ସକାଳ ୧୦ଟାରେ ଘରୁ ଲୁଟ, ରୋଷେଇ ଘର ଝରକା ତାଡ଼ି ନେଇଗଲେ ନଗଦ ଟଙ୍କା ଓ ଅଳଙ୍କାର

ଘର ଚାରିପାଖରେ ଖୋଜୁଛି ସନ୍ଧାନୀ କୁକୁର । ଜମିଛି ଲୋକଙ୍କ ଗହଳି । ଏପଟେ ତଦନ୍ତ ଚଳାଇଛନ୍ତି ପୋଲିସ । କାରଣ ସକାଳୁ ଜଣକ ଘରେ ହୋଇଛି ଲୁଟ । କୌଣସି କାମ ପାଇଁ ସ୍ୱାମୀ ସ୍ତ୍ରୀ ସକାଳୁ ଟାଉନକୁ ଆସିଥିଲେ । କିନ୍ତୁ ଘରକୁ ଗଲା ବେଳକୁ ସୁନା ରୂପ ଅଳଙ୍କାର ସବୁ ଗାୟବ । ଘରେ କେହି ନଥିବାର ସୁଯୋଗ ନେଇ ଲୁଟିନେଇଛନ୍ତି ସବୁକିଛି । ଦିନ ରାତି ସକାଳ ସନ୍ଧ୍ୟା କିଛି ମାନୁନାହାନ୍ତି ଏ ଲୁଟେରା । ଖାଲି ଲୁଟ କରିବା ପାଇଁ ଖୋଜି ବୁଲୁଛନ୍ତି ମୌକା ଆଉ ଟିକିଏ ସୁଯୋଗ ପାଇଲେ ଘର ଖାଲି କରିଦେଉଛନ୍ତି ।

ଲୁଟ୍‌ କରିବା ପାଇଁ ଲୁଟେରାଙ୍କ ଚାଲାକି ବଢ଼ିଚାଲିଛି । ଏମିତି ପ୍ରତ୍ୟେକ ଦିନ ଘଟୁଛି । ଏ ଚୋରଙ୍କ ଲୋଲୁପ ନଜରରୁ ବଞ୍ଚି ପାରୁ ନାହାନ୍ତି ସାଧାରଣ ମଣିଷ । ଠିକ ସେହିଭଳି ଏବେ ଯାଜପୁର ଥାନା ଅନ୍ତର୍ଗତ ବିରଜାପୁର ଗ୍ରାମରେ ଦିନ ଦ୍ୱିପ୍ରହରରେ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସେହି ଗାଁର ଅଶ୍ୱନୀ କୁମାର ନାୟକଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ରୁପା ସମେତ ନଗଦ ୪୦ହଜାର ଟଙ୍କା ଚୋରି ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ଅଶ୍ୱନୀ ଦିନ ୧୦ଟାରେ ନିଜ ପତ୍ନୀଙ୍କୁ ନେଇ ଯାଜପୁର ଟାଉନ ଆସିଥିବା ସୁଯୋଗ ନେଇ କେହି ଦୁର୍ବୁତ୍ତ ରୋଷେଇ ଘର ଝରକା ଭାଙ୍ଗି କଳାକନା ବୁଲେଇଥିଲେ । ଏ ନେଇ ଯାଜପୁର ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅପରାହ୍ନରେ ଡ଼ଗ ସ୍କ୍ୱାଡ଼ ଘଟଣାସ୍ଥାନରେ ପହଞ୍ଚି ତଦନ୍ତଆରମ୍ଭ କରିଥିଲେ ମଧ୍ୟ ଏ ଯାଏ କୌଣସି ସୁରାଗ ମିଳିନାହିଁ । ଦିନକୁ ଦିନ ଏଭଳି ଚୋରଙ୍କ ଉତ୍ପାତ ବଢ଼ି ଚାଲିଛି । ଦିନ ରାତି କିଛି ମାନୁ ନାହାନ୍ତି ଏମାନେ ।

ପୋଲିସକୁ ବି ଏମାନଙ୍କର ଭୟ ନାହିଁ । ଚୋରି କରିବା ପାଇଁ ଖାଲି ସୁଯୋଗ ଖୋଜି ବୁଲୁଛନ୍ତି । ଆଉ ସୁଯୋଗ ମିଳିଲେ ଏମିତି ଚୋରି କରି ଫେରାର ମାରୁଛନ୍ତି । ଏମିତି ଅନେକ ଚୋର ଅଛନ୍ତି ଯେଉଁମାନେ ଚୋରି କରିବା ପରେ ବି ପୋଲିସ ସେମାନଙ୍କ ଟେର୍‌ ପାଏନି । ତେବେ ଆପଣ ଯଦି ଚୋରଙ୍କ ଠାରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ ସତର୍କ ରୁହନ୍ତୁ । ଘରେ ସିସିଟିଭି ଲଗାନ୍ତୁ, ଯାହା ଦ୍ୱାରା ପୋଲିସ ଚୋରକୁ ଚିହ୍ନିବାରେ ସହଜ ହେବ । ଯଦି ଆପଣ ନିଜେ ସତର୍କ ରହିବେ ତେବେ ଚୋରଙ୍କ ଜାଲରୁ ବଞ୍ଚିପାରିବେ ।

Also read: କିମ୍‍ସରେ ମିନିମାଲି ଇନଭେସିଭ୍ ପଦ୍ଧତିରେ ସଫଳ ହୃଦ୍‍-ଅସ୍ତ୍ରୋପଚାର