥାରେ ମାଲିକ ଡାକ୍ତରଖାନାରେ ଭର୍ତ୍ତି । ଅପରପଟେ ଘଟଣାକୁ କେନ୍ଦ୍ରକରି ଉତ୍ଯକ୍ତ ଲୋକଙ୍କ ଦ୍ବାରା ବଜାରରେ ଥିବା ଆକ୍ରମଣକାରୀ ଭାଇଙ୍କ ଏକ ଚିକେନ୍ ସେଣ୍ଟର ସହ ବାଇକ୍ ପୋଡି ଅଭିଯୋଗ ହୋଇଛି । ପରିସ୍ଥିତିକୁ ନଜରରେ ରଖି ସ୍ଥାନୀୟ ବଜାରରେ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନାକୁ ଲାଗି ଗଢିଉଠିଥିବା ମରୈଗାଁ ବଜାରରେ । ଥାନା ନିକଟରେ ଏକ ଜନସେବା କେନ୍ଦ୍ର କରିଥିବା ଅମର ସେଠୀଙ୍କୁ ନିକଟସ୍ଥ ଚଣ୍ଡିବିରଞ୍ଚିପୁର ଗାଁର କିଛି ଲୋକେ ଆଜି ଦୋକାନରେ ପଶି ସଂଘବଦ୍ଧ ଆକ୍ରମଣ କରିବାରୁ ଏଭଳି ପରିସ୍ଥିତି ଉପୁଜିଛି । ପୂର୍ବରୁ ଚଣ୍ଡୀବିରଞ୍ଚିପୁର ଗାଁର ପ୍ରତାପ ଜେନାଙ୍କ ସହ ଏକ PF ଅନଲାଇନ୍ ଆବେଦନକୁ ନେଇ ଯୁକ୍ତିତର୍କ ହୋଇଥିଲା । ଆଜି ତାଙ୍କ ଏକାଉଣ୍ଟରୁ ଟଙ୍କା ସମ୍ପୃକ୍ତ ଜନ ସେବା କେନ୍ଦ୍ରର ମାଲିକ ଉଠାଇ ନେଇଥିବା ସନ୍ଦେହ କରି  ଗାଁ ରୁ କିଛି ଯୁବକଙ୍କୁ ସାଙ୍ଗରେ ଆଣି ଦୋକାନ ଭିତରେ ପଶି ଧାରୁଆ ଅସ୍ତ୍ରରେ ଅମରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।