ଆମ୍ବ ଟାକୁଆ ଖାଇ ଅସୁସ୍ଥ ମାମଲା, ଅବସ୍ଥା ସୁଧୁରୁଛି କିନ୍ତୁ ବିପଦମୁକ୍ତ କହିହେବ ନାହିଁ ବୋଲି କହିଲେ ଡାକ୍ତର

କଟକ : “ଅବସ୍ଥା ସୁଧୁରୁଛି କିନ୍ତୁ ବିପଦମୁକ୍ତ ବୋଲି କହିହେବ ନାହିଁ”, ଆମ୍ବ ଟାକୁଆ ଖାଇ ଅସୁସ୍ଥ ହୋଇ ଚିକିତ୍ସା ହେଉଥିବା ଟୁନି ମାଝୀ ଓ ଜିତା ମାଝୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ନେଇ ଏସ ସି ବି ପକ୍ଷରୁ ଏହି ପ୍ରତିକ୍ରିୟା ରଖାଯାଇଛି ।  ଆଇ ସି ୟୁ ଭିତରେ ଦୁଇ ଜଣଙ୍କର ଚିକିତ୍ସା ଜାରି ରହିଥିବା ବେଳେ, ସେମାନଙ୍କର ଚେତା ଅଛି, କଥାବାର୍ତ୍ତା କରୁଛନ୍ତି ବୋଲି ସୂଚନା ଦେଇଛନ୍ତି ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ।  ବିଷକ୍ରିୟା ପ୍ରଭାବରେ ଲିଭର୍, କିଡନୀ, ମସ୍ତିଷ୍କ ଆଦି ପ୍ରଭାବିତ ହୋଇଛି, ତେବେ ଧଇଁ ସଇଁ ଲକ୍ଷଣ କମିଛି, ମୂତ୍ର କ୍ରିୟା ସ୍ବାଭାବିକ ହେଉଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ଡାକ୍ତର ପଣ୍ଡା ।  ଯଦି ସବୁକିଛି ଠିକ୍ ଭାବରେ ଚାଲେ ତେବେ, ଏହି ଭଳି ରୋଗୀଙ୍କ କ୍ଷେତ୍ରରେ ସ୍ବାଭାବିକ ସ୍ଥିତିକୁ ଫେରିବା ପାଇଁ ଚିକିତ୍ସା ପ୍ରକ୍ରିୟା ଦୁଇ ସପ୍ତାହରୁ ଅଧିକ ସମୟ ଚାଲି ପାରେ ବୋଲି କହିଛନ୍ତି ଡାକ୍ତର।

କୌଣସି ପ୍ରକାର ଖାଦ୍ୟ ବିଷରେ ପରିଣତ ହେବା ଉଚିତ୍ ନୁହେଁ ବୋଲି କହିଛନ୍ତି ଡାକ୍ତର ଜୟନ୍ତ ପଣ୍ଡା । ଖାଦ୍ୟ ଗରମ,ତଟକା ତଥା ପୃଷ୍ଟିକର ହେବା ଉଚିତ୍ ବୋଲି କହିଛନ୍ତି । ଲାଉ ରସ, ଦହି ଖାଇ ମଧ୍ୟ ବ୍ୟକ୍ତି ମୃତ୍ୟୁ ବରଣ କରିଥିବାର ନଜିର ଅଛି ବୋଲି କହିଛନ୍ତି । ଆମେ ଅନେକ ସମୟ ରେ ବିଭିନ୍ନ ପ୍ରକାର ମଞ୍ଜି, ମଞ୍ଜା ତଥା ମଞ୍ଜି ଉପର ଚୋପା ଖାଇ ଥାଉ, କିନ୍ତୁ ତାହା ଖାଇବା ଉପଯୋଗୀ ଅବସ୍ଥାରେ ଅଛି କି ନାହିଁ ତାହା ପରଖି ନେବା ଉଚିତ୍ ବୋଲି କହିଛନ୍ତି ଡାକ୍ତର । ଯଦି ସନ୍ଦେହ ହୁଏ ତେବେ ଏହାକୁ ଉଚ୍ଚ ତାପମାତ୍ରାରେ ଗରମ କରି ଖାଇଲେ ବିଷର ପ୍ରଭାବ ନଷ୍ଟ ହୋଇଯାଏ ବୋଲି ପ୍ରତିକ୍ରିୟା ରଖିଛନ୍ତି ।

 

 

You might also like